ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲା ରେଡ୍ ଜୋନରେ।

ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇ ବଢ଼ିଚାଲିଛି। ପ୍ରତିଦିନ ପାଖାପାଖି ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଛୁଇଁବାକୁ ବସିଲାଣି। ଯାହାର ଫଳସ୍ୱରୂପ ରାଜ୍ୟର ୩୦ଟି ଜିଲ୍ଲା ଭିତରୁ ୨୮ ଜିଲ୍ଲା ଏବେ ବି ରେଡ୍ ଜୋନରେ ରହିଛି।

ରାଜ୍ୟର ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି। ଏହି ସବୁ ଜିଲ୍ଲାମାନଙ୍କରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଉପରେ ଥିବାରୁ ଏହାକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି।ଦେବଗଡ଼ ଜିଲ୍ଲାରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଥିବାବେଳେ ନୂଆପଡ଼ା ଜିଲ୍ଲାରେ ଏହି ସଂଖ୍ୟା ୨୯ ରହିଛି। ହେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଉପରେ ରହିଛି। ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ୫୫୨୭ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଏହା ପଛକୁ କଟକରେ ୨୩୯୯ ଓ ଗଞ୍ଜାମରେ ୧୮୭୦ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ

ଓଡ଼ିଶାରେ ଏବେ ୨୮ଟି ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି। ହେଲେ ଏହି ଜିଲ୍ଲାମାନଙ୍କର ତାଲିକାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାରେ ଏବେ ବି ୫୫୨୭ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ମୋଟ ପଜିଟିଭ୍ ସଂଖ୍ୟା ୧୨ ହଜାର ଟପିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କୁହାଯାଉଛି।BGU

ଗ୍ରୀନ୍ ଜୋନରେ ଦେବଗଡ଼, ନୂଆପଡ଼ା ଜିଲ୍ଲା

ରାଜ୍ୟରେ ଏବେ କେବଳ ଦୁଇଟି ଜିଲ୍ଲା ଦେବଗଡ ଓ ନୂଆପଡ଼ା ଗ୍ରୀନ୍ ଜୋନରେ ରହିଛନ୍ତି। ଦେବଗଡ଼ରୁ ଏଯାବତ ମୋଟ ୧୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୨୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ସେହିପରି ନୂଆପଡ଼ାରୁ ଏପର୍ଯ୍ୟନ୍ତ ୩୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭିତରୁ ୨୯୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୯ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ତେଣୁ ଏହି ଦୁଇ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିବାରୁ ଏହାକୁ ଗ୍ରୀନ୍ ଜୋନରେ ସାମିଲ୍ କରାଯାଇଛି।

Comment