ନୀଳାମ୍ବର ରଥ

corona-virus-test

ମହାମାରୀ କରୋନା ଭୂତାଣୁର ସଂକ୍ରମଣ ନେଇ ଚାରିଆଡ଼େ ସଚେତନତା। ଆଗରୁ ଆମେ ଚୀନ୍‌ରେ ପ୍ରତିଦିନ କ’ଣ ହେଲା ବୋଲି ଖବର ଜାଣିବାକୁ ଚାହୁଁଥିଲୁ। ସତ, ମିଛ ଓ ଗୁଜବ – ଏହିଭଳି ବହୁତ କଥା ବିଶେଷକରି ସୋସିଆଲ୍ ମିଡିଆରେ ଘୂରି ବୁଲୁଥିଲା। ଅନେକ ଲୋକ ତ ତାକୁ ବେଶ୍ ମଉଜରେ ଦେଖୁଥିଲେ ଓ ହାତକୁ ହାତ ହ୍ୱାଟସ୍‌ଆପ୍‌ରେ ସେୟାର୍ କରୁଥିଲେ। ଏବେ ସେ ଲୋକଙ୍କ ପାଖରେ ପହଞ୍ଚିଯାଇଛି କରୋନା!

ଦିନେ ପୃଥିବୀର ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶ ଭିତରେ ଅନେକ ଦୂରତା ଥିଲା। ଆମେ କେବଳ ବସୁଧୈବ କୁଟୁମ୍ବକମ୍ କଥା କହି ପୃଥିବୀକୁ, ଅର୍ଥାତ୍ ସମଗ୍ର ମାନବ ଜାତିକୁ ଏକ ବୋଲି କହି ଆସୁଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ବିଜ୍ଞାନର ପ୍ରସାର ଫଳରେ ଦୁନିଆ ଆପେ ଆପେ ଛୋଟ ହୋଇଗଲା। ଦେଶ ଦେଶ ଭିତରେ ଥିବା ଭୌଗୋଳିକ ସୀମା ରେଖାର ବାସ୍ତବିକ କିଛି ଅର୍ଥ ରହିଲା ନାହିଁ। ସତରେ ସାରା ପୃଥିବୀ ଗୋଟିଏ ହୋଇଗଲା।

କିନ୍ତୁ ଏବେ ସାରା ପୃଥିବୀକୁ ଗୋଟିଏ ବେମାରୀ ଘାଇଲା କରିଦେଲା। ଚୀନ୍‌ରୁ ଆରମ୍ଭ ହୋଇଥିବା ନଭେଲ୍ କରୋନା ଭାଇରସ୍ ବା କୋଭିଡ୍ -19 ଇଟାଲୀ ବାଟଦେଇ ଆସି ଓଡ଼ିଶାରେ ପହଞ୍ଚିଗଲା। ଯେଉଁ ଓଡ଼ିଆ ଲୋକେ ପଖାଳ ଖାଇ ପେଟରେ ହାତ ବୁଲେଇ ‘ହ’, କରୋନା ଆମର ଘୋଡ଼ାଟା କରିବ’ ବୋଲି କହୁଥିଲେ ଏବେ ଧୀରେ ଧୀରେ ସେମାନଙ୍କ ମନରେ ଛନକା ପଶିଲାଣି। ସମସ୍ତେ ବୁଝିଗଲେଣି ଯେ କରୋନାକୁ କିଛିଦିନ ପାଇଁ ଦୂରେଇ ରଖିବା ବା କରୋନାର ପ୍ରଭାବକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ଛଡ଼ା ଅଧିକ କିଛି ହୁଏତ କରିହେବ ନାହିଁ।

ଖୁସିର କଥା ଓଡ଼ିଶା ସରକାର କରୋନା ମାମଲାରେ ଠିକଣା ସମୟରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସାମାଜିକ ଦୂରତା ଉପରେ ସବୁଠାରୁ ଅଧିକ ଜୋର୍‌ ଦିଆଯାଉଛି। ସ୍କୁଲ, କଲେଜ୍, ମଲ୍, ପାର୍କ, ସଭାସମିତି ବନ୍ଦ ହେବା ପରେ ଏବେ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଛି। ଧାର୍ମିକ ସ୍ଥଳକୁ ଆଗ ଭଳି ଯିବାଆସିବା କରିବା ଉପରେ ବାରଣ କରାଯାଇଛି। ସାବୁନ୍‌ରେ ହାତ ଧୋଇବା, କାଶ, ଛିଙ୍କ ବା ସର୍ଦ୍ଦି ହୋଇଥିବା ଲୋକଙ୍କଠାରୁ ଦୂରରେ ରହିବା, କୌଣସି ସଭାସମିତି ଏପରିକି ବିବାହ, ବ୍ରତଘର କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି। ଲୋକେ ମଧ୍ୟ ତାହା ପାଳନ କରୁଥିବା ଦେଖିବାକୁ ମିଳୁଛି। ଭଲ କଥା।

କରୋନାକୁ ଆମେ ଏପର୍ଯ୍ୟନ୍ତ କେବଳ ଏକ ସ୍ୱାସ୍ଥ୍ୟ ମହାମାରୀ ବୋଲି ବୁଝିଛୁ। କିନ୍ତୁ କରୋନା ଆଗାମୀ କିଛି ମାସ ଭିତରେ ସାରା ପୃଥିବୀକୁ ଦୋହଲାଇ ଦେବାକୁ ଯାଉଛି। କାରଣ କରୋନା ଧନୀ ଓ ଗରିବ ଭିତରେ କୌଣସି ଫରକ ଦେଖିବ ନାହିଁ। ଘର ଓ ଅଫିସ୍ ଭିତରେ ମଧ୍ୟ କରୋନା କୌଣସି ତାରତମ୍ୟ ବୁଝିବ ନାହିଁ। ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସହ ସାମାଜିକ ଏବଂ ଅର୍ଥନୈତିକ ବିଭାଗ ଉପରେ କରୋନାର ଯେଉଁ ମସ୍ତବଡ଼ ମାଡ଼ ପଡ଼ିବାକୁ ଯାଉଛି ତାକୁ ସମ୍ଭାଳିବା ପାଇଁ ବହୁତ ବଡ଼ କଲିଜା ଦରକାର।

ଆମେରିକା, ଇଟାଲି ଓ ଫ୍ରାନ୍ସ ଭଳି ବିକଶିତ ଦେଶଗୁଡ଼ିକ ଚିନ୍ତାରେ ପଡ଼ିଗଲେଣି। କାରଣ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ, କରୋନା ଆରମ୍ଭ କରିସାରିଲାଣି ସବୁଠାରୁ ବଡ଼ ଆର୍ଥିକ ଆହ୍ୱାନ। ଅଫିସ୍ ବନ୍ଦ, ଦୋକାନ ବଜାର ବନ୍ଦ ଅତଏବ କାମ ଧନ୍ଦା ବନ୍ଦ। ହଜାର ହଜାର ଲୋକ ଚାକିରି ହରାଇ ସାରିଲେଣି। ଆଗାମୀ ଛଅ ମାସ ମଧ୍ୟରେ ଶହ ଶହ ଶିଳ୍ପାନୁଷ୍ଠାନ ବା ଘରୋଇ ବ୍ୟବସାୟିକ ସଂସ୍ଥା ବନ୍ଦ ହେବା ଭଳି ଦେଖାଗଲାଣି। ତେଣୁ ଏଇ ଯେଉଁ ବଡ଼ ଆର୍ଥିକ ମହାମାରୀ ଆସି ପୃଥିବୀ ସାମ୍ନାରେ ପହଞ୍ଚିଯାଇଛି ତା’ର କିଭଳି ମୁକାବିଲା କରାଯିବ ବଡ଼ ବଡ଼ ଲୋକଙ୍କୁ ବା ବଡ଼ ବଡ଼ ସରକାରଙ୍କୁ ମଧ୍ୟ ବୁଦ୍ଧି ବାଟ ଦେଖାଯାଉନାହିଁ।

କେବଳ ସ୍ୱାସ୍ଥ୍ୟ ବା ଆର୍ଥିକ ସମସ୍ୟାର କଥା ନୁହେଁ କରୋନା ମଧ୍ୟ ସାଂଘାତିକ ମାନସିକ ସମସ୍ୟା ତିଆରି କରିବାକୁ ଯାଉଛି। ଘରେ ଘରେ ଲୋକ ଅସୁସ୍ଥ ରହିଲେ, କେହି କେଉଁଠି ଅକାଳରେ ଚାଲିଗଲେ ଏବଂ ଚାକିରି ବାକିରି ବା ବ୍ୟବସାୟ ପ୍ରଭାବିତ ହେବା ଫଳରେ ପକେଟକୁ ପଇସା ନ ଆସିଲେ ତା’ର ବଡ଼ ପ୍ରଭାବ ପ୍ରଥମେ ପଡ଼ିବ ମନ ଉପରେ। ତେଣୁ ଡାକ୍ତରମାନେ ବିଶେଷକରି ମନୋବିଜ୍ଞାନୀମାନେ କରୋନା ପ୍ରଭାବିତ ମାନସିକ ସମସ୍ୟା ବା ମାନସିକ ରୋଗ କଥା ଏବେଠାରୁ ଅନୁମାନ କଲେଣି।

ସାମାଜିକ ଦୂରତା ହିଁ କରୋନାକୁ ଗୋଷ୍ଠୀ ବା ସମାଜଠାରୁ ଦୂରରେ ରଖିପାରିବ। ଅବଶ୍ୟ ସମ୍ପୂର୍ଣ୍ଣ ରୋକିପାରିବ ନାହିଁ। କରୋନାର ପ୍ରଭାବକୁ ହୁଏତ କମାଇଦେଇପାରିବ। ତେଣୁ ଘରେ ଘରେ ଏବଂ ଅଫିସ୍ ବା ବ୍ୟବସାୟିକ ଅନୁଷ୍ଠାନରେ ସାମାଜିକ ଦୂରତା ପାଳନ କରିବା ଆଜିର ଦିନରେ ସବୁଠାରୁ ବଡ଼ ଧର୍ମ ବୋଲି ବିଚାର କରିବାକୁ ହେବ। ତା’ ଛଡ଼ା ଆଗାମୀ ଦିନରେ ଯେଉଁ ବିରାଟ ସ୍ୱାସ୍ଥ୍ୟ, ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ତା’ର ମୁକାବିଲା ପାଇଁ ମଧ୍ୟ ମନୋବଳ ଦୃଢ଼ କରିବାକୁ ହେବ।

କରୋନାକୁ ଡରିଲେ ଚଳିବ ନାହିଁ। କାରଣ ଭୟ କଦାପି ଏହାର ସମାଧାନ ନୁହେଁ। ତେଣୁ ଘରେ ଘରେ, ପରିବାରର ସବୁ ସଦସ୍ୟ ସମସ୍ୟାକୁ ବୁଝି ଏକ ମନ ହୋଇ ଏହି ବିଶ୍ୱ ମହାମାରୀ ବା ମହାବିପତ୍ତିର ମୁକାବିଲା କରିବାକୁ ପଡ଼ିବ!

ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶାଲାଇଭର ମୁଖ୍ୟ ସମ୍ପାଦକ

Comment