ଓଡ଼ିଶାଲାଇଭ୍ ବ୍ୟୁରୋ

- ୩୦ ପ୍ରତିଶତ କମିଲା ସିଲାବସ
- ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ
- ଖୁବଶୀଘ୍ର ୱେବସାଇଟରେ ଅପଲୋଡ୍ ହେବ ବୋଲି ସୂଚନା ଦେଲେ ମନ୍ତ୍ରୀ
କରୋନା ପାଇଁ ଏଥରର ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ ହ୍ରାସ କରି ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
୩ଟି କମିଟିର ସୁପାରିସ୍ ଆଧାରରେ ଏଥରର ସିଲାବସ କମିଛି। ଯାହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ସୁବିଧା ହେବ ବୋଲି କୁହାଯାଇଛି। ତେବେ ରାଜ୍ୟ ସଂପର୍କିତ ଅନେକ ବିଷୟ ସିଲାବସରେ ରଖାଯାଇଛି। ଏହି ନୂଆ ସିଲାବସ ଖୁବଶୀଘ୍ର ୱେବସାଇଟରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
କରୋନା ପାଇଁ ଚଳିତବର୍ଷ ପିଲାମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏଯାଏଁ ସ୍କୁଲ, କଲେଜ ମଧ୍ୟ ଖୋଲିନାହିଁ। ଅନ୍ୟପଟେ ଅନଲାଇନ ମାଧ୍ୟମରେ ପାଠପଢ଼ା ଚାଲିଥିଲେ ମଧ୍ୟ ସେଥିରେ ସମସ୍ତ ପିଲା ଲାଭବାନ ହୋଇପାରୁନାହାନ୍ତି। ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ୍ ସୁବିଧା ନଥିବା ହେତୁ ଏଭଳି ପରସ୍ଥିତି ଉପୁଜିଛି। ତେଣୁ ସିଲାବସ୍ ହ୍ରାସ ପାଇବା ଦ୍ୱାରା ପିଲାମାନେ ଠିକ୍ ଭାବେ ପଢ଼ାପଢ଼ି କରିପାରିବେ ବୋଲି ଶିକ୍ଷାବିତମାନେ କହିଛନ୍ତି।

















