ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ରାଜନଗରର ମା’ ଝିଅ ମୃତ୍ୟୁ ଘଟଣାକୁ ୩ ଦିନ ହେଲାଣି। କିନ୍ତୁ ଏବେ ବି ଗାଁ ଦାଣ୍ଡରୁ ଉଠୁନି ଶବ। ମା’, ଝିଅଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକ ଓ ଗ୍ରାମବାସୀ ଶବ ସତ୍କାର ପାଇଁ ନେଉନାହାନ୍ତି।

ମୃତକ ହେଲେ ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁ ପତିତପାବନ ନାଥଙ୍କ ସ୍ତ୍ରୀ ପ୍ରମିଳା ଓ ଝିଅ ସତ୍ୟପ୍ରିୟା। ଉଭୟ ମା’ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପ୍ରମିଳା ଗତ ୧୯ ତାରିଖରୁ ନିଖୋଜ ଥିଲେ। ଗତକାଲି ପ୍ରମିଳାଙ୍କ ଶବ ହଂସୁଆ ନଦୀର ଗୋବର୍ଦ୍ଧନପୁର ଗାଁ ନିକଟରୁ ମିଳିଥିବା ବେଳେ ତାଙ୍କ ବଡ଼ ଝିଅଙ୍କ ଶବ ମାମୁଁଘର ପୋଖରୀରୁ ଉଦ୍ଧାର ହୋଇଥିଲା। ଏହି ଦୁଇ ହତ୍ୟାକାଣ୍ଡ ଧାର ଟଙ୍କା ଦେଣନେଣକୁ ନେଇ ଘଟିଛି ବୋଲି ପ୍ରମିଳାଙ୍କ ସ୍ଵାମୀ ପତିତପାବନ ନାଥ ଅଭିଯୋଗ କରିଥିଲେ। ଏଥିସହ ତାଙ୍କ ବଡ଼ ଝିଅ ସହିତ ତାଙ୍କ ଶାଳକଙ୍କ ପୁଅର ପାପ ସମ୍ପର୍କ ଥିଲା ଓ ସେ ୮ ମାସର ଗର୍ଭବତୀ ଥିବା ପତିତପାବନ କହିଥିଲେ।

ଝିଅଙ୍କ ଶବ ବ୍ୟବଚ୍ଛେଦ ବେଳେ ତାଙ୍କ ପେଟରୁ ଶିଶୁ କନ୍ୟା ମିଳିଥିଲା। ସତ୍ୟପ୍ରିୟାଙ୍କ ମାମୁଘର ଲୋକେ ଏବେ ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି।

ଏମାନଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗାଁ ଲୋକେ ଓ ପରିବାର ଲୋକ ଶବ ସତ୍କାର କରୁନାହାନ୍ତି। ଅନ୍ୟପଟେ ଏହି ଘଟଣାକୁ କେନ୍ଦ୍ରାପଡ଼ା ପୋଲିସ ଗୁରୁତ୍ୱର ସହ ନେଇଛି। ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଏସପି ନୀତି ଶେଖର ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଫେରିଥିଲେ।

Comment