ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ସୃଷ୍ଟିର ଇତିହାସ ଲେଖିବା ବେଳେ ସେଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ବାଦ୍ ଦେଇହେବ ନାହିଁ। ବାଲାଂଦେଶର ସ୍ୱାଧୀନତା ସଂଗ୍ରାମରେ ଭାରତର ଏହି ଆଇରନ ଲେଡିଙ୍କର ଭୂମିକା ଅତି ଚମତ୍କାର ଥିଲା। ଗୋଟିଏ ଅସ୍ତ୍ରରେ ପାକିସ୍ତାନର ଅଂହକାରକୁ ଭାଙ୍ଗିବା ସହ ବାଂଲାଦେଶରେ ନୂତନ ସୂର୍ଯ୍ୟୋଦୟ ଆଣିଥିଲେ ଇନ୍ଦିରା।

ଯଦି ସେତେବେଳେ ଭାରତ ବାଲାଂ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇ ନ ଥାନ୍ତା, ତେବେ ହୁଏତ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମ ଦୁର୍ବଳ ହୋଇଯାଇଥାନ୍ତା। ଖାଲି ସେତିକି ନୁହେଁ, ଆଜିକା ଦିନରେ ବି ଭାରତର ସାର୍ବଭୌମତ୍ୱ ପ୍ରତି ଏକ ବଡ଼ ସମସ୍ୟା ଅସମାହିତ ହୋଇ ରହିଥାନ୍ତା। କୂଟନୈତିକ, ରାଜନୈତିକ ଓ ସାମରିକ ସହାୟତା ଦେଇ ବାଲାଂଦେଶକୁ ସ୍ୱାଭିମାନର ସହ ଠିଆ ହେବାରେ ସହଯୋଗ କରିଥିଲେ ଇନ୍ଦିରା ସରକାର। ଇନ୍ଦିରା ସମଗ୍ର ବିଶ୍ୱ ଭ୍ରମଣ କରି ବାଂଲାଦେଶର ସ୍ୱାଧୀନତା ସପକ୍ଷରେ ସହମତି ସୃଷ୍ଟି କରିବାରେ ଉଦ୍ୟମ କରିଥିଲେ।

ନେହେରୁଙ୍କ ପରେ ଇନ୍ଦିରା ହେଉଛନ୍ତି ଭାରତର ସର୍ବାଧିକ ସମୟ ରହିଥିବା ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସବୁଦିନ ମନେ ରହିବା ଭଳି ଘଟଣା। ୧୯୬୬ରେ ଭାରତର ପ୍ରଧାନମନ୍ତ୍ରୀ ହେଲେ ଇନ୍ଦିରା ଗାନ୍ଧୀ। ଯେତେବେଳେ ୧୯୭୧ ପାକିସ୍ତାନ ନିର୍ବାଚନରେ ଆୱାମୀ ଲିଗ୍ ବହୁମତ ହାସଲ କରିଥିଲା। ଠିକ୍ ସେତିକି ବେଳେ ହିଁ ପୂର୍ବ ପାକିସ୍ତାନକୁ ବାଂଲାଦେଶର ମାନ୍ୟତା ପାଇଁ ଜନମତ ସୃଷ୍ଟି ହୋଇଥିଲା। ଆଉ ଇନ୍ଦିରା ଗାନ୍ଧୀ ଏଥିରେ ହସ୍ତକ୍ଷେପ କରିଥିଲେ।

ସେତେବେଳେ ଲକ୍ଷ ଲକ୍ଷ ବାଂଲାଦେଶୀ ଶରଣାର୍ଥୀ ଭାରତରେ ପ୍ରବେଶ କରିଥିଲେ। ଭାରତ ସେମାନଙ୍କୁ ଶରଣ ଦେଇଥିଲେ ମଧ୍ୟ ଏହା ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଏହାକୁ ନେଇ ଭାରତ ପାକିସ୍ତାନକୁ ବାଂଲା ଶରଣାର୍ଥୀଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ କହିଥିଲେ ମଧ୍ୟ ଆଲୋଚନାରୁ କିଛି ନିଷ୍କର୍ସ ବାହାରିପାରି ନଥିଲା। ଆଉ ପାକିସ୍ତାନ ୧୯୭୧ ଡିସେମ୍ବର ୩ରେ ଭାରତ ଉପରେ ଆକ୍ରମଣ କରିଥିଲା।

ଇନ୍ଦିରାଙ୍କ ବୁଦ୍ଧି ଆଉ ଭାରତୀୟ ସେନାର ବୀରତ୍ୱ ଯୋଗୁ ଦୁଇପଟୁ ଯୁଦ୍ଧ ଲଢ଼ିଥିଲା ଭାରତ। ପଶ୍ଚିମ ପଟୁ ସୀମା ରକ୍ଷା କରିବା ଓ ପୂର୍ବପଟୁ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲା ଭାରତୀୟ ସେନା। ବିଶ୍ୱ ସମୁଦାୟ ଏଥିରେ କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବା ପାଇଁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ଇନ୍ଦିରା। ତା ପରେ ଯାହା ଘଟିଥିଲା ତାହା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଥିଲା।

ଡିସେମ୍ବର ୩ରେ ଆରମ୍ଭ ହୋଇଥବା ଏହି ନିର୍ଣ୍ଣାୟକ ଯୁଦ୍ଧ ୧୬ ଡିସେମ୍ବରରେ ଶେଷ ହୋଇଥିଲା। ଏହି ଦିନ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଇନ୍ଦିରା ଗାନ୍ଧି ବାଂଲାଦେଶକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଁ ବିଭିନ୍ନ ଦେଶ ବୁଲିବା ପରେ ୧୯୭୨ରେ ମିଳିତ ଜାତିସଂଘର ବହୁ ସଦସ୍ୟ ବାଲାଂଦେଶର ସାର୍ବଭୌମତ୍ୱ ଓ ସ୍ୱାଧୀନତାକୁ ସ୍ୱୀକୃତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here