ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ କରୋନା ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା ଜରିମାନା କିମ୍ଵା ୨ ବର୍ଷ ଜେଲ୍ ଦଣ୍ଡ। ବୁଧବାର ରାଜ୍ୟ କ୍ୟାବିନେଟରେ ପାରିତ ହୋଇଛି ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଧେୟକ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ତ୍ଵେ ମଧ୍ୟ ଏହି ବିଲ୍‌କୁ ପାରିତ କରିଛନ୍ତି ରାଜ୍ୟ ସରକାର।

ବୁଧବାର ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ଏହି ବିଲ୍‌ର ନିୟମ ଅନୁସାରେ ଏଣିକି ରାଜ୍ୟରେ ଯେଉଁ ବ୍ୟକ୍ତି କରୋନା ନିୟମକୁ ଭାଙ୍ଗିବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କିମ୍ଵା ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଅଥବା ଉଭୟ ଦଣ୍ଡ ମଧ୍ୟ ତାଙ୍କ ପକ୍ଷେ ଲାଗୁ ହେବା ନେଇ ଏହି ବିଲ୍‌ରେ ନିୟମ ରଖାଯାଇଛି।

ତେବେ ଏହି ବିଲ୍‌କୁ ଜୋରଦାର୍ ବିରୋଧ କରିଛନ୍ତି ବିରୋଧୀ ଦଳ। “ବିଜୁ ଜନତା ଦଳ ଏହି ବିଲ୍ ଆଣିବାର ଉଦ୍ଦେଶ୍ୟ ହେଲା ବିଧାୟକମାନଙ୍କୁ ବି ୨ ବର୍ଷ ଜେଲ୍‌ରେ ରଖିବେ। ସାଧାରଣ ଲୋକଙ୍କୁ ଏତେ ଟଙ୍କା ଫାଇନ୍ କରାଗଲେ, ସେମାନେ କାଉନସିଲରେ କିମ୍ଵା ସରପଞ୍ଚରେ ପଦବୀରେ ନିର୍ବାଚନ ଲଢ଼ିପାରିବେ ନାହିଁ। ଏ ପ୍ରକାରର ନିମ୍ନ ଚିନ୍ତାଧାରା ନେଇ ଶାସକ ଦଳ ଏହି ବିଲ୍‌କୁ ଆଣିଛି। ରାଜନୈତିକ ବ୍ୟକ୍ତିମାନଙ୍କୁ ଗିରଫ କରିବେ ଆଉ ଲୋକଙ୍କଠାରୁ ବାହାବା ନେବେ। ଏହା ଏକ ନିନ୍ଦନୀୟ ବିଲ୍। ଆମେ ଏହାକୁ ବିରୋଧ କରିଥିଲୁ, ତା ପରେ ବି ଶାସକ ଦଳ ଏହାକୁ ପାରିତ କରିଛି”, କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

“ସରକାରଙ୍କୁ ଏହି ଆଣିବାର କୌଣସି ଆବଶ୍ୟକତା ନଥିଲା। ପୋଲିସ ଯଦି ତା କାମ ଠିକ୍‌ ରୂପେ କରିଥାନ୍ତେ, ତାହାଲେ ଏତେ ସବୁ କାମର ଆବଶ୍ୟକତା ନଥିଲା। ରାଜ୍ୟ ସରକାର ଏହି ବିଲ୍‌ ଜରିଆରେ ବିଧାୟକମାନଙ୍କୁ ଜେଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି”, କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

Comment