ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶର ସ୍ଵାଧୀନତାକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବାଂଲାଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ମୋଦୀଙ୍କ ଏହି ଗସ୍ତ ପରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଚରମପନ୍ଥୀ ସଙ୍ଗଠନ ଜମାତ-ଇ-ଇସଲାମର ସଦସ୍ୟମାନେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହିତ ଟ୍ରେନରେ ନିଆଁ ଲଗାଇଥିଲେ।

ରାସ୍ତାଘାଟରେ ନିଆଁ ଜାଳି ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧିଙ୍କୁ ଆୟତ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠି ଚାର୍ଜ କରିଥିଲା। ଏହି ଘଟଣାରେ ପ୍ରାୟ ୧୦ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି।

ମୋଦୀଙ୍କ ଗସ୍ତ ପରେ କାହିଁକି ହିଂସାକାଣ୍ଡ?

ଜମାତ-ଇ-ଇସଲାମର ଗୋଷ୍ଠୀର ଲୋକମାନେ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ କରୁଛନ୍ତି। ଏହି କାରଣରୁ ମୋଦୀଙ୍କ ଗସ୍ତକୁ ବିରୋଧ କରି ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା। ତେବେ ଏବେ ପରିସ୍ଥିତି ଶାନ୍ତ ପଡ଼ିଥିବା ଅନୁମାନ କରାଯାଉଛି।

ଜମାତ-ଇ-ଇସଲାମ ରଚିଥିଲା ଷଡ଼ଯନ୍ତ୍ର

ଏକ ରିପୋର୍ଟ ଅନୁସାରେ ମୋଦୀଙ୍କ ବଂଲାଦେଶ ଗସ୍ତର ୧ ସପ୍ତାହ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ହିଂସାକାଣ୍ଡର ଚେତାବନୀ ଦିଆଯାଇଥିଲା। ବାଂଲାଦେଶର ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ସଙ୍ଗଠନ ବ୍ୟାପକ ହିଂସାକାଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ପାଣ୍ଠି ଯୋଗାଇଥିଲା।

ବାଂଲାଦେଶ ସ୍ୱତନ୍ତ୍ର ଦେଶ ଘୋଷିତ ହେବାର ୫୦ତମ ବାର୍ଷିକ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଢାକାରେ ପହଞ୍ଚିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ୧.୨ ନିୟୁତ କୋଭିଡ୍‌-୧୯ ଟିକା ଉପହାର ଦେବାପରେ ଶନିବାର ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।

Comment