ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେଇ ବୀର ଯବାନଙ୍କ ସ୍ମୃତିଚାରଣ କରୁଛନ୍ତି ଦେଶବାସୀ।  ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ପାକିସ୍ତାନ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତୀୟ ସେନାର ବୀର ଯବାନ। ଭାରତ ମାଟିର ଅନେକ ଯବାନ ନିଜର ଅଦମ୍ୟ ସାହସ ଓ ପ୍ରାଣବଳି ଦେଇ ଶତ୍ରୁ କବଳରୁ ଛଡ଼ାଇ ଆଣିଥିଲେ କାରଗିଲ ପାହାଡ଼।

ପାକିସ୍ତାନ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର। ପ୍ରାୟ ୫ ହଜାର ସୈନ୍ୟଙ୍କୁ କାରଗିଲ ଦାଲଖ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏ ସମ୍ପର୍କରେ ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପାକିସ୍ତାନର ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା।

ରଣକ୍ଷେତ୍ର ପାଲଟିଥିଲା କାରଗିଲ ପାହାଡ଼ର ବକ୍ଷ। ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସମ୍ପୂର୍ଣ୍ଣ ଇଲାକା। ଭାରତୀୟ ବାୟୁସେନା ମିଗ୍-୨୭ ଏବଂ ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିରରେ ଘନଘନ ବୋମାମାଡ଼ ହୋଇଥିଲା। ଏହା ସହ ବୋଫୋର୍ସ ତୋପର ଗର୍ଜନରେ ଥରି ଉଠିଥିଲା ଶତ୍ରୁର ଛାତି। ସମୁଦ୍ରପତ୍ତନରୁ ୫ ହଜାର ମିଟର ଉପରେ କଠିନ ପରିସ୍ଥିତିରେ ଯୁଦ୍ଧ ଲଢ଼ି ବିଜୟ ଲାଭ କରିଥିଲା ଭାରତୀୟ ସେନା।

ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ। ଜମ୍ମୁ-କଶ୍ମୀରରୁ କେବଳ ୭୧ ଜଣ ଯବାନ ସହିଦ ହୋଇଥିଲେ। କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡ଼ିଶାର ଗୋପୀନାଥ ମହାରଣା ଏବଂ ନିରଞ୍ଜନ ବେହେରା। ଭାରତୀୟ ବୀର ଯବାନଙ୍କ ବୀରତ୍ଵ ଆଗରେ ଶେଷରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଶେଷରେ ୧୯୯୮ ମସିହାରୁ ପାକିସ୍ତାନ ଆରମ୍ଭ କରିଥିବା କାରଗିଲ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା।

ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାକିସ୍ତାନକୁ ପରାଜୟ କରି କାରଗିଲ ଉପରେ ବିଜୟ ପାଇଥିବାରୁ ପ୍ରତିବର୍ଷ ଆଜିର ଦିନକୁ କାରଗିଲ ବିଜୟ ଦିବସ ରୂପେ ପାଳନ କରୁଛି ସାରା ଭାରତ। କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ସାରାଦେଶ ମନେପକାଇ ଏହି ଦିବସ ପାଳନ କରାଯାଉଛି।

Tags: #KargilWar #KargilVijayDiwas #War #IndianArmedForces #India #Pakistan

 

LEAVE A REPLY

Please enter your comment!
Please enter your name here