କମଳାକାନ୍ତ ପତି

ସାତ ମାସ ପୂର୍ବରୁ ବିଜୁଳି ଦର ବଢ଼ାଇବା ସପକ୍ଷରେ ନ ଥିବା ରାଜ୍ୟ ସରକାର ହଠାତ୍ କେଉଁ କ୍ଷତି ଭରଣା ପାଇଁ ୟୁନିଟ୍ ପିଛା ୨୦ ପଇସା ମୂଲ୍ୟ ବୃଦ୍ଧି କରିଦେଲେ କରୋନା ପରିସ୍ଥିତିରେ ଏଭଳି ନିଷ୍ପତ୍ତି ରାଜ୍ୟର ଉପଭୋକ୍ତାଙ୍କୁ ଅସନ୍ତୁଷ୍ଟ କଲାଣି।

ଅକ୍ଟୋବର ପହିଲା ଅର୍ଥାତ୍ ଆସନ୍ତାକାଲିଠାରୁ ଓଡ଼ିଶା ରାଜ୍ୟରେ ବୃଦ୍ଧି ପାଉଛି ବିଜୁଳି ଦର। ୨୦୨୦ ଅକ୍ଟୋବର ପହିଲାରୁ ଖାଉଟିଙ୍କ ଉପରେ  ଲାଗୁ ହେବ ନୂଆ ଦର। ଅର୍ଥାତ୍ ବଢ଼ିବ ବିଦ୍ୟୁତ୍ ବିଲ୍‌ର ଦେୟ ପରିମାଣ। ଏହିଦିନଠାରୁ ସରକାର ବିଦ୍ୟୁତ୍ ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରୁଛନ୍ତି। ଏହାକୁ ନେଇ ଉପଭୋକ୍ତା ଅସନ୍ତୁଷ୍ଟ। ଆନ୍ଦୋଳନ ପାଇଁ ଧମକ ଦେଲେଣି ବିରୋଧୀ। ବିଦ୍ୟୁତ୍ ଉପଭୋକ୍ତା ସଂଘ ମଧ୍ୟ ଓହ୍ଲାଇବ ରାଜରାସ୍ତାକୁ।

ରିହାତି ବଦଳରେ ଦର ବଢୁଛି

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି, କରୋନା ପରିସ୍ଥିତି ସାଧାରଣ ଜନତା, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପୋଦ୍ୟୋଗୀଙ୍କ ସମେତ ସମାଜର ସବୁ ବର୍ଗ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇଛି। ତା’ ସାଙ୍ଗକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନିଷ୍ପତ୍ତି ବଜାରର ଦରଦାମ ବୃଦ୍ଧିକୁ ପ୍ରୋତ୍ସାହିତ କରିଛି। ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଘଟାଇ ବେଡି ଉପରେ କୋରଡ଼ା ମାଡ଼ ଦେଇଛନ୍ତି। ଯେଉଁ ସମୟରେ ଲୋକଙ୍କୁ ରିହାତି ଦେଇ ଅଣ୍ଟା ସଳଖାଯାଇ ପାରିଥାଆନ୍ତା, ସେହି ସମୟରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ଭଳି ନିଷ୍ପତ୍ତି ଖାଉଟିଙ୍କ ଦୁଃଖକୁ ମଧ୍ୟ ବଢ଼ାଇଦେଇଛି।

ମନ୍ତ୍ରୀଙ୍କ ଯୁକ୍ତି ହାସ୍ୟାସ୍ପଦ

ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୁକ୍ତି ହେଉଛି, ରାଜ୍ୟରେ ବିଦ୍ୟୁତ୍ ମୂଲ୍ୟ ଦୀର୍ଘ ୭ ବର୍ଷ ବ୍ୟବଧାନରେ ବୃଦ୍ଧି କରାଯାଇଛି। ତାହା ମଧ୍ୟ ବର୍ତ୍ତମାନର ମୂଲ୍ୟର ମାତ୍ର ୪ ପ୍ରତିଶତ। ମନ୍ତ୍ରୀ ସମ୍ଭବତଃ ବୁଝିବାକୁ ଅକ୍ଷମ ଯେ, ଲୋକଙ୍କ ଆର୍ଥିକ ଅବସ୍ଥାକୁ କରୋନାଜନିତ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପରିସ୍ଥିତି ଦୋହଲାଇ ଦେଇଥିବା ବେଳେ ବିଦ୍ୟୁତ୍ ବିଲ୍‌ରେ ୪ ପ୍ରତିଶତ ବୃଦ୍ଧି ସେମାନଙ୍କୁ କେତେ ଆଘାତ ଦେଇଛି।

ରୋଜଗାର ହରାଇଥିବା ସାଧାରଣ ଜନତା ପରିବାର ଚଳାଇବା ପାଇଁ ଯେତେବେଳେ ଅସମର୍ଥ, ସେତେବେଳେ ବିଜୁଳି ବାବଦରେ ୪ ପ୍ରତିଶତ ଅଧିକ ଅର୍ଥ ଆଣିବ କେଉଁଠୁ? ସରକାର କହୁଛନ୍ତି ଯେ ବିଜୁଳି ବିଲ୍ ବର୍ଦ୍ଧିତ ଦରରୁ ବିପିଏଲ୍ ପରିବାର ଓ କୃଷି କ୍ଷେତ୍ରକୁ ବାଦ୍ ଦିଆଯାଇଛି। ଏହା ଏକ ହାସ୍ୟାସ୍ପଦ ଯୁକ୍ତି ନୁହେଁ କି?

ବିପିଏଲ୍‌ଙ୍କ ସଂଖ୍ୟା କେତେ? କୃଷି କ୍ଷେତ୍ର ପାଇଁ କେତେ ବିଜୁଳି?

ସରକାରଙ୍କ ନିକଟରେ ଏହି ହିସାବ ନିଶ୍ଚିତ ଥିବ। ବାସ୍ତବ କଥା ହେଉଛି ରାଜ୍ୟରେ କୁଟୀର ଜ୍ୟୋତି ଯୋଜନା ଓ ବିପିଏଲ୍ ଯୋଜନାରେ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୭ ପ୍ରତିଶତରୁ ଅଧିକ ନୁହେଁ। କୃଷି କ୍ଷେତ୍ରରେ ୨.୩ ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହେଉନାହିଁ। କାରଣ ପଞ୍ଜାବ, ହରିୟାଣା, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଯେତେ ସଂଖ୍ୟକ କୃଷକ ଚାଷବାସ ପାଇଁ ବିଜୁଳି ଖର୍ଚ୍ଚ କରିଥାନ୍ତି, ଓଡ଼ିଶାରେ କୃଷକ ତା’ର କାଣିଚାଏ ମଧ୍ୟ ଖର୍ଚ୍ଚ କରିପାରେ ନାହିଁ।

ସରକାର ସେଭଳି ସୁଯୋଗ ରାଜ୍ୟର କୃଷକ ସମାଜ ପାଇଁ ସୃଷ୍ଟି କରିପାରିନାହାନ୍ତି। ଏପରିସ୍ଥଳେ ସରକାର କୃଷି କ୍ଷେତ୍ର ଓ ବିପିଏଲ୍ ପରିବାର ସକାଶେ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁ କରିବେ ନାହିଁ ବୋଲି ଦର୍ଶାଇ ରାଜ୍ୟବାସୀଙ୍କ ପାଇଁ ଉଦାରତା ଦେଖାଇଛନ୍ତି ବୋଲି ଆତ୍ମ ସନ୍ତୋଷ ଲାଭ କରିବା ଏକ ଭେଳିକି ମାତ୍ର ।

୧୨ ହଜାର କୋଟିରୁ ଅଧିକ ଅର୍ଥ ଅନାଦେୟ ପଡ଼ିଛି

ଆଉ ଏକ ପ୍ରଶ୍ନ, ରାଜ୍ୟ ସରକାର ୧୨ ହଜାର କୋଟିରୁ ଅଧିକ ଟଙ୍କା ବିଭିନ୍ନ ବଡ଼ ଶିଳ୍ପ ସଂସ୍ଥା, ଡିସକମ୍ କମ୍ପାନି, ଓଏଚପିସିର ଜଳକର ବାବଦରେ ବକେୟା ପକାଇ ରଖିଛନ୍ତି। ଡିସକମ୍ କମ୍ପାନିଗୁଡ଼ିକ ଉପରେ ପଡ଼ିଛି ୩,୯୦୭ କୋଟିରୁ ଊର୍ଦ୍ଧ୍ୱ ବକେୟା। ବିଭିନ୍ନ ବଡ ଶିଳ୍ପ ସଂସ୍ଥା ୧୮୭୪ କୋଟି ଟଙ୍କା ଦେଉନାହାନ୍ତି। ଗ୍ରୀଡକୋକୁ ବିଜୁଳି ଯୋଗାଉଥିବା ଓଏଚପିସି ୫ ହଜାର ୭୨୫ କୋଟି ଟଙ୍କା ବାକି ରଖିଛି।

ସରକାର ଯୁକ୍ତି ଦର୍ଶାଉଛନ୍ତି ଯେ, ବିଜୁଳି ଉତ୍ପାଦନ, ପରିବହନ, ବଣ୍ଟନ ଜନିତ କ୍ଷତି ଭରଣା ପାଇଁ ବିଦ୍ୟୁତ୍ ଶୁଳ୍କ ବଢ଼ାଇବାର ଆବଶ୍ୟକତା ପଡ଼ିଲା। ଅନାଦେୟ ଶୁଳ୍କ ପାଇଁ ଏହି କ୍ଷତି ଘଟି ନାହିଁ କି? ଡିସକମ୍ କମ୍ପାନି ବଡ଼ ଶିଳ୍ପ ସଂସ୍ଥା, ଓଏଚପିସିଠାରୁ ବିଜୁଳି ବକେୟା ଅର୍ଥ ଆଦାୟ କରାଯାଇ ନ ପାରିବା ସରକାରୀ ଅପାରଗତା ନୁହେଁ କି? ବିଦ୍ୟୁତ୍ ବଣ୍ଟନ, ସରବରାହ ସର୍ବୋପରି ବିଦ୍ୟୁତ୍ ଚୋରି ପାଇଁ ଯେଉଁ କ୍ଷତି ଘଟୁଛି, ତାହା କ’ଣ ସାଧାରଣ ଜନତାର ଦୋଷ? ସରକାର ନିଜର ବିଦ୍ୟୁତ୍ ପରିଚାଳନାଗତ ଅପାରଗତାକୁ ଢାଙ୍କି ସାଧାରଣ ଖାଉଟି ମୁଣ୍ଡରେ ବିଦ୍ୟୁତ୍ ବିଲ୍‌ର ବୋଝ ଲଦୁଛନ୍ତି କାହିଁକି?

ବିଦ୍ୟୁତ୍ ବଳକା ରାଜ୍ୟରେ ଅଧିକ ମୂଲ୍ୟ କାହିଁକି?

ସରକାର କହୁଛନ୍ତି ଯେ, ଓଡ଼ିଶା ହେଉଛି ବିଦ୍ୟୁତ୍ କ୍ଷେତ୍ରରେ ବଳକା ରାଜ୍ୟ। ରାଜ୍ୟରେ ଉତ୍ପାଦିତ ବିଦ୍ୟୁତ୍ ବାହାର ରାଜ୍ୟକୁ ବିକ୍ରି କରିବାରେ ସମର୍ଥ। ବିଦ୍ୟୁତ ସଂସ୍କାରରେ ପ୍ରଥମ ରାଜ୍ୟ ଓଡ଼ିଶା। ଯଦି ଏହି ଦାବି ସତ୍ୟ, ତେବେ ଓଡ଼ିଶାର ଲୋକଙ୍କୁ ବିଦ୍ୟୁତ୍ ବାବଦରେ ଶୋଷଣ କରାଯାଉଛି କାହିଁକି? ଅନ୍ୟ ରାଜ୍ୟଗୁଡ଼ିକରେ ବିଦ୍ୟୁତ୍ ୟୁନିଟ୍ ପିଛା ମୂଲ୍ୟ କେଉଁଠି ୧.୫୦ ପଇସା, ୧.୪୦ ପଇସା, ୯୦ ପଇସାରେ ସୀମିତ ଥିବାବେଳେ ରାଜ୍ୟବାସୀ ୟୁନିଟ୍ ପିଛା (ପ୍ରଥମ ୫୦ ୟୁନିଟକୁ ) ସର୍ବନିମ୍ନ ୨ଟଙ୍କା ୭୦ ପଇସା ଦେବେ କାହିଁକି?

ଦୁର୍ଭାଗ୍ୟଜନକ କଥା ହେଉଛି ସରକାର ରାଜ୍ୟର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାଠାରୁ ୟୁନିଟ୍ ପିଛା ୩ଟଙ୍କା ୪୨ ପଇସାରେ ବିଦ୍ୟୁତ୍ କିଣି ୨୧ ପଇସା କ୍ଷତିରେ ଅର୍ଥାତ୍ ୩ଟଙ୍କା ୨୧ରେ  ଅନ୍ୟ ରାଜ୍ୟକୁ ବିକ୍ରି କରୁଛନ୍ତି। ଏହି କ୍ଷତି ରାଜ୍ୟବାସୀଙ୍କ ମୁଣ୍ଡରେ ମଧ୍ୟ ଲଦାଯାଉଛି। ସରକାର ଦର୍ଶାଉଛନ୍ତି ଯେ ରାଜ୍ୟରେ ବିଦ୍ୟୁତ୍ ପରିବହନ ଓ ବଣ୍ଟନ ବେଳେ ୪୦ ପ୍ରତିଶତ କ୍ଷତି ଘଟୁଛି।

ଅସଜଡ଼ା ବିଦ୍ୟୁତ୍ ପରହିବନ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଏହି କ୍ଷତି ଘଟୁଛି। ଭିତ୍ତିଭୂମି ସଜାଡ଼ିବା କାହାର କାର୍ଯ୍ୟ? ସେହି କ୍ଷତି ଖାଉଟି ସହିବ କାହିଁକି? ଉଲ୍ଲେଖ କରାଯାଇପାରେ ଯେ, ପଡୋଶୀ ଆନ୍ଧ୍ରପ୍ରଦେଶରେ ଉତ୍ତମ ଭିତ୍ତିଭୂମି କାରଣରୁ ସେଠାରେ ବିଦ୍ୟୁତ୍ ପରିବହନ ଓ ବଣ୍ଟନ ଜନିତ କ୍ଷତି ମାତ୍ର ୧୨ ପ୍ରତିଶତରେ ସୀମିତ।

କ୍ଷତିର ଚିତ୍ର ସ୍ପଷ୍ଟ କରନ୍ତୁ ସରକାର

ଓଡ଼ିଶା ବିଦ୍ୟୁତ୍ ନିଲାମ ପ୍ରାଧିକରଣ (ଓଇଆରସି) ବିଦ୍ୟୁତ୍ ଶୁଳ୍କବୃଦ୍ଧିର ପ୍ରସ୍ତାବ ସରକାରଙ୍କୁ ଦେଇଦେଲା ଏବଂ ସରକାର ଏହି କରୋନା କାଳରେ ତାହାକୁ ମାନିଯାଇ ବିଜୁଳି ଦର ବଢ଼ାଇଦେଲେ। ବିଦ୍ୟୁତ୍ ପରିବହନ ଓ ବଣ୍ଟନରେ କ୍ଷତି ଘଟୁଛି ବୋଲି ଦର୍ଶାଇ ଓଇଆରସି ସରକାରଙ୍କୁ ମୂଲ୍ୟବୃଦ୍ଧି ସୁପାରିଶ୍ କରିଥିଲା। ପ୍ରକୃତରେ ଯଦି କ୍ଷତି ଘଟୁଛି, ତେବେ କେଉଁ କ୍ଷେତ୍ରରେ କେତେ ତାହା ସରକାର ସାଧାରଣରେ ସ୍ପଷ୍ଟ କରୁନାହାନ୍ତି କାହିଁକି?

ଯେଉଁମାନେ ବିଦ୍ୟୁତ୍ ଉପଭୋକ୍ତା, ବିଜୁଳି ବିଲ୍ ଭରୁଛନ୍ତି ସେମାନଙ୍କର ଏହା କ’ଣ ଜାଣିବାର ଅଧିକାର ନାହିଁ। ଯଦି ନୁହେଁ, ତେବେ ସରକାର କେଉଁ ଅଧିକାରରେ ଦର ବଢ଼ାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ଉଠିଲାଣି। କୁହାଯାଉଛି ଯେ, ବିଦ୍ୟୁତ୍ ବଣ୍ଟନ ଖର୍ଚ୍ଚ ଇତିମଧ୍ୟରେ ୭ ପଇସା ବଢ଼ିଯାଇଛି। ତେବେ ସରକାର ୟୁନିଟ୍ ପିଛା ଅଧିକ ୨୦ ପଇସା ବଢ଼ାଇବାର କାରଣ କ’ଣ? କାହା ସ୍ଵାର୍ଥରେ ସରକାର ଏଭଳି ନିଷ୍ପତ୍ତି ନେଲେ? ନୂଆକରି ବଣ୍ଟନ ଦାୟିତ୍ଵ ଗ୍ରହଣ କରିଥିବା କମ୍ପାନି ସ୍ଵାର୍ଥ ରକ୍ଷା ସକାଶେ ଏଭଳି ସରକାରୀ ନିଷ୍ପତ୍ତି ନୁହେଁ ତ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment