ଓଡିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୪୯୨ ବର୍ଷର ଅପେକ୍ଷା ପରେ ଆଜି ଅଯୋଧ୍ୟା ନଗରୀରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ହୋଇଛି। ତେବେ ଏହି ୪୯୨ ବର୍ଷ ମଧ୍ୟରେ ଅଯୋଧ୍ୟା ନଗରୀ ଅନେକ ସଂଘର୍ଷକୁ ସାମ୍ନା କରିଛି। ରାମ ମନ୍ଦିର ନିର୍ମାଣକୁ ନେଇ ଅଯୋଧ୍ୟା ସହିତ ଅନେକ ବିବାଦ, ସଂଘର୍ଷ, ଆସ୍ଥା, ବିଶ୍ଵାସର କାହାଣୀ ଯୋଡ଼ି ହୋଇରହିଛି। ସେହି ସବୁ କାହାଣୀକୁ ଜାଣନ୍ତୁ ଏହି ରିପୋର୍ଟରେ….

୧୫୨୬ରେ ବାବର ଇବ୍ରାହିମ୍ ଲୋଦୀ ଯୁଦ୍ଧ କରିବା ପାଇଁ ଭାରତକୁ ଆସିଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୫୨୮ରେ ବାବରଙ୍କ ସୁବେଦାର ମୀରବାକୀ ଅଯୋଧ୍ୟାରେ ଏକ ମସ୍‌ଜିଦ୍ ନିର୍ମାଣ କଲେ ଏବଂ ବାବରଙ୍କ ସମ୍ମାନାର୍ଥେ ଏହାକୁ ବାବ୍ରି ମସ୍‌ଜିଦ୍ ନାମରେ ନାମିତ କଲେ। ଏହାର ୩୩୦ ବର୍ଷ ପରେ ୧୮୫୮ ମସିହାରେ ଏହି ମସ୍‌ଜିଦ୍‌କୁ ନେଇ ବିବାଦର ସୂତ୍ରପାତ ହେଲା ଯେତେବେଳେ ଏଠାରେ ହୋମ ଯଜ୍ଞ କରିବାକୁ ନେଇ ଏକ ଏଫ୍‌ଆଇଆର୍ ଦାଏର ହେଲା।

୧୩୪ ବର୍ଷ ଧରି ଚାଲିଥିଲା ନ୍ୟାୟିକ ଲଢ଼େଇ

ପ୍ରଥମ ଏଫ୍‌ଆଇଆର୍‌ର ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ମାମଲା କୋର୍ଟରେ ପହଞ୍ଚିଲା। ୧୮୮୫ ମସିହାରେ ମହନ୍ତ ରଘୁବର ଦାସ ଫୈଜାବାଦ ଜିଲ୍ଲା କୋର୍ଟରେ ରାମ ଜନ୍ମଭୂମି ଉପରେ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଯାଚିକା ଦାଖଲ କଲେ। ଏହା ପରେ ମାମଲା ହାଇକୋର୍ଟରେ ପହଞ୍ଚିଲା। କୋର୍ଟ ତାଙ୍କ ଯାଚିକାକୁ ରବ୍ଦ କରିଦେଲେ। ୧୮୮୬ରେ ପୁଣି କୋର୍ଟଙ୍କ ରାୟ ବିରୁଦ୍ଧରେ ଅପିଲ କରାଗଲା କିନ୍ତୁ ପୁଣି ଥରେ ଯାଚିକାକୁ ରବ୍ଦ କରିଦିଆଗଲା।ଏହାର ୬୪ ବର୍ଷ ପରେ ଅର୍ଥାତ୍ ୧୯୪୯ରେ ପୁଣି ନ୍ୟାୟିକ ଲଢ଼େଇ ଆରମ୍ଭ ହେଲା। ସେହି ବର୍ଷ ୨୨-୨୩ ଡିସେମ୍ବରରେ ବିବାଦୀୟ ସ୍ଥାନରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଗଲା। ୨୩ ଡିସେମ୍ବରରେ ଏହା ବିରୋଧରେ ଏଫ୍‌ଆଇଆର୍ ଦାଏର କରାଗଲା। ଏହା ପରେ ବିବାଦୀୟ ସ୍ଥାନକୁ ବନ୍ଦ କରିଦିଆଗଲା।

୧୯୫୦ରେ ହିନ୍ଦୁ ମହାସଭାର ଓକିଲ ଗୋପାଳ ବିଶାରଦ ଏବଂ ପରମହଂସ ରାମଚନ୍ଦ୍ର ଦାସ ଫୈଜାବାଦ ଜିଲ୍ଲା ଅଦାଲତରେ ରାମଲାଲାଙ୍କ ମୂର୍ତ୍ତି ପୂଜା କରିବାକୁ ଅଧିକାର ମାଗିଲେ। ୧୯୫୯ରେ ନିର୍ମୋହୀ ଆଖଡ଼ା ବିବାଦୀୟ ସ୍ଥାନ ଉପରେ ନିଜର ମାଲିକାନା ଜାହିର କଲା।

ଏହାର ଦୁଇ ବର୍ଷ ପରେ ୧୯୬୧ରେ ସୁନ୍ନୀ ଓ୍ଵାକିଫ୍ ବୋର୍ଡ ବିବାଦୀୟ ସ୍ଥାନରେ ରାମଙ୍କ ମୂର୍ତ୍ତି ସ୍ଥାପନକୁ ବିରୋଧ କରି କୋର୍ଟରେ ଆବେଦନ କଲା। ଏଥିସହ ମସ୍‌ଜିଦ୍ ଏବଂ ଆଖପାଖ ଜମି ଉପରେ ନିଜର ଅଧିକାର ଜାହିର କଲା। ୧୯୮୧ରେ ଉତ୍ତର ପ୍ରଦେଶର ସୁନ୍ନୀ ଓ୍ଵାକଫ୍ ବୋର୍ଡ ଏହି ଜମି ଉପରେ ମାଲିକାନା ସାବ୍ୟସ୍ତ କରିବାକୁ ମକଦ୍ଦମା ଦାଏର କଲା।

୧୯୮୯ରେ ଅବସରପ୍ରାପ୍ତ ଜଜ୍ ଦେବକୀ ନନ୍ଦନ ଅଗ୍ରଓ୍ଵାଲ ଫୈଜାବାଦ କୋର୍ଟରେ ରାମଙ୍କ ବନ୍ଧୁ ହିସାବରେ ଯାଚିକା ଦାଖଲ କଲେ। ପରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମାମଲାର ରାୟ ଶୁଣାଇଥିଲେ। ଏହାର ୯ ବର୍ଷ ପରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ସବୁଜ ସଙ୍କେତ ଦେଇଥିଲେ ସୁପ୍ରିମକୋର୍ଟ।ମାମଲାର ଦୁଇଟି ସବୁଠୁ ଗୁରୁତ୍ଵପୂର୍ଣ୍ଣ ରାୟ

୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଥିଲେ। ୮୧୮୯ ପୃଷ୍ଠା ସମ୍ବଳିତ ଏହି ରାୟରେ ହାଇକୋର୍ଟ ସୁନ୍ନୀ ଓ୍ଵାକିଫ୍ ବୋର୍ଡ, ନିର୍ମୋହୀ ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ବିବାଦୀୟ ସ୍ଥାନକୁ ୩ ଭାଗରେ ବାଣ୍ଟି ଦେବାକୁ କହିଥିଲେ।

ଏହାପରେ ୨୦୧୯ରେ ସୁପ୍ରିମକୋର୍ଟଙ୍କ ସବୁଠୁ ଗୁରୁତ୍ଵପୂର୍ଣ୍ଣ ରାୟ ଆସିଥିଲା। ୧୦୪୫ ପୃଷ୍ଠାବିଶିଷ୍ଟ ରାୟ ପ୍ରକାଶ ପାଇଥିଲା। ବିବାଦୀୟ ଜମିର ୨.୭୭ ଏକର ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏଥିସହ ମୁସ୍‌ଲିମ୍ ପକ୍ଷଙ୍କୁ ୫ ଏକର ଉପଯୁକ୍ତ ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମ୍ ଶୁଣାଣିର କାହାଣୀ

ସୁପ୍ରିମକୋର୍ଟରେ ୨୦୧୯ ମସିହା ଅଗଷ୍ଟ ୬ ତାରିଖରୁ ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ଦୀର୍ଘ ୪୦ ଦିନ ପର୍ଯ୍ୟନ୍ତ ଚାଲିଥିଲା ଶୁଣାଣି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍‌ଦୁଲ ନଜୀରଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦୀର୍ଘ ୨୦୦ ଘଣ୍ଟା ଧରି ପ୍ରତିପକ୍ଷଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ। ଏସବୁ ପରେ ଯେତେବେଳେ ୧୦୪୫ ପୃଷ୍ଠାର ରାୟ ପ୍ରକାଶ ପାଇଲା ତାହାକୁ ୪୫ ମିନିଟ୍ ଧରି ପାଠ କରାଯାଇଥିଲା। ଏହାରି ସହିତ ସବୁଠୁ ପୁରୁଣା ବିବାଦର ଅନ୍ତ ହୋଇଥିଲା।

ବିବାଦୀୟ ସ୍ଥାନରେ ମସ୍‌ଜିଦ୍ ଗଢ଼ିବା ଭାଙ୍ଗିବାର କାହାଣୀ

୧୫୨୮ରେ ବାବରଙ୍କ ସୁବେଦାର ମୀରବାକୀ ବାବ୍ରି ମସ୍‌ଜିଦ୍ ତିଆରି କରିବା ପରେ ୧୮୫୩ରେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ସାମ୍ପ୍ରଦାୟିକ ହିଂସା ହୋଇଥିଲା। ବିବାଦୀୟ ସ୍ଥାନରେ ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍ ନିର୍ମାଣ ହୋଇଥିବା ହିନ୍ଦୁ ସମୁଦାୟ ଦାବି କରିଥିଲା।ଏହାପରେ ୧୯୩୪ରେ ପ୍ରଥମ ଥର ପାଇଁ ହିନ୍ଦୁମାନେ ମସ୍‌ଜିଦ୍‌ର କିଛି ଅଂଶ ଭାଙ୍ଗିଦେଲେ। କିନ୍ତୁ ଇଂରେଜମାନେ ଏହାକୁ ପୁଣି ନିର୍ମାଣ କରିଦେଲେ। ୧୯୯୨ ମସିହାରେ ହିନ୍ଦୁ ପକ୍ଷ ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦେଇଥିଲେ। ୨୦୦୩ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ବିବାଦୀୟ ସ୍ଥାନରେ ପୂର୍ବରୁ କୌଣସି ପୁରୁଣା ସଂରଚନା ଥିଲା ବୋଲି ରିପୋର୍ଟ ଦେଇଥିଲା।

ମନ୍ଦିର ସହ ‘୯’ ର ସମ୍ପର୍କ

ମନ୍ଦିର ସହ ‘୯’ ସଂଖ୍ୟାର ସମ୍ପର୍କ ଏକ ସଂଯୋଗ ପରି ମନେହୁଏ। ୧୯୮୯ ନଭେମ୍ବର ୯ ତାରିଖରେ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଦଳିତ ସମୁଦାୟର କାମେଶ୍ଵର ଚୌପାଲ ସେତେବେଳେ ଶିଳାନ୍ୟାସ କରିଥିଲେ। ସେହିପରି ୨୦୧୧ ମେ ୯ରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା। ୨୦୧୯ ନଭେମ୍ବର ୯ରେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଦେଲେ। ଏଥିସହ ଦୀର୍ଘ ୯ ବର୍ଷ ଧରି ଏହି ମାମଲା ସୁପ୍ରିମକୋର୍ଟରେ ଚାଲିଥିଲା।

LEAVE A REPLY

Please enter your comment!
Please enter your name here