ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଆନ୍ତଃରାଜ୍ୟ ବାଇକ୍ ଚୋରା ରାକେଟର ପର୍ଦ୍ଦାଫାସ୍ କରିଛି ଜୟପୁର ଟାଉନ୍ ପୋଲିସ୍। ଏହି ବାଇକ ରାକେଟରେ ଜଡିତ ପାଞ୍ଚ ଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୬ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ଏନେଇ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର ଟାଉନ ଥାନାଧିକାରୀ ବାଲେଶ୍ୱର ଗିଧି।

ଦୀର୍ଘ ଦିନ ଧରି ଏହି ରାକେଟ କୋରାପୁଟ ଜିଲ୍ଲା ସହ ଛତିଶଗଡ଼, ନବରଙ୍ଗପୁର ଏପରିକି ଆନ୍ଧ୍ର ପ୍ରଦେଶରୁ ବି ବାଇକ ଚୋରି କରୁଥିଲା। ଏହାପରେ ଖବର ପାଇଁ ପୋଲିସ୍ ସେମାନଙ୍କୁ ଠାବ କରିବାରେ ସଫଳ ହୋଇଛି।ଜବତ ହୋଇଥିବା ୧୬ଟି ବାଇକ ମଧ୍ୟରେ  ଅନେକ  ବୁଲେଟ  ଓ  ଆପାଚି ଭଳି ଦାମୀ ବାଇକ ମଧ୍ୟ ରହିଛି। ଦୁର୍ବତ୍ତମାନେ ବାଇକ ଚୋରି କରିବା ପରେ ତାହାର ନକଲି ଆରସି ବୁକ୍ ତିଆରି କରି ଲୋକଙ୍କ ନିକଟରେ ବନ୍ଧକ  ରଖୁଥିଲେ ବୋଲି ଜଣାପଡ଼ିଛି।

ଏହି ମାମଲାରେ ଗୋଟିଏ ଗ୍ୟାଙ୍ଗକୁ ଟାଉନ୍ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ ଏକ ଗ୍ୟାଙ୍ଗକୁ ପୋଲିସ ଖୋଜୁଛି । ଗିରଫ ୫ଜଣଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧ ମାମଲା ଥିବାନେଇ ଜୟପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comment