ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ରାଜ୍ୟ ପର୍ଯ୍ୟଟନ। ତେବେ ସ୍ଥିତି ସୁଧୁରୁଥିବାରୁ ସରକାର ପୁଣି ଥରେ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଚଳିତବର୍ଷ ପର୍ଯ୍ୟଟନ ଦିବସର ଥିମ୍ ରହିଛି ‘ପର୍ଯ୍ୟଟନ ଓ ଗ୍ରାମାଞ୍ଚଳ ବିକାଶ।’ ଏଥର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଉପରେ ଗୁରୁତ୍ଵ ଦିଆଯାଇଛି। ଏଥିସହ ବିଦେଶୀଙ୍କ ଅପେକ୍ଷା ଘରୋଇ ପର୍ଯ୍ୟଟକଙ୍କୁ ପ୍ରାଧାନ୍ୟ ଦେଉଛି ରାଜ୍ୟ ପର୍ଯ୍ୟଟନ ବିଭାଗ।

ପାଞ୍ଚ ବର୍ଷ ପୂର୍ବରୁ ପର୍ଯ୍ୟଟନକୁ ଗ୍ରାମୀଣ ବିକାଶ ସହ ଯୋଡ଼ାଯାଇଛି

କେବଳ ଏହି ବର୍ଷ ନୁହେଁ, ଗତ ୫ ବର୍ଷ ହେଲା ଗ୍ରାମୀଣ ବିକାଶକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ଵ ଦେଇଆସୁଛି। ଇକୋଟୁରିଜିମ୍ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରାକୃତିକ ଶିବିର ଏବଂ ନେଚର କ୍ୟାମ୍ପ କରି ଗ୍ରାମୀଣ ଲୋକଙ୍କ ପାଇଁ ସରକାର ରୋଜଗାର ଯୋଗାଇ ଦେଇଛନ୍ତି।

କେବଳ ଦେଶ ନୁହେଁ, ସାରା ବିଶ୍ଵରେ ଓଡ଼ିଶାର ଇକୋଟୁରିଜିମ୍ ଯୋଜନା ଶ୍ରେଷ୍ଠ ପ୍ରକଳ୍ପର ମାନ୍ୟତା ପାଇଛି ଓ ପ୍ରଶଂସିତ ହୋଇଛି।ଆଜିଠୁ ଓଡ଼ିଶା ବାଏ ରୋଡ୍ ଅଭିଯାନ

ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବାଏ ରୋଡ୍ ଅଭିଯାନ। ସମୂଦ୍ରକୁଳ, ପାହାଡ଼, ଜଙ୍ଗଲ, ଆଦିବାସୀ ଗାଁ, ଐତିହାସିକ କଳା ଗାଁଗୁଡ଼ିକୁ ଏହି ଅଭିଯାନରେ ଗୁରୁତ୍ଵ ଦିଆଯାଇଛି। ଏଣିକି ରାସ୍ତାରେ ଯିବା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଲୋକେ ଉପଭୋଗ କରିବେ।

ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାସ୍ତାକଡ଼ରେ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ କାଫେ, ରେସ୍ତୋରାଁ, ବିଶ୍ରାମଗୃହ, ଏଟିଏମ୍, ଖୁଚୁରା ଦୋକାନ ଆଦି ରହିବାର ବ୍ୟବସ୍ଥା ହୋଇଛି।ଅକ୍ଟୋବର ୧ରୁ ଖୋଲିବ ୧୦ ନେଚର କ୍ୟାମ୍ପ

ବର୍ତ୍ତମାନ ରାଜ୍ୟରେ ୪୭ଟି ପ୍ରକୃତି ଶିବିର ବା ନେଚର କ୍ୟାମ୍ପ ରହିଛି। ତେବେ କରୋନା ମହାମାରୀ ଯୋଗୁଁ ଏଗୁଡ଼ିକ ଗତ ୭ ମାସ ଧରି ବନ୍ଦ ରହିଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଶିବିର ଖୋଲିବାକୁ ଯାଉଛି।

ସେହି ୧୦ଟି ପ୍ରକୃତି ଶିବିର ହେଲା- ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ଡାଙ୍ଗମାଳ, ବଡ଼ମୂଳ, ଛୋଟକେଇ, ତରଲା, ଦେବ୍ରିଗଡ଼, ଦାରିଙ୍ଗବାଡ଼ି, ମଣ୍ଡାସୁର, ଡେରାସ ଓ ମଙ୍ଗଳାଯୋଡ଼ି। ଅନ୍ୟ ୩୭ଟି କ୍ୟାମ୍ପ ଖୁବଶୀଘ୍ର ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫୋକସ୍‌ରେ ଦେଶୀୟ ପର୍ଯ୍ୟଟକ

କରୋନା କଟକଣାକୁ ଦୃଷ୍ଟିରେ ରଖି ବିଦେଶୀଙ୍କ ଅପେକ୍ଷା ଦେଶୀୟ ପର୍ଯ୍ୟଟକଙ୍କୁ ଗୁରୁତ୍ଵ ଦେଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଭାଗ ପକ୍ଷରୁ ୭୦ଟି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ ହେବା ସହ ସେଗୁଡ଼ିକର ବିକାଶ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି କୋଣାର୍କ ଓ ଶାମୁକା ପ୍ରକଳ୍ପ ସମେତ ଅନ୍ୟାନ୍ୟ କାର୍ଯ୍ୟ ପୂରା କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।କରୋନା ଯୋଗୁଁ ବିଦେଶୀ ପର୍ଯ୍ୟଟକ ଆସିବାରେ ସମସ୍ୟା ଥିବାରୁ ଘରୋଇ ତଥା ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭାଗ ତତ୍ପର ହୋଇଛି। ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ଅନ୍ତଃରାଜ୍ୟ ପ୍ୟାକେଜ୍ ଆରମ୍ଭ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ନିକଟରେ ଓଟିଡିସି ‘ବଣଭୋଜି ଟୁର୍’ ପ୍ୟାକେଜ୍ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here