ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଇନ୍ଦ୍ରାବତୀ ଶକ୍ତିରେ ଆଲୋକିତ ହେବ କଳାହାଣ୍ଡି। ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୩୦ ହଜାର ଲୋକ ପାଇବେ ନିରବଚ୍ଛିନ ବିଦ୍ୟୁତ୍ ସେବା। ଲୋକଙ୍କୁ ପାୱାରକଟ୍ ସମସ୍ୟାରୁ ମୁକ୍ତି ଦେବା ଲାଗି ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ତିନୋଟି ଶକ୍ତି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ବାନେରଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ୱସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିପାରିବ। ପାୱାରକଟ୍ ସମସ୍ୟା ଦୂର ହେବା ଦ୍ୱାରା ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ।  ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ।”

ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଗ୍ରୀଡ ଦ୍ୱାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ ଜୁନାଗଡ଼କୁ ସଂଯୁକ୍ତ କରାଯିବ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ  କହିଛନ୍ତି ଯେ, ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ୱରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି। କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି। ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଉତ୍ସବରେ ଯୋଗଦେଇ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି। ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍ସପ୍ରେସ ୱେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଛନ୍ତି।ସେହିପରି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି। ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି। ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଏବଂ ଉନ୍ନୟନ କମିଶନର ଯୋଗ ଦେଇଥିଲେ। ଶକ୍ତି ସଚିବ ସ୍ୱାଗତ ଭାଷଣ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here