ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ।

କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ମୁହାଁମୁହିଁ ହେବେ ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଶ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯିବ ମ୍ୟାଚ। ପାକିସ୍ତାନ ଲଗାତର ୪ଟି ଏବଂ ବାଂଲାଦେଶ ଲଗାତାର ୫ଟି ପରାଜୟର ସମ୍ମୁଖୀନ ହୋଇଛନ୍ତି। କୋଲକାତାରେ ଉଭୟ ଦଳ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ମ୍ୟାଚରେ ବାଂଲାଦେଶ ପରାଜିତ ହେଲେ ବିଶ୍ୱକପ ସେମିଫାଇନାଲ ଦୌଡ଼ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିବ। କିନ୍ତୁ ପାକିସ୍ତାନ ହାରିଲେ ମଧ୍ୟ ପଏଣ୍ଟ ଅନୁସାରେ ନକଆଉଟ ଦୌଡ଼ରେ ରହିପାରିବ।

ବାଂଲାଦେଶ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ଏହାପରଠାରୁ ଆଉ ବିଜୟ ସ୍ୱାଦ ପାଇନାହିଁ। ସେହିପରି ପାକିସ୍ତାନ ମଧ୍ୟ ପ୍ରଥମ ଦୁଇ ମ୍ୟାଚରେ ନେଦରଲାଣ୍ଡସ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କିନ୍ତୁ ଅହମଦାବଦରେ ଭାରତଠୁ ପରାଜିତ ହେବା ପରେ ପାକିସ୍ତାନ ଆଉ ଉପରକୁ ଉଠିପାରୁନି। କ୍ରମାଗତ ୪ଟି ପରାଜୟର ସମ୍ମୁଖୀନ ହୋଇଛି ବାବର ଆଜମଙ୍କ ଦଳ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି। କେବଳ ବିଜୟ ହିଁ ଉଭୟ ଦଳଙ୍କୁ ପଏଣ୍ଟ ଟେବୁଲ ଉପରକୁ ଉଠିବାରେ ସହାୟକ ହେବ।

ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଚଳିତ ବିଶ୍ୱକପର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ନେଦରଲାଣ୍ଡ୍ସ ପରାସ୍ତ କରିଥିଲା। କୋଲକାତା ବାଂଲାଦେଶର ଦ୍ୱିତୀୟ ଘର ଭଳି। ତେଣୁ ଏଠାରେ ନେଦରଲାଣ୍ଡସଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଭଳି ବଡ଼ ଦଳଠୁ ବିଜୟ ପାଇବା ଖେଳାଳିଙ୍କ ପାଇଁ କଠିନ ହୋଇପାରେ।

ସେହିପରି ପାକିସ୍ତାନ ତାହାର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ଅଳ୍ପକେ ହାରିଥିଲା। ତଥାପି ସଂଖ୍ୟା ଦୃଷ୍ଟିରୁ ଉଭୟ ବାଂଲାଦେଶ ଓ ପାକିସ୍ତାନ ଏବେ ସମାନ ସ୍ଥିତିରେ ଅଛନ୍ତି। ଇଡେନ ପିଚ ବ୍ୟାଟରଙ୍କୁ ସହାୟତା ଦେଉଛି। କିନ୍ତୁ ମ୍ୟାଚ ଗତିଶୀଳ ହେବା ପରେ ପିଚ ମନ୍ଥର ହୋଇଯାଉଛି। ତେଣୁ ଭଲ ପ୍ରଦର୍ଶନ ପାଇଁ ଉଭୟ ଦଳ ପ୍ରୟାସ କରିବେ।

Tags: #ICCCricketWorldCup #PakistanvsBangladesh #Cricket #Sports

Comment