ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • ବାଲେଶ୍ଵରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ
  • ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ
  • ଆଗାମୀ ୩ ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନି

ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନିରେ ପରିଣତ ହେବ। ଆଜି ବାଲେଶ୍ଵରରେ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। ଏଥିସହ ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହରର ବିକାଶଠାରୁ ଆରମ୍ଭ କରି କୋଭିଡ୍ ଲଢ଼େଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତି ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି। ଏହି ଯୋଜନାରେ ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ ସାରା ଦେଶରେ ଇତିହାସ ସୃଷ୍ଟି କରିଛି। ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ଵ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ନବୀନ କହିଛନ୍ତି।ମୁଖ୍ୟମନ୍ତ୍ରୀ ବାଲେଶ୍ଵରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଜଣଙ୍କୁ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଇସି) ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ଏଲ୍‌ଇସି ପାଇବେ। ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢ଼େ ଚାରି ଲକ୍ଷ ଲୋକ ଭୂମି ଅଧିକାର ପ୍ରମାଣପତ୍ର ଦ୍ଵାରା ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଏସ୍‌ଓପି ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ସଂସ୍ଥା ବସ୍ତି ଉନ୍ନତିକରଣ କାର୍ଯ୍ୟକ୍ରମରେ ସହାୟତା ଯୋଗାଇ ଦେବ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ, ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି। ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ଅଧିକାର ପାଇପାରିବେ। ଗରିବ ଲୋକଙ୍କ ଉନ୍ନତି ସକାଶେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ପାଇଁ ସେ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ମଧ୍ୟ ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣଧୀନ ଅଛି।ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଜାଗା ମିଶନର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here