ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ‘ଜନ୍ମଦିନର ଉପହାର’ ଅଧ୍ୟାୟରେ ପତଳା ଝାଡ଼ାର ନିରାକରଣ ଉପରେ ସଚେତନ କରାଯାଇଛି।

ଶିଶୁକୁ ତରଳ ଝାଡ଼ା ହେଲେ ଶରୀରର ଜଳୀୟ ଅଂଶ କମିଯାଏ। ଫଳରେ ଶିଶୁ ଦୁର୍ବଳ ହୋଇପଡ଼େ, ତା’ର ଜୀବନ ପ୍ରତି ମଧ୍ୟ। ତେଣୁ ଫୁଟା ପାଣିରେ ଓଆରଏସ୍ ଦ୍ରବଣ ମିଶାଇ ଶିଶୁକୁ ପ୍ରତି ଅଧଘଣ୍ଟାରେ ପିଆଇବା ଦରକାର। ଏହା ସହ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର। ଏହା ରୋଗକୁ ଅବଶ୍ୟ ଠିକ କରିନଥାଏ, ହେଲେ ଶିଶୁର ଜୀବନ ରକ୍ଷା କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ଏହି ଅଧ୍ୟାୟରେ ପତଳା ଝାଡ଼ାର ନିରାକରଣ ଉପରେ ସଚେତନ କରାଯାଇଛି।

ମୀନାକେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆନିମେସନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା ଆନିମେସନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା। କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ସେହିପରି ଏହାର ବିଭିନ୍ନ ବିଷୟକୁ ରେଡିଓ ମାଧ୍ୟମରେ ମଧ୍ୟ ପ୍ରକାଶ କରାଯାଇଛି। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା। ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଅଡିଓ ସିରିଜକୁ ପ୍ରସାରିତ କରାଯାଉଛି।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

LEAVE A REPLY

Please enter your comment!
Please enter your name here