ଓଡିଶାଲାଇଭ୍ ବ୍ୟୁରୋ

ପୁଅମାନେ କେବଳ ବିବାହ ପର୍ଯ୍ୟନ୍ତ ହିଁ ପିତାମାତାଙ୍କର ପୁଅ ହୋଇ ରୁହନ୍ତି। କିନ୍ତୁ ଝିଅମାନେ ସବୁବେଳେ ଝିଅର କର୍ତ୍ତବ୍ୟ କରନ୍ତି। ତେଣୁ ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅମାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ରହିଛି। ସେଥିପାଇଁ ୨୦୦୫ ମସିହାର ସଂଶୋଧିତ ଆଇନ୍ ପୂର୍ବରୁ ପିତାଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଝିଅମାନଙ୍କୁ ପିତୃସମ୍ପତ୍ତିରେ ଅଧିକାର ମିଳିବ। ମଙ୍ଗଳବାର ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ଜଷ୍ଟିସ୍ ଅଜୟ ମିଶ୍ରଙ୍କ ଦ୍ଵାରା ଗଠିତ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ ୨୦୦୫ ସେପ୍ଟେମ୍ବର ୫ ତାରିଖରେ ସାଂସଦରେ ଅବିଭାଜିତ ହିନ୍ଦୁ ପରିବାରର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା। ଏହି ସଂଶୋଧିତ ଆଇନ୍ ଅନୁସାରେ ଝିଅମାନଙ୍କୁ ପିତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନର ରାୟ ଅନୁସାରେ ଯଦି ୨୦୦୫ ମସିହାର ସଂଶୋଧିତ ଆଇନ୍ ଲାଗୁ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥାଏ ଏବଂ ପରେ ସମ୍ପତ୍ତି ଭାଗବଣ୍ଟା ହେଉଥାଏ ତେବେ ତା’ ଉପରେ ଝିଅମାନଙ୍କର ମଧ୍ୟ ସମାନ ଅଧିକାର ରହିବ।ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଝିଅମାନେ ସାରା ଜୀବନ ପିତା ମାତାଙ୍କୁ ଭଲ ପାଇଥା’ନ୍ତି। ଝିଅଟିଏ ଜନ୍ମ ହେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପିତା ମାତାଙ୍କର ଭଲ ଝିଅ ହୋଇଥାଏ। କିନ୍ତୁ ବିବାହ ପରେ ପୁଅମାନଙ୍କ ବ୍ୟବହାର ଏବଂ ଗୁଣରେ ପରିବର୍ତ୍ତନ ଆସିଥାଏ। ହେଲେ ବିବାହ ପରେ ଝିଅମାନଙ୍କର ପିତା ମାତାଙ୍କ ପ୍ରତି ଭଲପାଇବା ବଢ଼ି ଚାଲିଥାଏ। ବର୍ତ୍ତମାନ ସବୁ କ୍ଷେତ୍ରରେ ଝିଅମାନେ ପୁଅମାନଙ୍କ ସହିତ ସମାନ ଅଧିକାର ସାବ୍ୟସ୍ତ କରୁଛନ୍ତି। କେବଳ ସମ୍ପତ୍ତିଗତ ମାମଲାରେ ଝିଅମାନେ ପୁଅମାନଙ୍କ ସମକକ୍ଷ ହୋଇପାରୁନାହାନ୍ତି। ସେମାନଙ୍କ ସହିତ ଅନ୍ୟାୟ ହେଉଛି। ସେହି ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କର ଏହି ରାୟ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଛି।ଏଣିକି ପୈତୃକ ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ଝିଅମାନେ ପୁଅମାନଙ୍କ ସହିତ ସମକକ୍ଷ ହୋଇପାରିବେ। ଏହାଦ୍ଵାରା ନାରୀ ଶକ୍ତି ଆହୁରି ସଶକ୍ତ ହୋଇପାରିବ ବୋଲି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଦ୍ଵାରା ଗଠିତ ବେଞ୍ଚ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here