ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ପକ୍ଷରୁ ସବୁ ସୁବିଧା ହୋଇଛି, ତଥାପି ଚାଳଛପର ଆଉ ବାଉଁଶବାଡ଼ ଘରେ ଜୀବନ କାଟୁଛନ୍ତି ଲୋକେ। ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏମିତିରେ ୨ ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି। ସରକାରୀ ଆବାସ ପାଇଁ ବାରମ୍ଵାର ଅଭିଯୋଗ ମଧ୍ୟ ହୋଇଛି। ତଥାପି କିଛି ସୁଫଳ ମିଳୁନାହିଁ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକରେ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି, ରାଜ୍ୟ ସରକାରଙ୍କ ବିଜୁପକ୍କା ଘର କିମ୍ବା ମୋ କୁଡ଼ିଆ ଯୋଜନା, ଗରିବ ଅସହାୟ କେହି ମଧ୍ୟ ଏହି ଯୋଜନାରୁ ବଞ୍ଚିତ ରହିବେନି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ବୋଲି ସରକାର ସବୁବେଳେ ପ୍ରଚାର କରୁଛନ୍ତି। ଏଥିପାଇଁ ରାଜକୋଷରୁ ପାଣିପରି ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ତୃଣମୂଳ ସ୍ତରରେ ଏହାର ସତ୍ୟତା ଯାଞ୍ଚ କରିବାକୁ କେହି ନାହିଁ।

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକରେ ସରକାରଙ୍କ ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ହେଉ ନଥିବା ଦେଖିବାକୁ ମିଳୁଛି। ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ପକ୍କା ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଖୋଦ୍ ସରକାରୀ କର୍ମଚାରୀ ଠିକାଦାର ସାଜୁଛନ୍ତି। ଆଉ ହଡ଼ପ କରୁଛନ୍ତି ଗରିବ ହିତାଧିକାରୀଙ୍କ ଅଧିକାର।

୨୦୧୮-୧୯ ଆର୍ଥିକ ବର୍ଷ ଅନୁଯାୟୀ ବୈପାରୀଗୁଡ଼ା ବ୍ଲକର ତତ୍କାଳୀନ ବିଡ଼ିଓଙ୍କ ପ୍ରଚେଷ୍ଟା କ୍ରମେ ମାଠପୋଡ଼ା ପଞ୍ଚାୟତରେ ଏକ କଷ୍ଟର କଲୋନୀ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ରାସ୍ତା, ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ସହ ଗାଁ ଉନ୍ନତି ପାଇଁ ଏହି ପଞ୍ଚାୟତର ଅଣ୍ଡରି, ବଡ଼ଅଟଳ, କ୍ଷମାବାଡିଆଗୁଡ଼ା, ବଡ଼ ଅଣ୍ଡରି ଗ୍ରାମର ୪୦ ଜଣ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଥିଲା। ହିତାଧିକାରୀଙ୍କୁ ଗୋଟିଏ ଜାଗାରେ ସମସ୍ତ ଘର ନିର୍ମାଣ କରାଇ ଦେବା ପାଇଁ ସ୍ଥିର କରାଯାଇଥିଲା।

ଗୋଟିଏ ଘର ପିଛା ଏକ ଲକ୍ଷ ତିରିଶି ହଜାର ଟଙ୍କା ଓ ବାର ହଜାର ଟଙ୍କାର ପାଇଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଘର କିମ୍ବା ପାଇଖାନା କାମ ଶେଷ ହେଇନାହିଁ। ସେପଟେ ହିତାଧିକାରୀମାନେ ୧୩ ଫେବ୍ରୁଆରୀ ୨୦୧୯ ସୁଦ୍ଧା ନିଜ ବ୍ୟାଙ୍କ ଖାତାରୁ ନିୟମତ କିସ୍ତି ଟଙ୍କା ଉଠେଇ ଠିକାଦାରଙ୍କୁ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଘର ସମ୍ପୂର୍ଣ୍ଣ ହାଇନାହିଁ। କିନ୍ତୁ ଅନଲାଇନରେ ଏହି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ।

ବାରମ୍ଵାର ଏହାକୁ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଏଣୁ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସେମାନଙ୍କର ଅଧିକାର ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି।

Comment