ଓଡ଼ିଶାଲାଇଭ୍ ବ୍ୟୁରୋ

କୁହାଯାଏ ପ୍ରେମ ମାନେନା ବାଧା କି ବନ୍ଧନ। ପ୍ରେମ ପାଇଁ ସାତ ଦରିଆ ପାର କରିଯାଏ ପ୍ରେମିକ। ଏବେ ପ୍ରେମ ପାଇଁ ସୀମା ଟପିଛନ୍ତି ପାକିସ୍ତାନର ସୀମା ହାଇଦର।

ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା। ଚାରିଟି ସନ୍ତାନର ଜନନୀ ପାକିସ୍ତାନର ସୀମା ହାଇଦର ଏବେ ପାଲଟିଛନ୍ତି ସୀମା ଠାକୁର। ନିଜ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତରେ ପହଞ୍ଚିଛନ୍ତି ସୀମା।

ପବଜି ଖେଳରୁ ପ୍ରେମ

ପାକିସ୍ତାନରେ ଗୁଲାମ ହାଇଦର ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ ସୀମା ହାଇଦର। ସେମାନଙ୍କର ୪ଟି ସନ୍ତାନ ମଧ୍ୟ ଅଛନ୍ତି। ୨୦୧୯ ମସିହାରେ ଗୁଲାମ ରୋଜଗାର କରିବାକୁ ସାଉଦୀ ଆରବ ଚାଲିଯାଇଥିଲେ। ଏହାପରେ ଏକଲା ହୋଇଯାଇଥିବା ସୀମା ପବଜି ଖେଳିବା ଆରମ୍ଭ କରିଥିଲେ। ଏହି ଖେଳ ସମୟରେ ତାଙ୍କର ଭାରତର ସଚିନ ଠାକୁରଙ୍କ ସହ ପରିଚୟ ହୋଇଥିଲା। ୨୦୨୦ ମସିହାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହନ୍ତି ସୀମା।

ସୀମାଙ୍କ ପାଇଁ ପାକିସ୍ତାନ ଯିବାକୁ ବାହାରିଥିଲେ ସଚିନ

ସୀମା ଏବଂ ସଚିନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ଼ ହେଇଯାଇଥିଲା ଯେ ଭାରତର ସୀମା ଡେଇଁ ପାକିସ୍ତାନ ଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ ସଚିନ। କିନ୍ତୁ ଏପରି କରିବାକୁ ସଚିନଙ୍କୁ ବାରଣ କରିଥିଲେ ସୀମା ଏବଂ ନିଜେ ଦେଶ ଛାଡ଼ି ଚାଲିଆସିଥିଲେ। କେବଳ ଏକା ଆସିନଥିଲେ ସୀମା, ସାଙ୍ଗରେ ନିଜ ୪ ପିଲାଙ୍କୁ ମଧ୍ୟ ଆଣିଥିଲେ। ଘରୁ ସାଉଦୀ ଆରବ ଯାଉଛି କହି ନେପାଳ ବାଟ ଦେଇ ପହଞ୍ଚି ଥିଲେ ଭାରତରେ।

ସୀମା ହାଇଦରରୁ ସୀମା ଠାକୁର

ପାକିସ୍ତାନର ୨୭ ବର୍ଷିଆ ମହିଳା ସୀମା ଏବେ ନିଜକୁ ସୀମା ଠାକୁର ବୋଲି ପରିଚୟ ଦେଉଛନ୍ତି। ସେ ମୁସଲିମ ନୁହଁନ୍ତି ଏବେ ହିନ୍ଦୁ ବୋଲି କହୁଛନ୍ତି ସୀମା। ସୀମା କହିଛନ୍ତି ସେ ତାଙ୍କ ପ୍ରଥମ ସ୍ଵାମୀଙ୍କଠାରୁ ସବୁ ସମ୍ପର୍କ ତୁଟାଇ ଏବେ ଭାରତର ସଚିନ ଠାକୁରଙ୍କୁ ବିବାହ କରିଛନ୍ତି।

ଗତ ମାର୍ଚ୍ଚ ମାସ ୧୦ ତାରିଖରେ ସୀମା ଏବଂ ସଚିନ ନେପାଳଠାରେ ପରସ୍ପରକୁ ଭେଟିଥିଲେ। ସେତେବେଳେ ଏକ ମନ୍ଦିରରେ ଦୁହେଁ ବିବାହ କରିଥିବା ସୀମା କୁହନ୍ତି। ପରେ ଦୁହେଁ ନିଜ ନିଜ ଦେଶକୁ ଚାଲିଯାଇଥିଲେ। ସେବେଠାରୁ ସେ ସଚିନଙ୍କୁ ନିଜର ସ୍ଵାମୀ ବୋଲି ମାନି ନେଇଥିବା ସୀମା କହିଛନ୍ତି।

ସୀମା-ଗୁଲାମଙ୍କ କଥାରେ ତାଳମେଳ ନାହିଁ

ସୀମାଙ୍କ ସ୍ଵାମୀ ଗୁଲାମ ହାଇଦର ସୀମାଙ୍କୁ ପାକିସ୍ତାନ ଫେରାଇ ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି ୨୦୧୪ ମସିହାରେ ସେ ଓ ସୀମା ପ୍ରେମ ବିବାହ କରିଥିଲେ। ଦୁହିଁଙ୍କ ସଂସାର ଠିକ୍ ଚାଲିଥିଲା, କିନ୍ତୁ କାହିଁକି ସୀମା ଏଭଳି ନିଷ୍ପତ୍ତି ନେଲେ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଗୁଲାମ କୁହନ୍ତି।

ଏପଟେ ସୀମା କହିଥିଲେ, ଗୁଲାମ ହାଇଦରଙ୍କ ସହ ତାଙ୍କର ଇଚ୍ଛା ବିରୋଧରେ ପରିବାର ଲୋକ ବିବାହ କରାଇଥିଲେ। ବିବାହ ପରେ ଗୁଲାମ ତାଙ୍କୁ ମାନସିକ ଏବଂ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ। ଏବେ ସେ ସଚିନଙ୍କ ସହ ସଂସାର କରିବାକୁ ଚାହୁଁଛନ୍ତି। ଯଦି ସେ ପାକିସ୍ତାନ ଫେରିଯିବେ ତାଙ୍କୁ ହତ୍ୟା କରାଯିବ ବୋଲି ସୀମା କହିଛନ୍ତି।

ସୀମା ଏବଂ ଗୁଲାମଙ୍କ କଥାରେ ତାଳମେଳ ରହୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଣସି ଉଦ୍ଦେଶ୍ୟ ନେଇ ସୀମା ପାକିସ୍ତାନରୁ ଭାରତ ଆସିଥିବା କୁହାଯାଉଛି।

କେମିତି ଭାରତରେ ପହଞ୍ଚିଲେ ସୀମା?

ଗତ ମେ’ ମାସ ୧୦ ତାରିଖରେ ନିଜ ୪ ସନ୍ତାନଙ୍କୁ ସାଙ୍ଗରେ ଧରି ସୀମା ପାକିସ୍ତାନର କରାଚି ସହରରୁ ଶାରଜାହ ପହଞ୍ଚିଥିଲେ। ସେଠାରୁ ବିମାନ ଯୋଗେ କାଠମାଣ୍ଡୁ ପହଞ୍ଚିଥିଲେ। ଏକ ଗାଡ଼ି ଭଡ଼ା କରି କାଠମାଣ୍ଡୁରୁ ପୋଖରାଠାରେ ପହଞ୍ଚିଥିଲେ ସୀମା ଓ ତାଙ୍କ ଚାରି ସନ୍ତାନ। ଏହା ପରେ ବସରେ ପୋଖରାଠାରୁ ଦିଲ୍ଲୀ ପହଞ୍ଚିଥିଲେ। ନୋଏଡାଠାରେ ସଚିନ ସୀମାଙ୍କୁ ଅପେକ୍ଷା କରିରହିଥିଲେ। ମେ’ ୧୩ ତାରିଖରେ ସୀମା ନୋଏଡା ପହଞ୍ଚିଥିଲେ। ପରେ ସଚିନ, ସୀମା ଏବଂ ତାଙ୍କ ୪ ସନ୍ତାନ ରବୁପୁରା ଅଞ୍ଚଳରେ ଏକ ଭଡ଼ା ଘରେ ରହିଥିଲେ। ସୀମା ପାକିସ୍ତାନରୁ ଆସି ଦିଲ୍ଲୀରେ ରହିଥିବା ଜାଣିବା ପରେ ଜୁଲାଇ ୪ ତାରିଖରେ ପୋଲିସ ସୀମା ଏବଂ ସଚିନଙ୍କୁ ଗିରଫ କରିଥିଲା। ପରେ ଦୁହେଁ ଜାମିନରେ ମୁକୁଳିଥିଲେ।

ଏବେ ପାକିସ୍ତାନର ସୀମା ହାଇଦର ସୀମା ଠାକୁର ପାଲଟି ଯାଇଛନ୍ତି। ସିନ୍ଥିରେ ସିନ୍ଦୁର, ମଥାରେ ଓଢ଼ଣୀ ଦେଇ ତୁଳସୀ ଚଉରାରେ ପାଣି ଦେଉଛନ୍ତି। ସୀମା ସତରେ ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁଛନ୍ତି ନା ଏହା ପଛରେ ରହିଛି କିଛି ବଡ଼ ଉଦ୍ଦେଶ୍ୟ? ଏମିତି ଅନେକ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି।

Tags: #Pakistan #India #SeemaHyder #SachinThakur #LoveStory

LEAVE A REPLY

Please enter your comment!
Please enter your name here