ଓଡ଼ିଶାଲାଇଭ ବ୍ୟୁରୋ

ପ୍ରସିଦ୍ଧ ନାରୀକବି ଅମ୍ରିତା ପ୍ରିତମଙ୍କ ୧୦୦ତମ ଜନ୍ମ ଜୟନ୍ତୀରେ ଗୁଗୁଲ ଡୁଡୁଲ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ପଞ୍ଜାବର ଜଣେ ପ୍ରସିଦ୍ଧ ନାରୀକବି, ଉପନ୍ୟାସକାର ଓ ପ୍ରବନ୍ଧ ଲେଖିକା ଥିଲେ ଅମ୍ରିତା ପ୍ରିତମ। ଗୁଗୁଲ ତାଙ୍କୁ ଏକ ବହୁତ ସୁନ୍ଦର ଡୁଡୁଲ ସମର୍ପିତ କରିଛି। ଯେଉଁଥିରେ ଏକ ସାଲଓ୍ଵାର ପିନ୍ଧିଥିବା ଝିଅ କିଛି ଲେଖୁଥିବାର ଦୃଶ୍ୟ ରହିଛି।

ଅମ୍ରିତା ପ୍ରିତମ ତାଙ୍କ ସମୟର ଜଣେ ପ୍ରସିଦ୍ଧ ଲେଖକ ଥିଲେ। ତାଙ୍କ ଜନ୍ମ ୩୧ ଅଗଷ୍ଟ ୧୯୧୯ ମସିହା ପଞ୍ଜାବର ଗୁଜରାଙ୍ଗବାଲା(ଯାହା ଏବେ ପାକିସ୍ତାନରେ)ରେ ହୋଇଥିଲା। ପିଲାବେଳୁ ହିଁ ଲେଖିବାରେ ତାଙ୍କର ଆଗ୍ରହ ରହିଥିଲା। କିଶୋରୀ ଅବସ୍ଥାରେ ପଞ୍ଜାବୀ ଭାଷାରେ କବିତା ଓ କାହାଣୀ ଲେଖିବା ଆରମ୍ଭ କରିଥିଲେ।

ତାଙ୍କୁ ୧୧ ବର୍ଷ ହୋଇଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ପରେ ତାଙ୍କ ଉପରେ ପରିବାର ବୋଝ ଚାଲି ଆସିଥିଲା। ଏହାପର ମଧ୍ୟ ସେ ତାଙ୍କ କଲମ ବନ୍ଦ କରିନଥିଲେ। ଅମ୍ରିତା ପ୍ରିତମ ସେହି ବିରଳ ସାହିତ୍ୟକାରଙ୍କ ମଧ୍ୟରୁ ଜଣେ ଯାହାଙ୍କର ପ୍ରଥମ ସଂକଳନ ୧୬ ବର୍ଷ ବୟସରେ ପ୍ରକାଶିତ ହୋଇଥିଲା।

୧୯୪୭ ମସିହା ଦେଶ ବିଭାଜନକୁ ସେ ଅତି ନିକଟରୁ ଅନୁଭବ କରିଛନ୍ତି। ଏହାକୁ ନେଇ ସେ ଅନେକ ଗଳ୍ପ ମଧ୍ୟ ଲେଖିଛନ୍ତି। ବିଭାଜନ ପରେ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ। ଏହାପରେ ସେ ପଞ୍ଜାବୀ ସହ ହୀନ୍ଦି ଭାଷାରେ ମଧ୍ୟ ଅନେକ ଗଳ୍ପ ଓ କବିତା ଲେଖିବା ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ତାଙ୍କ ବିବାହ ହୋଇଥିଲା ପରେ ୧୯୬୦ରେ ତାଙ୍କ ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା।

ଅମ୍ରିତା ପ୍ରିତମ ପ୍ରାୟ ୧୦୦ ପୁସ୍ତକ ଲେଖିଛନ୍ତି। ଯେଉଁଥିରେ ତାଙ୍କର ଚର୍ଚ୍ଚିତ ଆତ୍ମକଥା ‘ରସିଦ ଟେକେଟ’ ମଧ୍ୟ ସାମିଲ ଅଛି। ଏହାଛଡ଼ା ତାଙ୍କର ଲେଖା ଅନେକ ଭାଷାରେ ଅନବାଦ କରାଯାଇଛି।

ସମ୍ମାନ ଓ ପୁରସ୍କାର

ଅମ୍ରିତା ପ୍ରିତମଙ୍କୁ ଅନେକ ରାଷ୍ଟ୍ରିୟ ଓ ଅନ୍ତଃରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ୧୯୫୬ରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ରେ ପଞ୍ଜାବ ସରକାରଙ୍କ ଭାଷା ବିଭାଗ ଦ୍ଵାରା ପୁରସ୍କାର। ସେ ପ୍ରଥମ ମହିଳା ଥିଲେ ଯିଏ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

  • ସାହିତ୍ୟ ଏକାଡେମୀ ପୁରସ୍କାର(୧୯୫୬)
  • ପଦ୍ମଶ୍ରୀ(୧୯୬୯)
  • ଡକ୍ଟର ଅଫ ଲିଟ୍ରେଚର( ଦିଲ୍ଲୀ ୟୁନିଭରସିଟି-୧୯୭୩)
  • ଡକ୍ଟର ଅଫ ଲିଟ୍ରେଚର( ଜବଲପୁର- ୟୁନିଭରସିଟି-୧୯୭୩)
  • ବ୍ଲଗାରିୟା ବେରୋବ ପୁରସ୍କାର(୧୯୮୮)
  • ଭାରତୀୟ ଜ୍ଞାନପୀଠ ପୁରସ୍କାର(୧୯୮୨)
  • ଡକ୍ଟର ଅଫ ଲିଟ୍ରେଚର( ବିଶ୍ଵ ଭାରତୀ ଶାନ୍ତି ନିକେତନ-୧୯୮୭)
  • ଫ୍ରାନ୍ସ ସରକାର ଦ୍ଵାରା ସମ୍ମାନିତ(୧୯୮୭)
  • ପଦ୍ମ ବିଭୂଷଣ(୨୦୦୪)

୩୧ ଅକ୍ଟୋବର ୨୦୦୫ ଚିରଦିନ ପାଇଁ ଅମୃତାଙ୍କ କଲମ ଶାନ୍ତ ପଡ଼ିଗଲା। ସ୍ଵାସ୍ଥ୍ୟବସ୍ଥା ଖରାପ ଯୋଗୁଁ ୮୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା। ଆଜି ସେ ଆମ ଭିତରେ ନଥିଲେ ମଧ୍ୟ ତାଙ୍କ ଲେଖା ତାଙ୍କୁ ଚିର ଅମର କରି ରଖିଛି।

Comment