ଓଡିଶାଲାଇଭ୍ ବ୍ୟୁରୋ

କଟକ: ନା ପ୍ରଜ୍ଵଳିତ ହେଉଛି ଦୀପ ନା ଜମୁଛି ସାହିତ୍ୟ ଆସର। ଅଭିଭାଷଣ, ଘୁଙ୍ଗୁରର ରୁଣୁଝୁଣୁ ଶଦ୍ଦ ବି ନିରବି ଯାଇଛି। ସନ୍ଧ୍ୟା ହେଲେ ନାଚ, ଗୀତ, କବିତା ପାଠ ଏବଂ ଆଲୋଚନାଚକ୍ରରେ ଫାଟି ପଡୁଥିବା ସଂସ୍କୃତିର ସହର ପୂରା ଶାନ୍ତ ପଡ଼ିଯାଇଛି। କରୋନା ପ୍ରଭାବରେ ୫ ମାସ ହେଲା ବନ୍ଦ ପଡ଼ିଛି ସହରରେ ଥିବା ଅନେକ ସାଂସ୍କୃତିକ ଓ ସାହିତ୍ୟିକ ପ୍ରତିଷ୍ଠାନ। ଯଦିଓ ୱେବିନାର୍ ଏକ ମାଧ୍ୟମ ସାଜିଛି ତେବେ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା ବିକଳ୍ପ ହୋଇପାରିବନି ବୋଲି କିଛି ସାହିତ୍ୟିକ ମତବ୍ୟକ୍ତ କରିଛନ୍ତି।

ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସାହିତ୍ୟ ସଂସ୍କୃତିର ରାଜଧାନୀ କୁହାଯାଉଥିବା କଟକ ସହରରେ ବର୍ଷକ ବାରମାସ ଅନେକ କାର୍ଯ୍ୟକ୍ରମ ହୋଇଥାଏ। ଚୌଧୁରୀ ବଜାରସ୍ଥିତ ସହିଦ୍ ଭବନ, ଟାଉନ୍ ହଲ୍‌, ମିଶନ୍ ରୋଡ୍ ନିକଟ କଳା ବିକାଶ କେନ୍ଦ୍ର, ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଦେଶବିଦେଶର କଳାକାରଙ୍କୁ ନେଇ ଆନ୍ତର୍ଜାତିକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ।ଏଥିସହ ଚୌଧୁରୀ ବଜାରସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ଓ ଶତାବ୍ଦୀ ଭବନରେ ବର୍ଷ ସାରା ସାହିତ୍ୟ, କବିତା ଓ ଗଳ୍ପର ଆସର ଜମିଥାଏ। ଏଥିରେ ଜ୍ଞାନର ଆଦାନପ୍ରଦାନ ମଧ୍ୟ ହୋଇଥାଏ। ମାତ୍ର କରୋନା ପାଇଁ ସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି। ଯାହାଫଳରେ ସହରରେ ଥିବା ୬ରୁ ଅଧିକ ପ୍ରତିଷ୍ଠାନରେ ତାଲା ପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଶହ ଶହ କର୍ମଚାରୀ ହାତ ବାନ୍ଧି ବସିଛନ୍ତି।

କେବେ ପୁଣି ପୂର୍ବାବସ୍ଥା ଫେରିବ ତାହା ମଧ୍ୟ କହି ହେଉନାହିଁ। ସଭା ସମିତି ବନ୍ଦ ଥିବାରୁ ସାହିତ୍ୟର ପ୍ରଚାର ପ୍ରସାର ପୂରା ଠପ୍ ହୋଇଯାଇଛି। ଲୋକଙ୍କ ମାନସିକ ଅବସ୍ଥା ଭଲ ନାହିଁ। ଖାସ୍‌କରି କବି, ସମାଲୋଚକଙ୍କ ମଧ୍ୟରେ ନିଃସଙ୍ଗତା ବୃଦ୍ଧି ପାଉଛି। ସରକାର ଏ ଦିଗରେ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି ଉତ୍କଳ ସାହିତ୍ୟ ସମାଜର ଉପସଭାପତି ସଞ୍ଜିତ ପଟ୍ଟନାୟକ।BGUଯେଉଁଠି ଦେଶବିଦେଶର ଶାସ୍ତ୍ରୀୟ କଳା ସଂସ୍କୃତି ଝଟକୁଥିଲା ତାହା ଏବେ ନିସ୍ତବ୍ଦ ପାଲଟିଛି। କାର୍ଯ୍ୟକ୍ରମ ହେଉନଥିବାରୁ ଅନୁଦାନ ମଧ୍ୟ ମିଳୁନି। କେବିକେରେ ବିଦ୍ୟୁତ ସେବା ମଧ୍ୟ କାଟି ଦିଆଯାଇଛି। ସରକାର ଏଥିପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରିବାକୁ କଳା ବିକାଶ କେନ୍ଦ୍ର ଉପସଭାପତି ରାଧାମୋହନ ସାହୁ କହିଛନ୍ତି।

Comment