ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ତିନି ଦ୍ୱାରକୁ ରୁପା ଛାଉଣି କରିବା ନେଇ ଆରମ୍ଭ ହୋଇଛି ପକ୍ରିୟା। ବୁଧବାର ଏକ ଚାରିଜଣିଆ କମିଟି ମନ୍ଦିର ଭିତରେ ପ୍ରବେଶ କରି କବାଟଗୁଡ଼ିକର ମାପଚୁପ କରିଛି।
ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଏହି ଟିମ୍ ଆଜି ଶ୍ରୀମନ୍ଦିର ଭିତରକୁ ଯାଇଥିଲା। ମନ୍ଦିର ଭିତରେ ରୁପା ଛାଉଣି ହେବାକୁ ଥିବା କବାଟଗୁଡ଼ିକର ଏହି ଟିମ୍ ମାପଚୁପ କରିଛି।
କିଛି ଦିନ ତଳେ ଶ୍ରୀମନ୍ଦିରର କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାରର କବାଟକୁ ରୁପା ଛାଉଣି କରାଯିବା ନେଇ ସୂଚନା ମିଳିଥିଲା। ଏହି ସମସ୍ତ ଦ୍ୱାରକୁ ମରାମତି କରାଯାଇ ଏହା ଉପରେ ରୁପା ଚାଦରର ଆସ୍ତରଣ ଦିଆଯିବ ବୋଲି କୁହାଯାଇଥିଲା।
ମହାପ୍ରଭୁଙ୍କ ଜଣେ ଭକ୍ତ ଏହି ସମସ୍ତ ରୁପା ଦାନ କରିବେ। ରାଜସ୍ଥାନର କାରିଗରମାନେ ଆସି ଏହି କାର୍ଯ୍ୟ କରିବେ। ମନ୍ଦିରର କବାଟଗୁଡ଼ିକ ବର୍ମା କାଠରେ ନିର୍ମାଣ କରାଯିବା ସହିତ ଏହା ଉପରେ ରୁପା ଚାଦରର ଆଚ୍ଛାଦିତ କରାଯିବ। ଏହାଦ୍ୱାରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।


















