ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଭୟ ଦୂର ହୋଇନଥିବାବେଳେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। କରୋନା ପାଇଁ ଲୋକମାନେ ସଙ୍ଗରୋଧ ନିୟମ ପାଳନ କରୁଥିବାବେଳେ ଘରେ ବନ୍ୟାଜଳ ପଶିବା ଏବେ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଦେଇଛି।
ଶନିବାର ଜିଲ୍ଲାରେ ୧୦୯ ଜଣ କରୋନା ପଜିଟିଭ୍ଙ୍କୁ ମିସାଇ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪୬ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୦୪ ଆରୋଗ୍ୟ ହୋଇଛନ୍ତି। ଇତିମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୨୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ନୂଆଗାଁ ବ୍ଲକ ବିଡିଓ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ଗୋଟିଏ ପଟେ କୋଭିଡ୍ ସଂକ୍ରମଣରୁ ଲୋକେ ଘରୁ ବାହାରିବାକୁ ଭୟକରୁଥିବା ସମୟରେ ମହାନଦୀର ବନ୍ୟା ଅନେକଙ୍କୁ ବାସଚ୍ୟୁତ କରିଛି। ଜିଲ୍ଲାର ଗଣିଆଁ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ୪୦ ରୁ ଅଧିକ ଗାଁ ବନ୍ୟା ପାଣି ଘେରରେ ରହିଛି। ବନ୍ୟା ପାଣି ଘରେ ପସିବାରୁ ଶତାଧିକ ପରିବାର ଘରଛାଡ଼ି ନିରାପଦ ସ୍ଥାନକୁ ଚାଲି ଯାଉଥିବା ଖବର ମିଳିଛି।