ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ଇସ୍ରୋକୁ ଛୁଟିଛି ଶୁଭେଚ୍ଛାର ସୁଅ। ଭାରତ ଚନ୍ଦ୍ର ଅଭିଯାନକୁ ସଫଳ କରି ବଡ଼ ଇତିହାସ ରଚିଛି। ଏହି ସଫଳତା ପାଇଁ ଭିସି ମାଧ୍ୟମରେ ଯୋଡ଼ି ହୋଇ ଦକ୍ଷିଣ ଆଫ୍ରିକାରୁ ଇସ୍ରୋ ବୈଜ୍ଞାନିକ, ଟିମ ଚନ୍ଦ୍ରଯାନ ଏବଂ ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ଇସ୍ରୋ ସହ ଯୋଡ଼ି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି କ୍ଷଣ ବିକଶିତ ଭାରତର ଶଙ୍ଖନାଦର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ, “ଏହି ମୂହୁର୍ତ୍ତ ଅବିସ୍ମରଣୀୟ। ଆଜି ଭାରତ ନୂଆ ଇତିହାସ ରଚିଲା। ସାରା ଭାରତ ପାଇଁ ଆଜି ଉତ୍ସବର ଦିନ। ମୁଁ ଟିମ ଚନ୍ଦ୍ରଯାନକୁ, ଇସ୍ରୋକୁ ଏବଂ ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ସ୍ଵର୍ଣ୍ଣିମ ମୁହୂର୍ତ୍ତ ପାଇଁ ବର୍ଷ ବର୍ଷ ପରିଶ୍ରମ କରିଛନ୍ତି ଆମ ବୈଜ୍ଞାନିକମାନେ। ସେମାନଙ୍କ ପାଇଁ ଭାରତ ଚନ୍ଦ୍ରର ଦକ୍ଷିର ମେରୁରେ ପହଞ୍ଚି ପାରିଛି। ଯେଉଁଠି ସାରା ବିଶ୍ଵର କେହି ପହଞ୍ଚିନଥିଲେ, ସେଠାରେ ଆମେ ପହଞ୍ଚିଲେ। ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା। ଆଜିର ଏହି ମୁହୂର୍ତ୍ତକୁ ଦେଶବାସୀ ସବୁଦିନ ପାଇଁ ମନେ ରଖିବେ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ମହାକାଶ ଅଭିଯାନ କେବଳ ଚନ୍ଦ୍ରରେ ସୀମିତ ରହିବ ନାହିଁ। ଏହା ସୌରମଣ୍ଡଳ ପର୍ଯ୍ୟନ୍ତ ଯିବ। ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟ ଏଲ୍-୧ ମିଶନ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ଏହି ଫଳତା ପାଇଁ ଭାରତ ସାରା ବିଶ୍ଵରେ ଇତିହାସ ରଚିଛି। ଦିନରାତି ପରିଶ୍ରମ କରି ଏହି ଅଭିଯାନକୁ ସଫଳ କରିଛନ୍ତି ଆମ ବୈଜ୍ଞାନିକମାନେ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଭାରତ ପାଇଁ ଐତିହାସିକ ବିଜୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚନ୍ଦ୍ରଯାନ-୩ର ସଫଳ ଅବରତଣ ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ସଫଳତା ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଇସ୍ରୋ ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩କୁ ପଠାଇଥିଲା। ଏହା ହେଉଛି ଭାରତର ତୃତୀୟ ଚନ୍ଦ୍ର ମିଶନ। ଏହା ପୂର୍ବ ୨୦୮ରେ ଚନ୍ଦ୍ରଯାନ-୧ ଏବଂ ୨୦୧୯ ମସିହାରେ ଚନ୍ଦ୍ରଯାନ-୨ ପଠାଇଥିଲା ଇସ୍ରୋ।

Tags: #Chandrayaan #MoonMission2023 #SpaceExploration #ISRO #India #PMNarendraModi #PresidentofIndiaDroupadiMurmu

Comment