ଓଡ଼ିଶାଲାଇଭ୍ ବ୍ୟୁରୋ

ଚୋରିର ୮ ମାସ ପରେ ମା’ କୋଳକୁ ଫେରିଛି ୧୮ ମାସର ଶିଶୁ କନ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପୁରରେ। ଜୟପୁର ଟାଉନ ଥାନା ପୋଲିସ ଶିଶୁ କନ୍ୟାଟିକୁ ଉଦ୍ଧାର କରି ମା’ କୋଳକୁ ଫେରାଇଛି। ଶିଶୁଟିକୁ ଚୋରି କରି ନେଇଥିବା ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଗଜପତି ଜିଲ୍ଲାର ଦୁଖି ମଲ୍ଲିକ ବ୍ରହ୍ମପୁରର ଜଣେ ଯୁବକଙ୍କୁ ବିବାହ କରିଥିଲେ। ପରେ ତାଙ୍କର ଝିଅଟିଏ ହୋଇଥିଲା। ଝିଅ ଜନ୍ମ ହେବାର କିଛି ଦିନ ପରେ ଦୁଖିଙ୍କ ସହ ତାଙ୍କ ସ୍ଵାମୀ କିମ୍ବା ଶାଶୁ ଘର ଲୋକେ ସମ୍ପର୍କ ରଖି ନଥିଲେ। ତେଣୁ ବେସାହାରା ହୋଇ ଦୁଖି ୧୦ ମାସର ଝିଅକୁ ଧରି ବହ୍ମପୁର ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରି ଚଳୁଥିଲେ।

ଏହି ସମୟରେ ମାଲକନଗିରି ଜିଲ୍ଲା କାଳିମେଳା ଅନ୍ତର୍ଗତ ଝାଟିମାଟି ସାହିର ବଦରୁ ନାୟକ (୩୮) ଓ ତାଙ୍କ ସ୍ତ୍ରୀ ଶିବାନି ନାୟକ(୩୦)ଙ୍କର ଦୁଖିଙ୍କ ସହ ଭେଟ ହୋଇଥିଲା। ଦୁଖିଙ୍କଠାରୁ ଦୁଃଖ କାହାଣୀ ଶୁଣିବା ପରେ ଏହି ଦମ୍ପତି ବାହାନା କରି ତାଙ୍କୁ କାଳିମେଳାରେ କାମ ଦେବେ କହି ନେଇଯାଇଥିଲେ।ସେଠରେ ଦୁଇ ଦିନ ରଖିବା ପରେ ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ସେମାନେ ଦୁଖିଙ୍କୁ ଜୟପୁର ବସଷ୍ଟାଣ୍ଡରେ ଛାଡ଼ିଦେଇଥିଲେ। ସେଠାରେ ଦୁଖିଙ୍କୁ ଜଳଖିଆ ଖାଇବାକୁ ଦେଇ ଶିଶୁ କନ୍ୟାକୁ ଧରି ଚମ୍ପଟ ମାରିଥିଲେ ଅଭିଯୁକ୍ତ ଦମ୍ପତି। ଦୁଖିଙ୍କ କହିବା ଅନୁଯାୟୀ ତାଙ୍କୁ ଏହି ଦମ୍ପତି ଜଳଖିଆରେ କିଛି ମିଶାଇ ଖାଇବାକୁ ଦେଇଥିଲେ।

ଜଳଖିଆ ଖାଇବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଆସିବା ପରେ ଶିଶୁ କନ୍ୟାକୁ ଦୁଖି ବହୁ ଖୋଜାଖୋଜି କରିଥିଲେ। ତେବେ ଦୁଖିଙ୍କ କଥାକୁ କେହି ବିଶ୍ଵାସ କରିବା ପରିବର୍ତ୍ତେ ତାଙ୍କୁ ପାଗଳି ବୋଲି କହୁଥିଲେ।

ଦୀର୍ଘ ୪ ଦିନ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଝିଅକୁ ପାଇନଥିଲେ ଦୁଖି। ଏନେଇ ସେ ଗତ ଡିସେମ୍ବର ୩୦ରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଝିଅକୁ ନପାରି ପାଗଳି ପରି ହେଉଥିବାରୁ ପୋଲିସ ତାଙ୍କୁ ଲାଇଫ୍ ପାଉଣ୍ଡେସନରେ ରଖିଥିଲା।

ଦୁଖିଙ୍କ ଅଭିଯୋଗ ଆଧାରରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ୮ ମାସ ହେବ ଶିଶୁ କନ୍ୟାଟିର  କିଛି ଖୋଜ ଖବର ପାଇନଥିଲା ପୋଲିସ। ତେବେ ଗତ ସେପ୍ଟେମ୍ବର ୨୭ ତାରିଖରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କ ମୋବାଇଲ ଟ୍ରାକ୍ କରି କାଲିମେଳାରୁ ସେମାନଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କ ବୟାନ ଆଧାରରେ ଆନ୍ଧ୍ରପ୍ରଦେଶର ଚିନ୍ତୁର ଗାଁରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

ଅଭିଯୁକ୍ତ ଦମ୍ପତିଙ୍କ ନିଜର ସନ୍ତାନ ଥିବା ବେଳେ ସେମାନେ ଶିଶୁକନ୍ୟାଟିକୁ ବିକ୍ରି କରିବା ଉଦ୍ଦେଶ୍ୟ ରଖି ଚୋରି କରିଥିବା ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି ସୂଚନା ଦେଇଛନ୍ତି। ଶିଶୁ କନ୍ୟା ଟିକେ ବଡ଼ ହେବା ପରେ ତାକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଏହି ଦମ୍ପତି ଚାହୁଁଥିଲେ ବୋଲି ଥାନା ଅଧିକାରୀ କହିଛନ୍ତି।

ଅନ୍ୟପଟେ ଦୀର୍ଘ ୮ ମାସ ପରେ ଝିଅକୁ ପାଇ ଦୁଖି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡ଼ିଛନ୍ତି। ଏଥିପାଇଁ ସେ ଟାଉନ ଥାନା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।ମା’ ଓ ଝିଅକୁ ମିଶାଇବାରେ ଜୟପୁର ଟାଉନ ପୋଲିସର ଭୂମିକାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଶିଶୁକୁ ମା’ କୋଳକୁ ଫେରାଇ ଆଣି ପୋଲିସ ମଧ୍ୟ ବହୁତ ଖୁସିଥିବା ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି କହିଛନ୍ତି।

ତେବେ ଶିଶୁ କନ୍ୟାକୁ ଅପହରଣ କରିଥିବା ଦମ୍ପତି ଆଉ କେତେ ମା’ଙ୍କ କୋଳ ଖାଲି କରିଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି।

Comment