ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସମୟରେ ମାସ୍କ ଓ ପିପିଇ କିଣା ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗର ପକ୍ଷ ରଖିବାକୁ ଆଜି ଲୋକାୟୁକ୍ତଙ୍କ ପାଖର ହାଜର ହେଲେ ବରିଷ୍ଠ ଆଇଏସ୍ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ। ଦୁହେଁ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଛନ୍ତି।
କିଛି ଦିନ ତଳେ ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଣାକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଚଢ଼ା ଦାମରେ ମାସ୍କ ଓ ପିପିଇ କିଟ୍ କିଣିଥିବା ସେମାନେ ଅଭିଯୋଗ କରିଥିଲେ। ଏ ସମ୍ଭନ୍ଧରେ ଆଜି ପକ୍ଷ ରଖିବାକୁ ଯାଇ ସେ ସମୟର କ୍ରୟ କମିଟିର ମୁଖ୍ୟ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଲୋକାୟୁକ୍ତଙ୍କୁ ସାକ୍ଷାତ କରିଛନ୍ତି।
ଲୋକାୟୁକ୍ତଙ୍କୁ ସାକ୍ଷାତ କରିବା ପରେ ହେମନ୍ତ ଶର୍ମା କହିଛନ୍ତି ଯେ, ସେ ଲୋକାୟୁକ୍ତଙ୍କୁ ଯାହା ସୂଚନା ଦେବା କଥା ଦେଇସାରିଛନ୍ତି। ଏବିଷୟରେ ଗଣମାଧ୍ୟମରେ କହିବା ଲୋକାୟୁକ୍ତଙ୍କ ପ୍ରତି ଅବମାନନା ହେବ। ଅନ୍ୟପଟେ ଏ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟ ରଖିନାହାନ୍ତି ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ।


















