ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ନୁଆ କୃଷି ଆଇନ ଏବଂ ସଂଶୋଧିତ ଆତ୍ୟାବଶକୀୟ ସାମଗ୍ରୀ ଆଇନକୁ ଜୟପୁର କଂଗ୍ରେସ ବିରୋଧ କରିଛି। ଏହି ଆଇନ ଚାଷୀଙ୍କ ପାଇଁ ମାରଣ ନୀତି। ଶନିବାର କୋରାପୁଟ ଜିଲ୍ଲା କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ଵାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହା କହିଛନ୍ତି।
କୃଷି ବିଲ୍କୁ ବିରୋଧ କରିବା ସହ ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ କୋରାପୁଟର ସମସ୍ତ ବ୍ଲକ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ କାର୍ଯ୍ୟଳୟକୁ ଘେରାଉ ସହ ରାଜ୍ୟ ସାରା ମଧ୍ୟ ଘେରାଉ କରି ବିକ୍ଷୋଭ କରାଯିବ। ଏଥିସହିତ ଅକ୍ଟାବର ୨ ତାରିଖରୁ ୩୦ ତାରିଖ ଯାଏଁ ଦସ୍ତଖତ ଅଭିଯାନ କରି ଏହି ଆଇନକୁ ରଦ୍ଧ କରିବା ଏବଂ ପୁନର୍ବିଚାର କରିବାକୁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିବ ବୋଲି ବାହିନୀପତି କହିଛନ୍ତି।
କଂଗ୍ରେସ ସବୁବେଳେ ଚାଷୀଙ୍କ ସହ ରହିଛି। ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ଏହି ବିଲ ପାଇଁ ଦେଶରେ ଚାଷୀମାନଙ୍କ ଦୁର୍ଦ୍ଦଶା ବହୁ ମାତ୍ରାରେ ବଢ଼ିଯିବ ବୋଲି ବାହୀନିପତି ଯୁକ୍ତି ବାଢ଼ିଛନ୍ତି। ପାରିତ ହୋଇଥିବା ଏହି ବିଧେୟକ କୌଣସି ସ୍ଥାନରେ ବି ଚାଷୀଠାରୁ ସର୍ବନିମ୍ନ ଦରରେ ଶସ୍ୟ କିଣାଗଲେ କୌଣସି ଦଣ୍ଡ ବିଧାନର ଉଲ୍ଲେଖ କରାଯାଇ ନାହିଁ। ଏହା ଦ୍ୱାରା ଚାଷୀ ଅଭାବୀ ବିକ୍ରିର ଶୋଷଣ ହେବ ବୋଲି ବାହିନୀପତି କହିଛନ୍ତି।


















