ନୀଳାମ୍ବର ରଥ

ବିଶେଷଜ୍ଞଙ୍କ କହିବା କଥା, ଯଦି ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଏ ତେବେ ୧୫ ଦିନ ମଧ୍ୟରେ କରେନାକୁ ସୀମିତ ରଖିବାରେ ଆମେ ହୁଏତ ସକ୍ଷମ ହୋଇପାରିବା!

କରୋନା ଭାଇରସ୍‌କୁ ନେଇ ରାଜ୍ୟରେ ଏବେ ଏକ ପ୍ରକାର ନୂଆ ସ୍ଥିତି ଦେଖିବାକୁ ମିଳୁଛି। ଯଦିଓ ଏଠାରେ କରୋନା ପଜିଟିଭ୍ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି, ତେବେ ଏହା କମ୍ୟୁନିଟି ବା ଗୋଷ୍ଠୀ ସଂକ୍ରମଣର ରୂପ ନେବା ଆରମ୍ଭ କରିଛି। ସରକାର ମାନନ୍ତୁ କି ନାହିଁ, ଏହି ସଂକ୍ରମଣର ଚିତ୍ର ଭୁବନେଶ୍ଵରରେ ଦେଖିବାକୁ ମିଳିଛି। ଗୋଷ୍ଠୀ ସ୍ତରରେ କରୋନାକୁ ରୋକ୍‌ ଦେବାର ସବୁଠାରୁ ବଡ଼ ଅସ୍ତ୍ର ଲକ୍‌ଡାଉନ୍‌ ବୋଲି କହିଛନ୍ତି ପ୍ରବାସୀ ଓଡ଼ିଆ ଡାକ୍ତର ପିନାକୀ ପାଣିଗ୍ରାହୀ।

ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ଆମେରିକାର ପ୍ରବାସୀ ଓଡ଼ିଆ ଡାକ୍ତର, ବିଶିଷ୍ଟ ପବ୍ଲିକ ହେଲଥ୍ ଏକ୍ସପର୍ଟ ତଥା ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ପ୍ରେସିଡେଣ୍ଟ ଡାକ୍ତର ପିନାକୀ ପାଣିଗ୍ରାହୀଙ୍କ କହିଛନ୍ତି ଯେ, ମହାମାରୀ କରୋନା ଭାଇରସ୍‌ର ନିୟନ୍ତ୍ରଣ ପାଇଁ ସଂକ୍ରମଣର ଚେନ୍‌କୁ ଆଗେ କାଟିବା ଦରକାର। ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କଲେ ଏହା ସମ୍ଭବ ହୋଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।

କିଛିଦିନ ତଳେ ଭୁବନେଶ୍ଵରର ସୂର୍ଯ୍ୟନଗର ଅଞ୍ଚଳରେ ଗୋଟିଏ ଛାତ ତଳେ ୮ଟି କେସ୍‌ ଏବଂ ବମିଖାଲରେ ୧୮ ପଜିଟିଭ୍‌ ଆସିବା ପରେ ଓଡ଼ିଶାରେ କରୋନାର ପ୍ରଭାବ ଏକ ନୂଆ ସ୍ତରକୁ ଚାଲିଯାଇଛି। ଡକ୍ତର ପାଣିଗ୍ରାହୀଙ୍କ କହିବା କଥା ହେଲା, କମ୍ୟୁନିଟି ବା ଗୋଷ୍ଠୀ ସଂକ୍ରମଣର କୌଣସି କନଫ୍ରମ୍ କେସ୍ ଥାଉ ବା ନଥାଉ ଅନେକଗୁଡ଼ାଏ ଜିନିଷ ଆମକୁ ଏଭିଡେନ୍ସ ବେସ୍‌ରେ ଯିବାକୁ ପଡ଼ିବ। କିଛି କମନ୍ ସେନ୍ସ, କିଛି କ୍ଲିନିକାଲ୍ କେସ୍ ୟୁଜ୍ କରି ବି ଭାବିବାକୁ ପଡ଼ିବ ଯେ ଏହି ରୋଗ କେଉଁଆଡକୁ ଯାଉଥାଇପାରେ। ସେହି ଅନୁଯାୟୀ ଆମକୁ କାମ କରିବାକୁ ହେବ। ଏଭଳି ମହାମାରୀକୁ ଚେକ୍‌ ଦେବାକୁ ପବ୍ଲିକ୍‌ ହେଲଥ୍‌ ସହ ପଲିଟିକ୍ସ (ବା ସରକାର) ଏବଂ ପଲିସି (ପ୍ରଶାସନ) ଗୋଟିଏ ରାସ୍ତାକରେ ଯିବାକୁ ପଡ଼ି ବୋଲି ସେ କହିଛନ୍ତି।

ଆମେରିକାରେ କମ୍ୟୁନିଟି ସ୍ପ୍ରେଡ୍ ଅନେକ ଦିନରୁ ଆରମ୍ଭ ହେଲାଣି। କିନ୍ତୁ ଲିଡରସିପ୍‌ର ଅଭାବ ଯୋଗୁଁ ବର୍ତ୍ତମାନ ଆମେରିକାର ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ବିଗିଡ଼ିଯାଇଛି ବୋଲି ଆପଣ କହିପାରନ୍ତି। ଆଉ ତାହାର ଗୋଟିଏ ପୂରା ଅନ୍ୟ ପଟରେ ରହିଛି ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା। ଆମର ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ହେଉ ବା ରାଜ୍ୟର ଲିଡରସିପ୍ ସେଥିରେ ଯାହା ସମ୍ଭବ କରାହେଇଛି। କହିବାର ଉଦ୍ଦେଶ୍ୟ ହେଉଛି ଯେଉଁଠି ଯେତେବେଳେ କମ୍ୟୁନିଟି ଇନଫେକ୍ସନ ହୋଇଛି ସେତେବେଳେ ସେଠାରେ ତାକୁ କିଭଳି ମୁକାବିଲା କରାଯାଇଛି, ତା’ ଉପରେ ଆମର ସଫଳତା ବା ବିଫଳତା ନିର୍ଭର କରୁଛି”, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଡାକ୍ତର ପାଣିଗାହୀ।

କରୋନା ଭଳି ଗୋଟେ ମହାମାରୀକୁ ରୋକିବା ପାଇଁ ଲକ୍‌ଡାଉନ୍ ସବୁଠାରୁ ବଡ଼ ସମାଧାନ କି? ଏ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ପିନାକୀ ପାଣିଗ୍ରାହୀ କହନ୍ତି, “ନିଶ୍ଚିତ ଭାବେ। ଲକଡାଉନ୍ ସବୁଠୁ ବଡ଼ ସମାଧାନ। ତା’ ସାଙ୍ଗେ ସାଙ୍ଗେ ଆମକୁ ଟେଷ୍ଟିଙ୍ଗ୍ ବି କରିବାକୁ ପଡ଼ିବ। କିନ୍ତୁ ଏ ଲକ୍‌ଡାଉନ୍ ଆପଣଙ୍କୁ ମାସ ମାସ କି ବର୍ଷ ବର୍ଷ କରିବାକୁ ପଡ଼ିବନି। ବାସ୍ତବରେ ଯଦି ଦୁଇ ସପ୍ତାହ ଷ୍ଟ୍ରିକ୍ଟଲି ଲକ୍‌ଡାଉନ୍ କରାଯାଏ ତାହାହେଲେ ଯୋଉଠି ଇନଫେକ୍ସନ ଥିବ ତାହା ସୀମିତ ହୋଇ ରହିବ। ପରେ ଆମକୁ ଦେଖିବାକୁ ପଡ଼ିବ ଯେ କେଉଁଠି ଆମେ ଲକ୍‌ଡାଉନ୍‌ ସମୟସୀମା ବଢ଼ାଇବା ଉଚିତ ହେବ କି ନାହିଁ।”

coronaଲକ୍‌ଡାଉନ୍‌ର ଗଣିତ ଅତି ସରଳ। ଧରନ୍ତୁ ଗୋଟିଏ ପରିବାରରେ ଜଣେ ଇନଫେକ୍ଟେଡ୍ ଅଛନ୍ତି ବା ଗୋଟିଏ ସାହିରୁ ବା ଯେ କୌଣସି ଜାଗାରୁ ୫ ଜଣ ଇନଫେକ୍ଟେଡ୍ ହୋଇଛନ୍ତି; ସେମାନେ ଯଦି ସେଇଠି ରଖିବେ ଦୁଇ ସପ୍ତାହ ଭିତରେ ତା’ ଭିତରୁ ଜଣେ ଦୁଇଜଣଙ୍କ ଉପରେ ରୋଗର ପ୍ରଭାବ ରହିପାରେ। ତା’ ଭିତରୁ କିଛି ଜଣ ସିରିୟସ୍ ହୋଇ ଡାକ୍ତରଖାନା ଯାଇପାରନ୍ତି ବା ତା’ ଭିତରୁ କାହାର ମୃତ୍ୟୁ ବି ହୋଇପାରେ। କିନ୍ତୁ ସେଇ ଯୋଉ ଦୁଇଜଣ ପାଞ୍ଚଜଣ ବା ଦଶଜଣ କରୋନା ସଂକ୍ରମଣ ତାଙ୍କଠାରୁ ଅଧିକ ଲୋକଙ୍କୁ ଯିବନି। ଯଦି ସେଇଟା ଆପଣ ନ କଲେ, ତେବେ ସେଇଟା ପାଞ୍ଚଜଣଙ୍କ ଜାଗାରେ ୧୦ ଜଣ ବା ୫୦ ଜଣଙ୍କ ପାଖକୁ ଯିବ କି? ଉତ୍ତର ହେଉଚି ନା। ବରଂ ସେଇଟା ସାଙ୍ଗେ ସାଙ୍ଗେ୍ ଏକ୍ସପୋନିସିଆଲି ବଢ଼ିବ। ଅର୍ଥାତ୍‌ କିଛିଦିନ ମଧ୍ୟରେ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ଚାଲିଯିବ। ଆଉ ସେହି ସମୟରେ ତାକୁ ରୋକିବାର କୌଣସି ଉପାୟ ନଥିବ।

ଆଜି ଇଟାଲି, ଜର୍ମାନୀ ବା ଆମେରିକାରେ ଯେଉଁଭଳି ଅବସ୍ଥା ସୃଷ୍ଟି ହୋଇଛି ତାହା ସାରା ପୃଥିବୀର ଲୋକଙ୍କ ଭିତରେ ଏକପ୍ରକାରେ ଭୟ ସୃଷ୍ଟି କରିଛି। ସେଭଳି କମ୍ୟୁନିଟି ସ୍ପ୍ରେଡକୁ ଭାରତରେ ହେବ ନାହିଁ ତ? ଆମ ଦେଶରେ ଏବେ ଯୋଉ ୨୧ ଦିନିଆ ଲକ୍‌ଡାଉନ୍ ହୋଇଛି ଏବଂ ଆମେ ଓଡ଼ିଶାରେ ପ୍ରାୟ ଦେଖୁଛୁ ବିଭିନ୍ନ ଜାଗାରେ ଲୋକମାନେ ତାହା ପାଳନ କରୁଛନ୍ତି, ସେଥିରୁ ଆମକୁ ବଡ଼ ଫାଇଦା ମିଳିବ ତ? ଘରେ ଘରେ ଆଜି ଲୋଙ୍କ ମନରେ ଏହି ପ୍ରଶ୍ନ।

ଏ ପ୍ରସଂଗରେ ଡାକ୍ତର ପିନାକୀ ପାଣିଗ୍ରାହୀ କହନ୍ତି, “କମ୍ୟୁନିଟି ସ୍ପ୍ରେଡ୍ ନିଶ୍ଚିତ ରହିବ। କିନ୍ତୁ କେତେ ପରିମାଣରେ ହେବ ଏବଂ ଆମେ କିପରି ତା’ର ମୁକାବିଲା କରିବା ତହା ହେଉଛି ବଡ଼ କଥା। ତେବେ ଏଥିରେ ଗୋଟାଏ ଜିନିଷ ଦେଖିବା କଥା ଯେ, ଯୋଉମାନଙ୍କୁ ଇନଫେକ୍ସନ୍ ହେଉଛି ସେମାନେ ସମସ୍ତେ ରୋଗାକ୍ରାନ୍ତ ହେଉନାହାନ୍ତି। ଇନଫେକ୍ସନ ସେମାନଙ୍କ ଦେହକୁ ଯାଉଛି କିନ୍ତୁ ଗୋଟିଏ ଛୋଟ ପର୍ସେଣ୍ଟେଜ୍ ତା’ ଭିତରୁ ରୋଗାକ୍ରାନ୍ତ ହେବେ ଏବଂ ସାମାନ୍ୟ ଚିକିତ୍ସାରେ ବି ଭଲ ହେବେ। ଅନେକଙ୍କୁ ହସ୍ପିଟାଲକୁ ବି ଯିବାକୁ ଦରକାର ନ ପଡ଼ିପାରେ। ସମସ୍ତଙ୍କୁ ଭେଣ୍ଟିଲେଟର୍ ବି ଦରକାର ନ ପଡ଼ିପାରେ। ଅତି ଗୁରୁତର ରୋଗୀ ହେବେନି ସେମାନେ। ତେଣୁ ଏହି ରୋଗକୁ ଦେଖି ଡରିଯିବାର ଏହାର ସମାଧାନ ନୁହେଁ।”

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment