ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର କରୋନା କଟକଣା ଭିତରେ ହେବ ପୂଜା, ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର।

  • କରୋନା କଟକଣା ଭିତରେ ହେବ ପୂଜା
  • ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା ପାଇଁ ଗାଇଡଲାଇନ୍ ଜାରି
  • ପୂଜାରେ ତୋରଣ ଲାଗିବନି, ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି
  • ଦେବୀଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଏଥର ନା ଦିଶିବ ଆଖି ଝଲସାଇ ଦେଲା ଭଳି ବଡ଼ ବଡ଼ ତୋରଣ, ନା ରଙ୍ଗବେରଙ୍ଗର ଚିକମିକ୍ ଲାଇଟ୍। ପୂଜା ବଜାରରେ ଏଥର ଶୁଣିବାକୁ ମିଳିବନି ମାଇକ୍ ସାଉଣ୍ଡ୍। ଚଳିତ ବର୍ଷର ପୂଜା ବଜାରକୁ ଫିକା କରିଦେଇଛି ମହାମାରୀ କରୋନା ଭାଇରସ୍।

ଶୁକ୍ରବାର କରୋନା କଟକଣା ଭିତରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା ହେବ ବୋଲି ରାଜ୍ୟ ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ପୂଜା ମଣ୍ଡପରେ କେବଳ ପରମ୍ପରା ବଞ୍ଚାଇବାକୁ ପୂଜା ହେବ। ଭକ୍ତମାନେ ଏଥର ମଣ୍ଡପରେ ଦେବୀ ଦର୍ଶନ କରିପାରିବେନି ଗାଇଡଲାଇନରେ କୁହାଯାଇଛି। ଯାହା ଶ୍ରଦ୍ଧାଳୁମାନଙ୍କୁ ନିରାଶ କରିଥିବାବେଳେ ପୂଜା ଆୟୋଜକଙ୍କୁ କିଛିଟା ଆଶ୍ୱସ୍ଥ କରିଛି।

ଚଳିତ ବର୍ଷ କରୋନା ମହାମାରୀ ଭିତରେ ମଣ୍ଡପରେ ପୂଜା ହେବ କି ହେବନି ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏହାପରେ ରାଜ୍ୟ ସରକାରଙ୍କ ଏହି ଗାଇଡଲାଇନ୍ ପୂଜା ଆୟୋଜକଙ୍କୁ କିଛିଟା ଆଶ୍ୱସ୍ତି ଆଣିଦେଇଛି। ଜାକଜମକରେ ନହେଲେ ମଧ୍ୟ ପରମ୍ପରା ବଞ୍ଚିଯିବ ବୋଲି ଭାବି ସବୁ ପୂଜା ଆୟୋଜକମାନେ ଏହାକୁ ସ୍ୱାଗତ କରିଛନ୍ତି।

ଲାଗିବନି ତୋରଣ, ବାଜିବନି ମାଇକ୍

ପ୍ରତିବର୍ଷ ଦୁର୍ଗାପୂଜାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଖି ଝଲସାଇଦେବା ଭଳି ତୋରଣ ପ୍ରସ୍ତୁତ ହୁଏ। ବିଶେଷକରି ଭୁବନେଶ୍ୱର ଓ କଟକରେ ତୋରଣ ତିଆରିକୁ ନେଇ ଏକ ପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳେ। ଲୋକମାନେ ମଧ୍ୟ କେଉଁ ପୂଜା ମଣ୍ଡପର ତୋରଣ କେତେ ଭଲ ହୋଇଛି ତାହା ଦେଖିବାକୁ ବୁଲିଥାନ୍ତି। ହେଲେ ଏଥିର ଏସବୁ କିଛି ଦେଖିବାକୁ ମିଳିବନି। ବିନା କୌଣସି ତୋରଣରେ ଏଥର ଦୁର୍ଗାପୂଜା ପାଳନ ହେବ।

ସେହିପରି କୌଣସି ପୂଜା ମଣ୍ଡପରେ ଏଥିର ମାଇକ୍ ଶବ୍ଦ ଶୁଭିବାକୁ ମିଳିବନି। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ଆଦିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। କେବଳ ବ୍ରାହ୍ମଣଙ୍କ ମନ୍ତ୍ରରେ ଏଥର ଦୁର୍ଗାପୂଜା ଶେଷ ହେବ।ପୂଜାରେ ପଡ଼ିବନି ମେଳା, ଦୋକାନ ବଜାର

ପ୍ରତିବର୍ଷ ପୂଜାରେ ସବୁ ଜାଗାରେ ମେଳା ପଡ଼ିଥାଏ। ଭଳିକି ଭଳ ଦୋଳି ସାଙ୍ଗକୁ ଲୋକମାନେ ଯାତ୍ରା ବୁଲିଥାନ୍ତି। ହେଲେ ଏଥିର ପୂଜାରେ କୌଣସି ମେଳା ଦେଖିବାକୁ ମିଳିବନି। କେବଳ କର୍ତ୍ତା ଓ ବ୍ରାହ୍ମଣଙ୍କୁ ନେଇ ପୂଜା ଆୟୋଜନ ହେବ। ଏଥିସହିତ କୌଣସି ଶ୍ରଦ୍ଧାଳୁ ଦେବୀ ମା’ଙ୍କ ମଧ୍ୟ ଦର୍ଶନ କରିପାରିବେ ନାହିଁ। ପୂଜା ମଣ୍ଡପକୁ ଚାରିପଟୁ ବନ୍ଦ କରିଦିଆଯିବ। ଏହା ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ରହିବ ବୋଲି ଗାଇଡଲାଇନରେ କୁହାଯାଇଛି।ଫିକା ପଡ଼ିବ ଭସାଣି, ହେବନି ରାବଣପୋଡ଼ି

ଦୁର୍ଗାପୂଜାକୁ ଲକ୍ଷ୍ୟକଲେ ଏହାର ଦୁଇଟି ପ୍ରମୁଖ ଉତ୍ସବ ହେଉଛି ରାବଣ ପୋଡ଼ି ଓ ଭସାଣ ଉତ୍ସବ। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ବେଶ ଧୂମଧାମର ସହ ଭସାଣ ଉତ୍ସବର ପାଳନ କରାଯାଏ। ବିଭିନ୍ନ ପୂଜା ମଣ୍ଡପରୁ ଦେବୀମାନେ ଆସି ଏକାଠି ହେବା ପରେ ସାଙ୍ଗ ହୋଇ ଭସାଣି ପାଇଁ ଯାଇଥାନ୍ତି। ହେଲେ ଏବର୍ଷ ସେପରି କିଛି ଦେଖିବାକୁ ମିଳିବନି। ସେହିପରି ରାବଣ ପୋଡ଼ି ମଧ୍ୟ ଏଥିର ହେବନି ବୋଲି ଜଣାପଡ଼ିଛି।

ଲକ୍ଷ୍ମୀପୂଜା ଓ କାଳିପୂଜାରେ ମଧ୍ୟ ଅନୁରୂପ ଭାବେ କୌଣସି ପ୍ରକାର ଭସାଣ ଉତ୍ସବ ହେବ ନାହିଁ। ପୂଜା ମଣ୍ଡପର ଆୟୋଜକମାନେ ନିରାଡମ୍ବର ଭାବେ ଯାଇ କୃତ୍ରିମ ପୁଷ୍କରଣୀରେ ଦେବୀଙ୍କର ଭସାଣି କରିବେ।

Comment