ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣାଶୁଣା ରସାୟନ ବିଜ୍ଞାନ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଫେସର ଆର୍ ଏନ୍ ପଣ୍ଡା କାହିଁକି କ୍ଲାସରୁମରୁ ଡିଜିଟାଲ୍ ଟିଚିଂ ଧାରାକୁ ଆଦରି ନେବାକୁ ଚାହିଁଲେ? ତାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି ଓଡ଼ିଶାଲାଇଭ୍ ମୁଖ୍ୟ ସଂପାଦକ ତଥା ପ୍ରଫେସର ପଣ୍ଡାଙ୍କ ପୁରାତନ ଛାତ୍ର ନୀଳାମ୍ବର ରଥ।
ନୀଳାମ୍ବର: ସାର୍ ନମସ୍କାର। ଆପଣ ହଠାତ୍ କ୍ଲାସ୍ରୁମ୍ରୁ ଡିଜିଟାଲ୍ ଟିଚିଂ ମିଡିୟମ୍କୁ ଆସିଲେ। ଆପଣ କାହିଁକି ୟୁଟ୍ୟୁବ୍ ଚ୍ୟାନେଲ୍ କରିବା ପାଇଁ ଚାହିଁଲେ?
ପ୍ରଫେସର ଆର୍ ଏନ୍ ପଣ୍ଡା: କରୋନାକୁ ନେଇ ବର୍ତ୍ତମାନ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ସେଥିରେ ପିଲାମାନେ ଆସନ୍ତା ମାସ ମାସ କାହିଁକି ବହୁତ ଦିନ ପର୍ଯ୍ୟନ୍ତ ହୁଏତ କଲେଜ୍କୁ ଯାଇପାରିବେ ନାହିଁ। ଘରେ ରହିକି ସେମାନେ ଅନଲାଇନ୍ରେ ପଢ଼ିବେ। କିନ୍ତୁ ଅନଲାଇନରେ ଯେତେବେଳେ ଗୁଗୁଲ୍ ମିଟ୍ ବା ଜୁମ୍ରେ ପଢ଼ୁଛନ୍ତି ସେମାନେ ପାଠକୁ ବିସ୍ତୃତ ଭାବରେ ଜାଣିପାରୁ ନାହାନ୍ତି। ଆଉ ଯେଉଁ ଟିଚରମାନେ ପଢ଼ାଉଛନ୍ତି ସେମାନେ ହୁଏତ ତାଙ୍କୁ ମୂଳ କନସେପ୍ଟ ବୁଝାଉଥିବେ କି ନାହିଁ ମୋର ଟିକେ ସନ୍ଦେହ ହେଉଛି। ମୋର ୪୭ ବର୍ଷର ଶିକ୍ଷାଦାନର ଅନୁଭୂତି ରହିଛି। ମୁଁ ବିଜେବି କଲେଜରେ ୨୭ ବର୍ଷ ତଥା ପାରଳାଖେମୁଣ୍ଡି ଏବଂ ଅନେକ ଭଲ ଭଲ କଲେଜରେ ପାଠ ପଢ଼ାଇଛି। ଏଣୁ ମୁଁ ଭାବିଲି ଯେ ମୋର ଅନୁଭୂତିରୁ ପିଲାମାନଙ୍କୁ ପାଠଟାକୁ ବୁଝାଇବା ପାଇଁ, ସହଜ କରିବା ପାଇଁ ଚେଷ୍ଟା କରିବି।
ନୀଳାମ୍ବର: ହଁ, ପାଠକୁ ମୂଳରୁ ବୁଝିଲେ ତାହା ଛାତ୍ର ଛାତ୍ରୀଙ୍କ ପାଇଁ ସୁବିଧା ହେବ। ତା’ହେଲେ ଆପଣଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ର ସେହି କଥାଟା ମୂଳ ଆକର୍ଷଣ ହେବ?
ପ୍ରଫେସର ଆର୍ ଏନ୍ ପଣ୍ଡା: ହଁ। ସେଇ ଉଦ୍ଦେଶ୍ୟ ରଖି ମୁଁ ଫ୍ରି କ୍ଲାସ୍ ଆରମ୍ଭ କରିଛି। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ର ନାଁ ହେଉଛି – ‘କେମେଷ୍ଟ୍ରି ଆର ଏନ୍ ପଣ୍ଡା’ ଯୋଉଥିରେ କି ‘ଫଣ୍ଡାମେଣ୍ଟାଲ୍ କନସେପ୍ଟ ଅଫ୍ କେମେଷ୍ଟ୍ରି’ ଉପରେ ମୁଁ ଜୋର ଦେଉଛି। ସବୁ ବିଷୟର ମୂଳ ଜିନିଷକୁ ମୁଁ ବୁଝାଉଛି। ଆଉ ଏମିତି ବୁଝାଇବି ଯୋଉଟା ତାଙ୍କର ଜେଇଇ ଆଉ ଏନଇଇଟି ପରୀକ୍ଷା ପାଇଁ କାମରେ ଆସିବ।
ନୀଳାମ୍ବର: ଆପଣ କହିଲେ ଏତେ ଦୀର୍ଘ ବର୍ଷ ଆପଣ କ୍ଲାସରୁମ୍ ଟିଚିଙ୍ଗ୍ରେ ଅତି ଘନିଷ୍ଠ ଭାବରେ ପିଲାମାନଙ୍କ ସାଙ୍ଗରେ ଯୋଡ଼ି ହେଇକି ରହିଛନ୍ତି, ପଢ଼େଇଛନ୍ତି। କ୍ଲାସରୁମ୍ ଟିଚିଙ୍ଗ୍ରୁ ବର୍ତ୍ତମାନ ଡିଜିଟାଲ୍ ଟିଚିଙ୍ଗକୁ ଆସିଲେ। ତେବେ ଆପଣ କ’ଣ ଅଲଗା କଥା ଅନୁଭବ କରୁଛନ୍ତି?
ପ୍ରଫେସର ଆର୍ ଏନ୍ ପଣ୍ଡା: କ୍ଲାସ୍ରୁମରେ ବହୁତ ଭଲ ଲାଗୁଥିଲା ଯେତେବେଳେ ପିଲାମାନଙ୍କୁ ଆଖିରେ ଆଖିରେ ଦେଖୁଥିଲୁ, ପ୍ରତ୍ୟେକ ପିଲାଙ୍କ ଆଖିକୁ ଦେଖି ମୁଁ ପାଠ ପଢ଼ୋଉଥିଲି। ଏଣୁ ଏମିତି ହୋଇଛି ଯେ ପ୍ରତି ପିଲାଙ୍କର ନାଁ ବି ଜାଣିବାର ସୁଯୋଗ ମିଳୁଥିଲା। ଆଉ ଗୋଟିଏ କଥା ହେଲା ପିଲାମାନଙ୍କର ମନ ଭିତରେ ବି ମୁଁ ରହିଯାଉଥିଲି। କିନ୍ତୁ ଏ ନୂଆ ମଧ୍ୟମରେ ବର୍ତ୍ତମାନ ପିଲାମାନଙ୍କୁ ମୁଁ କଳ୍ପନା କରୁଛି, ପିଲାମାନେ ମୋ ଆଗରେ ବସିଛନ୍ତି ଏହା ଭାବିକି ମୁଁ ବ୍ଲାକବୋର୍ଡରେ ପଢ଼ୋଉଛି। ଏଣୁ ବ୍ଲାକବୋର୍ଡରେ ଯେମିତି ଲେଖୁଥିଲି ସେମିତି ହିଁ ଲେଖୁଛି। ଆଉ ସେମିତି ହିଁ ପଢ଼ୋଉଛି। ତେଣୁ ମୁଁ ଯାହା ଭାବୁଛି ଏଥିରେ ବିଶେଷ କିଛି ଫରକ ରହୁନି। କିନ୍ତୁ ଯୋଉ ଆନନ୍ଦଟା ମିଳେ ପିଲାଙ୍କୁ ଦେଖି ପଢ଼େଇବାରେ ସେଇ ଆନନ୍ଦ ଡିଜିଟାଲ୍ରେ ନ ଆସିପାରେ।
ଆଉ ଗୋଟାଏ କଥା ହେଲା ଗୋଟେ ପଢ଼େଇଲା ବେଳେ ଗୋଟେ ପିଲାର ମୁହଁକୁ ଚାହିଁଲେ ଜଣାପଡ଼ିଯାଏ ଯେ ପିଲା ବୁଝୁଛି କି ନାହିଁ। ଏଣୁ ଆମେ ସେତେବେଳେ କ’ଣ କରୁ କି ପାଠଟାକୁ ଆଉ ଥରେ ଦୋହରୋଉ ବା ପାଠଟାକୁ ଆଉ ଟିକେ ସରଳ କରିବା ପାଇଁ ଚେଷ୍ଟା କରୁ। ଆଉ ଏବେ ମୁଁ ଭାବୁଛି କେତେଦୂର ଗଲେ ପିଲାମାନେ ବୁଝିବେ? ସେ ଭାବନଟାକୁ ମୁଁ ମୋ ମନରେ ଆଣି ବୋର୍ଡରେ ପଢ଼ୋଉଛି। ସେତିକି ଫରକ ମୁଁ ଦେଖୁଛି ଡିଜିଟାଲ୍ ଟିଚିଙ୍ଗ୍ ଆଉ ଆମର ଡାଇରେକ୍ଟ ଟିଚିଙ୍ଗ୍ ମଧ୍ୟରେ।
ନୀଳାମ୍ବର: ଆପଣ ଯେତେବେଳେ ଡିଜଟାଲ୍ ପାଇଁ କୌଣସି କ୍ୟାମେରା ସାମ୍ନାରେ ଠିଆ ହୋଇ କଥା ହେଉଛନ୍ତି ଆପଣ କ’ଣ ସେ କ୍ୟାମେରା ଭିତରେ ପିଲାମାନଙ୍କର ଆଖି ଖୋଜୁଛନ୍ତି?
ପ୍ରଫେସର ଆର୍ ଏନ୍ ପଣ୍ଡା: ହଁ ମୁଁ ସେଇଟା ଖୋଜୁଛି। ମୋର ପୁରାତନ ଛାତ୍ରଛାତ୍ରୀମାନେ ମତେ ଅନୁରୋଧ କରି କହିଲେ ଯେ, ଯେତେବେଳେ ସାର୍ ଆପଣ କ୍ଲାସରେ ଆମକୁ ପଢ଼ୋଉଥିଲେ ବିଜେବି କଲେଜରେ, କି ଅନ୍ୟ କଲେଜରେ ଆମେ ସେମିତି ହିଁ ଫିଲ୍ କରୁଛୁ ବର୍ତ୍ତମାନ ଆପଣ ଯେତେବେଳେ ଗୋଟେ କ୍ଲାସଟାକୁ ଫେସବୁକ୍ରେ ଅପଲୋଡ୍ କରୁଛନ୍ତି। ଆଉ ଆପଣଙ୍କ ପାଠପଢ଼ାଟା ପ୍ରାୟ ବହିରେ ନଥାଏ। ଆପଣ ନିଜ ମନରୁ ଆମକୁ ବୁଝାଇବାକୁ ଚେଷ୍ଟା କରନ୍ତି। ଆମେ ସମ୍ପୂର୍ଣ୍ଣ ଭାବରେ ବୁଝିଯାଉ। ତେଣୁ, ଆପଣ ଯଦି ଏଇଟାକୁ ୟୁଟ୍ୟୁବ୍ରେ ରଖିପାରିବେ ତାହେଲେ ଆମେ ଆଉ ଆମର ପରବର୍ତ୍ତୀ ପିଢ଼ି ଉପକୃତ ହେବେ।
ଏଇ ଅନୁରୋଧ ମତେ ବହୁତ ପିଲା କଲେ ଯୋଉ ପିଲାମାନେ ଆଜି ଭଲ ଭଲ ଜାଗାରେ ଅଛନ୍ତି। ବର୍ତ୍ତମାନ ମୁଁ ସେଇ ପିଲାମାନଙ୍କୁ କ୍ୟାମେରାର ଲେନ୍ସରେ ଦେଖୁଛି, ମୁଁ ଭାବୁଛି ସେଇ ପିଲାମାନେ ହିଁ ବସିଛନ୍ତି ଆଉ ତାଙ୍କୁ ହିଁ ମୁଁ ପାଠ ପଢ଼ୋଉଛି।
ନୀଳାମ୍ବର: ଆପଣଙ୍କୁ କେମିତି ପ୍ରଥମେ ଲାଗିଲା ବା ଡିଜିଟାଲ୍ ଟିଚିଂ ଟୁଲକୁ ଆପଣାଇବାରେ କିଛି ଅସୁବିଧା ହେଲା?
ପ୍ରଫେସର ଆର୍ ଏନ୍ ପଣ୍ଡା: ମତେ ବିଶେଷ ଅସୁବିଧା ହେଲାନି। କାହିଁକି ନା ମୁଁ ତ ପ୍ରତିଦିନ ଏମିତିରେ ୪ ଘଣ୍ଟା କ୍ଲାସ୍ କରୁଥିଲି। ଏମିତି ହୋଇଛି ପ୍ରତି ରବିବାର ଦିନ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ୍ କରୁଥିଲି। ଆମେ ନନ୍ଷ୍ଟପ୍ ଏକ୍ସଟ୍ରା କ୍ଲାସ୍ କରୁଥିଲୁ। ବର୍ଷସାରା କରୁଥିଲୁ। ସେଇଟା ଗୋଟେ ଆନନ୍ଦ ଲାଗେ। ମୋ ଜୀବନରେ ପାଠଟା ମତେ ଭଲ ଲାଗେ ଆଉ ପିଲାଙ୍କୁ ଭଲଲାଗେ। ଆଉ ତାଙ୍କ ସଫଳତା ଯେତେବେଳେ ଦେଖେ ବହୁତ ଭଲ ଲାଗେ। ଖାଲି କ୍ଲାସରୁମ୍ରେ ଯୋଉ ଆନନ୍ଦ ଥାଏ ପଢ଼େଇଲା ବେଳେ ଆଉ ପିଲାଙ୍କର ଯୋଉ ପ୍ରତିକ୍ରିୟା ମିଳେ ସେଇଟା ହିଁ ମୁଁ ଏଠି ହୁଏତ ପାଇବିନି। କିନ୍ତୁ ଯେମିତି ପଢ଼େଇବା କଥା ସେମିତି ହିଁ ପଢ଼ୋଉଛି।
ନୀଳାମ୍ବର: ଏବେ ଚାରିଆଡ଼େ ଆମେ ଡିଜିଟାଲ୍ ଲର୍ଣ୍ଣିଂ କଥା କହୁଛନ୍ତି। ଆଜି କରୋନା ଭାଇରସ୍ ଆମକୁ ଯେଉଁଭଳି ଭାବରେ ଓ ଆମ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଛି ତାହା ଚିନ୍ତାର ବିଷୟ। ଆଜି ନିରନ୍ତର ଶିକ୍ଷା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଇ ସମୟରେ ଆପଣଙ୍କ ମନକୁ ଏଇ କଥାଟା ବେଶି ଆସିଲା କି ଯାହାଫଳରେ କି ଆପଣ ଡିଜିଟାଲ ମାଧ୍ୟମକୁ ତୁରନ୍ତ ଆପଣାଇବାକୁ ଚାହିଁଲେ?
ପ୍ରଫେସର ଆର୍ ଏନ୍ ପଣ୍ଡା: ହଁ ସେଇଟା ହିଁ ମୋ ମନକୁ ଆସିଲା। ଏଇ ଯୋଉ ପିଲାମାନେ କଲେଜକୁ ଯାଇପାରିଲେନି ମତେ ବି ନିଜକୁ ବହୁତ ଅଡୁଆ ଅଡୁଆ ଲାଗିଲା। ପାଠପଢ଼ା ବେଳେ ଯୋଉ ଆନନ୍ଦ ମିଳେ ଆଉ ନିଜକୁ ଆମେ ହଜେଇ ଦେଉ ପିଲାମାନଙ୍କ ଭିତରେ ସେଇ ଜିନିଷଟାକୁ ମୁଁ ସବୁବେଳେ ଖୋଜୁଥିଲି। ଆଉ ଯେତେବେଳେ ଏଇ ପିଲାମାନଙ୍କ ଭିତରୁ ଅନୁରୋଧ ଆସିଲା ମୋ ମନରେ କଥାଟା ଜୋର ଧରିଲା। ଚିନ୍ତା ଆସିଲା ଯେ, ଯଦି ଆମେ ୟୁଟ୍ୟୁବ୍ରେ ପାଠଟାକୁ ରଖିଦେଉ ତାହାହେଲେ ପିଲାମାନେ ଯେତେବେଳେ ଚାହିଁବେ ସେତେବେଳେ ଖୋଲିକି ପଢ଼ିପାରିବେ। ଯଦି ନ ବୁଝିପାରିବେ ଗୋଟିଏ ଇପିସୋଡକୁ ସେମାନେ ୫ଥର କି ୬ଥର ଶୁଣିପାରିବେ ବା ନିଜର ନୋଟ୍ ବନେଇ ଦେଇପାରିବେ। ତେଣୁ କରୋନାର ପ୍ରତିଘାତର ଏଇଟା ଗୋଟେ ପ୍ରତିଫଳନ ବୋଲି ମୁଁ ଭାବୁଛି।
ନୀଳାମ୍ବର: ପ୍ରଫେସର୍ ଆର୍ ଏନ୍ ପଣ୍ଡା ଆଉ ଫିଜିକାଲ୍ରୁ ଏବେ ଡିଜିଟାଲ୍ ଏଜୁକେସନକୁ ଆସିଲେ ସେଥିପାଇଁ ଅନେକ ଅଭିନନ୍ଦନ। ତେବେ, ଆପଣ ୟୁଟ୍ୟୁବରେ କେବଳ ଆପଣଙ୍କର ଭିଡିଓ ପୋଷ୍ଟ କରିବେ ନା ଆପଣ ଆହୁରି ଗଭୀରତାକୁ ଯିବାକୁ ଚାହିଁବେ? ଯେ କେହି ଆପଣଙ୍କୁ ପ୍ରଶ୍ନ ପଚାରିବାକୁ ଚାହିଁବେ, ଆପଣଙ୍କ ସହ ଯୋଡ଼ିହେବାକୁ ଚାହିଁବେ, ସେ ବାବଦରେ ଆପଣ କ’ଣ ଭାବିଛନ୍ତି?
ପ୍ରଫେସର ଆର୍ ଏନ୍ ପଣ୍ଡା: ଯୋଉମାନେ ମତେ ମୋ କମେଣ୍ଟ ବକ୍ସରେ ପ୍ରଶ୍ନ ଲେଖୁଛନ୍ତି ମୁଁ ସେମାନଙ୍କୁ ସେହିଦିନ ହିଁ ଉତ୍ତରଟା ରଖିଦେଉଛି। ମୁଁ ଭାବୁଛି ଏ ଚ୍ୟାନେଲଟା ମୁଁ କରିଛି ବୋଲି ଧୀରେ ଧୀରେ ଲୋକ ଜାଣିଯିବେ ଆଉ ମୋ ସହିତ ଯୋଡ଼ି ହୋଇଯିବେ। ଏଇଟା ଗୋଟେ ଫ୍ରି ଚ୍ୟାନେଲ୍। ମୁଁ କୌଣସି ସମୟରେ କୌଣସି ପିଲାଙ୍କଠାରୁ ପଇସା ନେବା ପାଇଁ ଚାହୁଁନି। ଯେତିକି ମୁଁ ପାଠ ଜାଣିଛି ଦେବା ପାଇଁ ଚାହୁଁଛି।
ଆଉ ୟାକୁ ଏଣ୍ଟ୍ରାନ୍ସ ପାଇଁ ଓରିଏଣ୍ଟେସନ୍ କରିବି। ସେତେବେଳେ ମୁଁ ଭାବୁଛି ଲାଇଭ୍ କ୍ଲାସ୍ କରିବି। ପିଲାଙ୍କୁ ଆଗରୁ ଘୋଷଣା କରିଦେବି ଯେ ଅମୁକ ଦିନ ଏତିକି ସମୟରେ କ୍ଲାସ୍ ହେବ ଆଉ ଯୋଉ ପିଲାମାନେ ଚାହୁଁଛନ୍ତି ମୋ ସହିତ ଲିଙ୍କ ହେଇଯିବେ। ସେମାନଙ୍କ ପ୍ରଶ୍ନ ମଧ୍ୟ ମୁଁ ଆଗରୁ ନେଇଯିବି ଆଉ ପଢ଼ାଇବା ସମୟରେ ମୁଁ ତାଙ୍କ ପ୍ରଶ୍ନର ଉତ୍ତର ରଖିପାରିବି। ଏଇଟାକୁ ଆଖି ଆଗରେ ରଖିକି ଯୁକ୍ତ-୨ ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ପିଲାମାନଙ୍କୁ ମୁଁ ଏବେ ଫଣ୍ଡାମେଣ୍ଟାଲଟାକୁ ପଢ଼ୋଉଛି।
ନୀଳାମ୍ବର: ଆଗକୁ ଆପଣ ଭାବିବେ କି ଆଉ ଉପର ଶ୍ରେଣୀର ପିଲାଙ୍କୁ ଡିଜିଟାଲରେ ପଢ଼ାଇବା ପାଇଁ?
ପ୍ରଫେସର ଆର୍ ଏନ୍ ପଣ୍ଡା: ନିଶ୍ଚିତ ଭାବରେ। ମୁଁ ଭାବୁଛି ଏଇ ପ୍ଲସ-୨ ପିଲାଙ୍କର କିଛି ବାଟ ଆଗେଇ ଗଲା ସେ ବିଷୟରେ ଆଭମ୍ଭ କରିବି। ସେତେବେଳକୁ ଯୁକ୍ତ-୩ ପିଲାଙ୍କର ଆଡମିସନ୍ ହୋଇ ସାରିଥିବ। ଏଇ ଧରିନିଅନ୍ତୁ ନଭେମ୍ବର ବେଳକୁ ଯୁକ୍ତ-୩ ପିଲାଙ୍କର କିଛିଟା କୋର୍ସ ନେଇକି କରିବାକୁ ଚାହିଁବି।
ନୀଳାମ୍ବର: ଆପଣ କେମେଷ୍ଟ୍ରି ଏତେ ବଡ଼ ବିଷୟ। ତେଣୁ ଆପଣ ତାକୁ କେମିତି ଚାପ୍ଟରରେ ଭାଙ୍ଗିକି ଛୋଟ ଛୋଟ କ୍ୟାପସୁଲରେ ଉପସ୍ଥାପନ କରୁଛନ୍ତି?
ପ୍ରଫେସର ଆର୍ ଏନ୍ ପଣ୍ଡା: ଦେଖନ୍ତୁ, ମୁଁ ବର୍ତ୍ତମାନ ଆଲକୋହଲ୍ ନେଲି। ଆଲକୋହଲ୍ ଚାପ୍ଟରକୁ ପଢ଼େଇଲି। ମୁଁ ଆଲକୋହଲଟାକୁ ପ୍ଲାନ୍ କରି ୧୨ଟା କ୍ଲାସରେ ପଢ଼େଇବି। ଆଉ ମୁଁ ପ୍ରତି କ୍ଲାସକୁ ମୁଁ ୩୦ ମିନିଟ୍ ରଖିଛି। କାହିଁକି ନା ଅଧିକାଟା ଦେଖିଲେ ପିଲାଙ୍କୁ ଏତେଟା ଆନନ୍ଦ ନ ମିଳିପାରେ। ପ୍ରତି କ୍ଳାସରେ ଗୋଟିଏ ଲେକଚର ସରିଲା ପରେ ପରବର୍ତ୍ତୀ କ୍ଲାସର କ’ଣ ପଢ଼େଇବି ସେହି ଭିଡିଓ ଶେଷରେ ମୁଁ କହିଦେଉଛି। ଏମିତି କରିକି ମୁଁ ପ୍ଲାନ କରୁଛି। ଆଲକୋହଲଟାକୁ ସାରି ସେମିତି ରିଜୋନାନ୍ସକୁ ୩ଟା କ୍ଲାସରେ ସାରିଲି। ଏମିତି ପ୍ଲାନ କରିକି ମୁଁ ଯାଉଛି। ଆଉ ମୁଁ ଦେଖୁଛି ବେଳେ ବେଳେ ପ୍ଲାନଟା ଟିକେ ଲମ୍ବା ହେବାକୁ ପଡ଼ୁଛି କାହିଁକି ନା ପିଲାମାନେ ତ ମୋ ଆଗରେ ନାହାନ୍ତି, ଘରେ ଅଛନ୍ତି, ତେଣୁ କେତେ ବୁଝୁଛନ୍ତି ମୁଁ ଜାଣିପାରୁନି। ଏଣୁ ମୁଁ ବିସୃତ ଭାବେ ବ୍ଲାକବୋର୍ଡରେ ସବୁ ଜିନିଷ ଲେଖୁଛି ଯୋଉଟାକୁ ପିଲାମାନଙ୍କୁ ବୁଝିପାରିବେ। ଏଣୁ ଭାଗ ଭାଗ କରିକି ଗୋଟେ ଚାପଟରକୁ ମୁଁ କରିଯାଉଛି।
ନୀଳାମ୍ବର: ଯେଉଁମାନେ ଆପଣଙ୍କ ଚ୍ୟାନେଲ୍ ଦେଖୁଛନ୍ତି ବା ଆଗାମୀ ଦିନରେ ଦେଖିବେ ସେମାନେ କେମିତି ଏଥିରୁ ଫାଇଦା ପାଇବେ, ଆପଣ ସେମାନଙ୍କୁ କ’ଣ ମେସେଜ୍ ଦେବେ?
ପ୍ରଫେସର ଆର୍ ଏନ୍ ପଣ୍ଡା: ମୁଁ ସେମାନଙ୍କୁ ଏଇୟା ଅନୁରୋଧ କରିବି ଯେ ସେମାନେ ଯଦି ୟୁଟ୍ୟୁବ୍ରେ ‘କେମେଷ୍ଟ୍ରି ଆର୍ ଏନ୍ ପଣ୍ଡା’ ସର୍ଚ୍ଚ କରିବେ ମତେ ପାଇବେ। ଚ୍ୟାନେଲ୍ ଆରମ୍ଭରେ ମୁଁ ଯୋଉ ଠାକୁରଙ୍କୁ ପୂଜା କରେ ସେହି ନୃସିଂହ ଠାକୁରଙ୍କ ମନ୍ତ୍ରଟା ଆସୁଛି। ସେ ହେବ ମୋର ଚ୍ୟାନେଲର ଆଇଡିଣ୍ଟିଫିକେସନ୍। ଆଉ କିଛି ଇଣ୍ଟ୍ରଡକ୍ସନ ମୁଁ ଦେଉନି କେବଳ ଏଇ ମନ୍ତ୍ରପାଠ ହିଁ ଦେଉଛି। ସେମାନେ ଥରେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବେ କରିଦେବେ ମୋର ସବୁ କ୍ଲାସ ବାବଦରେ ସେମାନେ ନୋଟିଫିକେସନ୍ ପାଇଯିବେ। ମୋର ଅନୁରୋଧ ରହିବ ସବୁ ଭାଇଭଉଣୀମାନଙ୍କୁ ବା ଛାତ୍ରଛାତ୍ରୀମାନଙ୍କୁ, ଅଭିଭାବକମାନଙ୍କୁ ସେମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଅନ୍ୟମାନଙ୍କୁ ବି ଜଣାନ୍ତୁ। ମୋର ଏଇ ଅନୁଭୂତିଟା ସେମାନେ ଉପକାରରେ ଲଗେଇବେବୋଲି ମୋର ଅନୁରୋଧ।
ନୀଳାମ୍ବର: ସାର୍, ମୁଁ ଯେତେବେଳେ ବିଜେବି କଲେଜରେ ପ୍ଲସ ଟୁ ସାଇନ୍ସ ପଢ଼ୁଥିଲି, ପ୍ରଫେସର୍ ଆର ଏନ୍ ପଣ୍ଡା ଗୋଟେ ସ୍ମାର୍ଟ ବା ଆଧୁନିକ ସ୍କୁଟର ନେଇ କି ଆସୁଥିଲେ। ଅବସର ପରେ ବି ଆଜି ଆର ଏନ୍ ପଣ୍ଡା ଡିଜିଟାଲ୍ ଟିଚିଂ ମଡେଲକୁ ଆସିଛନ୍ତି। ସେଥିପାଇଁ ମୁଁ ଆପଣଙ୍କୁ ଆଉ ଥରେ ଅଭିନନ୍ଦନ ଜଣାଉଛି। ମୁଁ ବ୍ୟକ୍ତିଗତ ଭାବରେ ଚାହିଁବି ଯେ ଆପଣଙ୍କ ଜ୍ଞାନ ଓ ଅନୁଭୂତି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
ପ୍ରଫେସର ଆର୍ ଏନ୍ ପଣ୍ଡା: ଧନ୍ୟବାଦ। ନମସ୍କାର।