ଓଡ଼ିଶାଲାଇଭ ବ୍ୟୁରୋ
ଜଣେ ଅସାଧାରଣ ପ୍ରତିଭାବାନ ଔପନ୍ୟାସିକ ଥିଲେ କାହ୍ନୁଚରଣ ମହାନ୍ତି। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।
କାହ୍ନୁଚରଣ ମହାନ୍ତି, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ। ଓଡ଼ିଆ ସାହିତ୍ୟରେ ସେ ଅର୍ଜନ କରିଛନ୍ତି ଅଜସ୍ର ଲୋକପ୍ରିୟତା। ଆଜି ସେହି ମହାନ୍ ଔପନ୍ୟାସିକଙ୍କର ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
‘‘କାହୁନଚରଣ ମହାନ୍ତି ଔପନାସିକ ଭାବେ ଓଡ଼ିଶାର ପୁରପଲ୍ଲୀରେ ପରଚିତ। ତାଙ୍କ ଉପନ୍ୟାସଗୁଡ଼ିକ ଲୋକପ୍ରିୟତା ହାସଲ କରିବା ସହିତ ସାମାଜିକ ଜୀବନର ପୁଙ୍ଖାନୁପୁଙ୍ଖ ଚିତ୍ରକୁ ଦେଖାଇଥିଲା। ସେ ସମୟରେ ସମାଜରେ ଦେଖାଯାଉଥିବା ସମସ୍ୟା ମାନ ତାଙ୍କ ଲେଖାରେ ଦେଖାଯାଇଥିଲା। ସେ ସମୟରେ ଯାହା ବି ସରକାରୀ ଯୋଜନା ହୋଇଥିଲା ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କର କାଳ୍ପନିକ ଉପନ୍ୟାସ ‘ବାଲିରାଜା’, ‘ସ୍ୱପ୍ନ ନା ସତ୍ୟ’ ଆଦି ବେଶ୍ ପ୍ରିୟ ହୋଇଥିଲା। ତାଙ୍କ ଲେଖା ଓଡ଼ିଆ ପାଠକଙ୍କୁ ଏକ ନିଆରା ସ୍ୱାଦ ଦେଇଛି ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।
‘‘ଓଡ଼ିଆ ଉପନ୍ୟାସକୁ ଲୋକପ୍ରିୟ କରାଇବାରେ କାହ୍ନୁଚରଣ ମହାନ୍ତି ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ତାହାର ତୁଳନା ନାହିଁ। ବ୍ୟାସକବି ଫକୀର ମୋହନ ସେନାପତି ପ୍ରଥମେ ଆଧୁନିକ ପରିଭାଷାରେ ଉପନ୍ୟାସ ରଚନା କରିଥିଲେ ଏବଂ ଉପନ୍ୟାସକୁ ଲୋକପ୍ରିୟ କରାଇଥିଲେ। ତାଙ୍କ ପରେ ପରେ ଅନେକ ଉପନ୍ୟାସ ଓଡ଼ିଆ ଭାଷାରେ ଅବଶ୍ୟ ଲିଖିତ ହୋଇଛି ଏବଂ ଅନେକ ଔପନ୍ୟାସିକ ଓଡ଼ିଆ ଭାଷାକୁ ସମୃଦ୍ଧ କରିଛନ୍ତି। କିନ୍ତୁ କାହ୍ନୁଚରଣ ମହାନ୍ତି ଉପନ୍ୟାସକୁ ସର୍ବାଧିକ ଲୋକପ୍ରିୟ କରାଇଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।
“ଓଡ଼ିଆ ସାହିତ୍ୟର ଉଜ୍ଜ୍ୱଳ ତାରକା ହେଉଛନ୍ତି କାହ୍ନୁଚରଣ। ଓଡ଼ିଆ ସାହିତ୍ୟକୁ ସାଧାରଣ ମଣିଷ ପାଖରେ ସାଧାରଣ ଭାଷାରେ ସେ ପହଞ୍ଚାଇଛନ୍ତି। ସେଥିପାଇଁ ସ ହେଉଛନ୍ତି ଅସାଧାରଣ। ଓଡ଼ିଆ ପାଠକଙ୍କର ମନର ରାଜା ହେଉଛନ୍ତି ସେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମୀତା ମନ୍ତ୍ରୀ।
‘‘ଓଡ଼ିଆ ସାହିତ୍ୟରେ ଜଣେ ଜନପ୍ରିୟ ଔପନ୍ୟାସିକ ହେଲେ କାହ୍ନୁଚରଣ ମହାନ୍ତି। ଓଡ଼ିଆ ସାହିତ୍ୟରେ ସେ ଯେତିକି ଖ୍ୟାତି ହାସଲ କରିଛନ୍ତି ତାହା ଅନ୍ୟ କୌଣସି ଲେଖକଙ୍କ ଭାଗ୍ୟରେ ଜୁଟି ନାହିଁ। କାହ୍ନୁଚରଣଙ୍କ କାହାଣୀରେ ସବୁବେଳେ ସମାଜର ନୀତିନିୟମକୁ ଦେଖାଯାଇଛି’’, ବିଶିଷ୍ଟ କଥାକାର ଜ୍ୟୋତି ନନ୍ଦ।
‘‘କାହ୍ନୁ ଚରଣ ଓଡ଼ିଆ ସାହତ୍ୟର ଜଣେ ଅନ୍ୟତମ କ୍ଲାସିକ କଥାକାର। ଓଡ଼ିଆ ପାଠକଙ୍କ ପାଇଁ ବହୁ ବହି ଲେଖିଛନ୍ତି। ‘ହାଅନ୍ନ’, ‘ସାସ୍ତୀ’, ‘ତୁଣ୍ଡବାଇଦ’, ‘ହାଅନ୍ନ’ ହେଉଛି କାଳଜୟୀ କୃତିତ୍ୱ। ତାଙ୍କ ଲେଖା ମାଧ୍ୟମରେ ସେ ଅନେକ ପାଠକ ତିଆରି କରିଛନ୍ତି। ପରିବେଶ ଓ ଘଟଣା ବର୍ଣ୍ଣନା ମାଧ୍ୟମରେ ସେ ଚରିତ୍ରମାନଙ୍କର ମାନସିକତାକୁ ଅବିକଳ ଭାବେ ପ୍ରଦର୍ଶନ କରିଛନ୍ତି’’, କହିଛନ୍ତି ବିଶିଷ୍ଟ ସମାଲୋଚକ ଡକ୍ଟର ଶ୍ରୀଚରଣ ମହାନ୍ତି।
‘‘୬୨ ବର୍ଷ ମଧ୍ୟରେ ୬୦ କଣ୍ଡ ବହିର ସେ ହେଲେ ରଚୟିତା। ମରୁଡ଼ିର କରାଳ ଚିତ୍ରକୁ ରୂପ ଦେବାକୁ ଯାଇ ସେ ରଚନା କରିଥିଲେ ‘ହାଅନ୍ନ’ ଓ ‘ଶାସ୍ତୀ’। ସେହିପରି ସେ ପୌରାଣିକ ଉପନ୍ୟାସ ମଧ୍ୟ ରଚନା କରିଥିଲେ’’ କହିଛନ୍ତି ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ମନୋରଞ୍ଜନ ପ୍ରଧାନ।