ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଆଦିଆ ମାଣ୍ଡିଆ ଲଡୁ ଏବଂ ମୁସୁମୁସିଆ ପକଡ଼ି ଓ ବରା ଖାଇଲେ ଜାଣିବେ ଏହାର ପୁଷ୍ଟିକର ଗୁଣ!

ସୁନ୍ଦରଗଡ଼: ମାଣ୍ଡିଆରୁ ଜାଉ ପ୍ରସ୍ତୁତି ବାବଦରେ ଆଗରୁ ହୁଏତ ଆପଣ ପରିଚିତ ଥିବେ। କାରଣ ଓଡ଼ିଶାର ଗାଁ ଗହଳରେ ଦିନେ ଏହି ଖାଦ୍ୟର ଚାହିଦା ରହିଥିଲା। ଏବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଆଧୁନିକ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ସୁନ୍ଦରଗଡ଼ରେ ମହିଳାମାନଙ୍କୁ ମହିଳାମାନଙ୍କୁ ତାଲିମ ଦିଆଯାଉଛି।

ମାଣ୍ଡିଆରୁ ପ୍ରସ୍ତୁତ ଲଡୁ, ପକଡ଼ି ଏବଂ ବରା ଆପଣ କେବେ ଖାଇଛନ୍ତି? ସୋମବାର ଦିନ ଲେଫ୍ରିପଡ଼ା ବ୍ଲକର ଅଳପକା ଗାଁରେ ମହିଳାମାନଙ୍କୁ ଏହି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଶିଖାଯାଇଥିଲା। ସହଯୋଗୀ ସଂସ୍ଥା ‘ପ୍ରଗତି’ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଲେଫ୍ରିପଡ଼ା ସମେତ ଜିଲ୍ଲାର ଆଠଟି ବ୍ଲକରେ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷ ଲାଗି ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଣ୍ଡିଆ ଗୋଟିଏ ପୁଷ୍ଟିକର ଖାଦ୍ୟ। ତେଣୁ ଏହାର ପୁଷ୍ଟିକର ଗୁଣ ସମ୍ପର୍କରେ ଏହି କର୍ମଶାଳା ସମୟରେ ଲୋକଙ୍କୁ ସଚେତନ କରାଯାଉଛି।

ମାଣ୍ଡିଆର ପୁଷ୍ଟିକର ଗୁଣ ପାଇଁ ଆଜି ସେଥିରୁ ଆଧୁନିକ ଖାଦ୍ୟ ପ୍ରସ୍ତୁତ ହେଉଛି। ଗତ ବାର୍ଷିକ କୃଷି ଓଡ଼ିଶା ପ୍ରଦର୍ଶନୀ ବେଳେ ମାଣ୍ଡିଆରୁ ତିଆରି ଲଡୁ, ଖିରି, କେକ୍ ଏପରିକି ପିଜା ଓ ବର୍ଗର ଲୋକଙ୍କ ନଜରକୁ ଆସିଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ମାସ୍କଟ ରୂପେ ନିଆଯାଇଥିଲା।

ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ରାଜ୍ୟରେ ମାଣ୍ଡିଆ ଚାଷ ପାଇଁ ସରକାର ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଆଗରୁ ୪ଟି ବ୍ଲକରେ ମାଣ୍ଡିଆ ଚାଷ ହେଉଥିବାବେଳେ ଚଳିତ ବର୍ଷ ହେମଗିରି, ଲେଫ୍ରିପଡ଼ା, ଟାଙ୍ଗରପାଲି ଓ ବାଲିଶଙ୍କରା ବ୍ଲକରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନ, ତାଲିମ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ନୂଆକରି ଯୋଡ଼ି ହୋଇଥିବା ଚାରୋଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେଉଛି।

LEAVE A REPLY

Please enter your comment!
Please enter your name here