ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ।
ଉତ୍ତରପ୍ରଦେଶରେ ଜଣେ ୧୯ ବର୍ଷୀୟ ଯୁବତୀକୁ ଗଣଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଗତକାଲି ଯୁବତୀ ଜଣକ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇବା ପରେ ଏହି ଘଟଣାକୁ ନେଇ ଅନେକ ସାମାଜିକ କର୍ମୀ ନିଜ ନିଜର ମୁହଁ ଖୋଲିଛନ୍ତି। କେତେକ ଏହାକୁ ଆଉ ଏକ ନିର୍ଭୟା ଗଣଦୁଷ୍କର୍ମ ବୋଲି ମଧ୍ୟ କହିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଥିବାବେଳେ ତୁରନ୍ତ ଏହାର ବିଚାର କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି। ଏହି ଟିମ୍ ଆଗାମୀ ୭ ଦିନ ଭିତରେ ଏନେଇ ରିପୋର୍ଟ ଦେବ। ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି ଯୋଗୀ ସୂଚନା ଦେଇଛନ୍ତି।
କ’ଣ ଥିଲା ଘଟଣା?
ସେପ୍ଟେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସଠାରେ ଉଚ୍ଚ ଜାତିର ୪ ଜଣ ଯୁବକ ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ନିଜ ଗାଁ କ୍ଷେତରେ ଘାସ କାଟୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହିତ ମୁମୂର୍ଷ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।
ଯୁବତୀଙ୍କ ମା’ ତାଙ୍କ ଝିଅକୁ ଖୋଜି ଖୋଜି ଯାଇ ତାଙ୍କୁ ବାଜରା କ୍ଷେତରେ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ପୋଲିସରେ ସେମାନେ ଅଭିଯୋଗ କରିଥିଲେ। ପୋଲିସ୍ କିନ୍ତୁ ପ୍ରାଥମିକ ଅବସ୍ଥାରେ ସଠିକ୍ ଭାବେ ତଦନ୍ତ କରିନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୁଷ୍କର୍ମକାରୀମାନେ ଯୁବତୀ ଜଣକର ମେରୁହାଡ଼ ଓ ଜିଭ କାଟିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ନିର୍ଜନ ରାତିରେ ହେଲା ଶବସତ୍କାର
ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇବାପରେ ଗତକାଲି ରାତି ୧୨ଟା ୪୫ରେ ଯୁବତୀଙ୍କ ଶବ ତାଙ୍କ ଗାଁରେ ପହଞ୍ଚିଥିଲା। ଗାଁ ଲୋକମାନେ କିନ୍ତୁ ତୁରନ୍ତ ତାଙ୍କର ଶବସତ୍କାର କରିବାକୁ ମନା କରିଦେଇଥିଲେ। ହେଲେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ଭିତରେ ଗତକାଲି ଯୁବତୀଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଏହି ଗଣଦୁଷ୍କର୍ମ ଘଟଣାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ୍ ଗରିଫ କରିସାରିଛି। ଖୁବଶୀଘ୍ର ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।


















