କମଳାକାନ୍ତ ପତି
ଅତିମାରୀ କରୋନାରେ କେତେ ଲୋକ ପ୍ରାଣ ହରାଇଲେଣି ତାହା ଚୀନ୍, ରୁଷ ଓ ଭାରତ ଲୁଚାଉଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଏଭଳି ବକ୍ତବ୍ୟକୁ ନେଇ ଅସନ୍ତୁଷ୍ଟ ଭାରତ।ତେବେ ଟ୍ରମ୍ପ କ’ଣ ସତ କହିଛନ୍ତି?
ଚୀନ୍, ରୁଷ ଭାରତକୁ ଗୋଟିଏ ଧାଡ଼ିରେ ରଖିଲେ
ସେପ୍ଟେମ୍ବର ୩୦, ଭାରତୀୟ ସମୟ ସକାଳ ସାଢ଼େ ୬ଟାରୁ ୮ଟା ମଧ୍ୟରେ ଆମେରିକାର କ୍ଲିଭଲ୍ୟାଣ୍ଡଠାରେ ଅନୁଷ୍ଠିତ ହୋଇଗଲା ସେହି ଦେଶର ପ୍ରଥମ ‘ପ୍ରେସିଡେନସିଆଲ ଡିବେଟ୍’। ଦୀର୍ଘ ୯୦ ମିନିଟ୍ର ଏହି ବିତର୍କରେ ସାମ୍ନାସାମ୍ନି ହୋଇଥିଲେ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଏବଂ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡନ୍। ୨୦୧୬ରେ ନିର୍ବାଚିତ ହୋଇ ୪ ବର୍ଷ ରାଷ୍ଟ୍ରପତି ରହି ଆସିଥିବା ଟ୍ରମ୍ପ ଏଥର ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଉପରାଷ୍ଟ୍ରପତି ରହି ଆସିଥିବା ବାଇଡନ୍ ଏଥର ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ। ବିତର୍କ ବେଳେ କରୋନା ପ୍ରସଙ୍ଗକୁ ନେଇ ବାଇଡନଙ୍କୁ କଡ଼ା ଜବାବ ଦେବାକୁ ଯାଇ ଟ୍ରମ୍ପ କହିଥିଲେ, ‘ମିଷ୍ଟର ବାଇଡନ୍ ଯଦି ଏହି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଥାଆନ୍ତେ, ତେବେ ୨ ଲକ୍ଷ ନୁହନ୍ତି ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରନ୍ତାଣି।
ଏତିକିରେ ଅଟକି ଯାଇନଥିଲେ ଟ୍ରମ୍ପ। ଆଉ ପାଦେ ଆଗକୁ ବଢ଼ି କହିଥିଲେ, କରୋନା ମୃତ ଓ ଆକ୍ରାନ୍ତଙ୍କ ପରିସଂଖ୍ୟାନ ପ୍ରକାଶରେ ଆମେରିକା ସ୍ଵଚ୍ଛତା ଅବଲମ୍ବନ କରିଆସିଛି। ଆମେ ଚୀନ୍, ରୁଷ ଓ ଭାରତ ଭଳି କରୋନା ମୃତ୍ୟୁ ସଂଖ୍ୟା ଲୁଚାଉନାହୁଁ। ଟ୍ରମ୍ପଙ୍କର ଏଭଳି ବିବୃତ୍ତିକୁ ନେଇ ଭାରତ ସରକାର ବିଚଳିତ। ଟ୍ରମ୍ପ କରୋନା ପ୍ରସଙ୍ଗରେ ଚୀନ, ରୁଷ୍ ସହ ଭାରତକୁ ଗୋଟିଏ ଧାଡ଼ିରେ ରଖିଲେ କିପରି? ଟ୍ରମ୍ପଙ୍କ ଏହି କଥାକୁ ନେଇ ଭାରତରେ ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ କଟାକ୍ଷ କଲେଣି।
ବନ୍ଧୁଙ୍କ ସମ୍ମାନ ପାଇଁ ‘ନମସ୍ତେ ଟ୍ରମ୍ପ’
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟିପ୍ପଣୀ ସାଉଥ୍ ବ୍ଲକକୁ ଯେଉଁଭଳି ଭାବେ ବାଧିଛି, ତାହାକୁ ନେଇ କଂଗ୍ରେସର କଟାକ୍ଷ ମୋଦୀଙ୍କ କଟା ଘା’ରେ ଲୁଣ ଛିଟା ସଦୃଶ ହୋଇଛି। କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଦେଇଥିବା ବିଦେଶୀ ବନ୍ଧୁଙ୍କ ପାଇଁ ଆଉଥରେ ‘ନମସ୍ତେ ଟ୍ରମ୍ପ’ କରନ୍ତୁ ମୋଦୀ। ଭାରତ କରୋନା ସଂକ୍ରାନ୍ତ ତଥ୍ୟ ଗୋପନ ରଖିଛି, ଏପରିକି ଭାରତ, ରୁଷ୍ ଓ ଚୀନ ବାୟୁ ପ୍ରଦୂଷଣ ପାଇଁ ମୁଖ୍ୟତଃ ଦାୟୀ ବୋଲି ଟିପ୍ପଣୀ ଦେଇ ଟ୍ରମ୍ପ କ’ଣ ପ୍ରକୃତ ଅର୍ଥରେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ୍। ଉଲ୍ଲେଖ କରାଯାଇପାରେ ଯେ, ରାଷ୍ଟ୍ରପତି ଟ୍ରମ୍ପ ଗତ ବର୍ଷ ମୋଦୀଙ୍କ ସମ୍ମାନାର୍ଥେ ଆମେରିକାରେ ‘ହାଓଡିମୋଦୀ’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
ସେହି କାର୍ଯ୍ୟକ୍ରମରେ ମୋଦୀ ଉତ୍ସାହିତ ହୋଇ ସେଠାରେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କୁ କହିଦେଇଥିଲେ ‘ଇସବାର୍ ଫିର୍ ଟ୍ରମ୍ପ ସରକାର’। ପରେ ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିଦେଶୀ ବନ୍ଧୁ ଟ୍ରମ୍ପଙ୍କ ସମ୍ମାନାର୍ଥେ ଗୁଜରାଟରେ ଆୟୋଜନ କରିଥିଲେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ। ସେଠାରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ମୋଦୀ ହିଁ ତାଙ୍କର ପ୍ରକୃତ ବନ୍ଧୁ। ଏତେ ଘନିଷ୍ଠତା ସତ୍ତ୍ଵେ ଟ୍ରମ୍ପ କିପରି ‘ପ୍ରେସିଡେନସିଆଲ୍ ଡିବେଟ୍’ ମଞ୍ଚରେ ଭାରତ ବିରୋଧରେ ଟିପ୍ପଣୀ ଦେଲେ ବୋଲି ପ୍ରଶ୍ନ ଉଠୁଛି।
ଟ୍ରମ୍ପ କହୁ କହୁ କହିଦେଲେ
ତେବେ ଟ୍ରମ୍ପ କ’ଣ ବିତର୍କ ଯୋଶ୍ରେ କହୁ କହୁ ଭାରତକୁ ଟାଣିଆଣିଲେ? ଅବଶ୍ୟ ଏହା ନିଶ୍ଚିତ କରି କହିହେବ ନାହିଁ ଯେ, ଟ୍ରମ୍ପଙ୍କ ଟିପ୍ପଣୀ ଅକସ୍ମାତ ଥିଲା। ଅବଶ୍ୟ କରୋନା ବିଫଳତା ନେଇ ତୀବ୍ର ଭାଷାରେ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ ବାଇଡେନ୍। ସେ କହିଥିଲେ ଯେ, କରୋନା ମୁକାବିଲା ନେଇ ଟ୍ରମ୍ପଙ୍କର କୌଣସି ପରିକଳ୍ପନା ନାହିଁ। ଏଭଳି କଟାକ୍ଷରେ ଚିହିଁକି ଉଠି ଟ୍ରମ୍ପ କହିଥିଲେ। ଆପଣ ବୋଧହୁଏ ଜାଣିନାହାନ୍ତି କରୋନାରେ ଚୀନରେ କେତେ ଲୋକ ମରିଛନ୍ତି। ରୁଷ୍ ଓ ଭାରତରେ କେତେ ମରିଛନ୍ତି। ସେମାନେ ଠିକ୍ ତଥ୍ୟ ଦେଉନାହାନ୍ତି। ଟ୍ରମ୍ପଙ୍କର ଏଭଳି ଖାମଖିଆଲି ଆଚରଣ ବିତର୍କ ମଞ୍ଚରେ ବାଇଡନଙ୍କୁ ଚୁପ୍ କରିଦେବା ସକାଶେ ଯଥେଷ୍ଟ ଥାଇପାରେ। ମାତ୍ର ଭାରତ ସରକାରଙ୍କୁ ପ୍ରଚଣ୍ଡ ଅଶ୍ଵସ୍ତିରେ ପକାଇ ଦେଇଛି। ପ୍ରଶ୍ନ ଉଠୁଛି ଟ୍ରମ୍ପ କ’ଣ ଏଭଳି ଟିପ୍ପଣୀ ଜାଣିଶୁଣି ଦେଇଛନ୍ତି?
ସମ୍ପର୍କ ସମ୍ଭବତଃ ବିଗିଡ଼ିଗଲାଣି
କୁଟନୈତିକ ଓ ରାଜନୈତିକ ମହଲର ବିଶ୍ଵାସ ଯେ, ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ରହିଥିବା ଘନିଷ୍ଠତା ସମ୍ଭବତଃ ବିଗିଡ଼ି ଗଲାଣି। ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପରେ, ପ୍ରାୟ ଏକମାସ ପୂର୍ବରୁ ଏକ ଭିଡିଓ ରିଲିଜ୍ କରିଥିଲେ। ସେଥିରେ ସେ ଦାବି କରିଥିଲେ ଯେ, ‘ଆମେରିକା ଲଭସ୍ ଇଣ୍ଡିଆ’। ତେବେ ମାସକ ଭିତରେ କ’ଣ ଏମିତି ବିଗିଡ଼ିଗଲା ଯେ, ଟ୍ରମ୍ପ ଭାରତ ବିରୋଧରେ କହିବାକୁ ବାଧ୍ୟ ହେଲେ? ସମ୍ଭବତଃ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଓ ଭାରତ –ଚୀନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହ ବିବାଦ ଟ୍ରମ୍ପଙ୍କୁ କିଛିଟା କ୍ଷୁବ୍ଧ କରିଛି।
କରୋନା ଭୂତାଣୁର ମୁକାବିଲା ପାଇଁ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ଆମେରିକାକୁ ପ୍ରଦାନ ସକାଶେ ପ୍ରଥମେ ଭାରତ ନାରାଜ ଥିଲା। ପରେ ଏଥିପାଇଁ ଟ୍ରମ୍ପଙ୍କୁ ଧମକ ଦେବାକୁ ପଡ଼ିଥିଲା। ସେହିପରି ଭାରତ –ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଅଛନ୍ତି। ମାତ୍ର ଏହା ପଛରେ ଟ୍ରମ୍ପଙ୍କର ବୃହତ୍ ଉଦ୍ଦେଶ୍ୟ ରହିଥିବାର ଆକଳନ କରି ନୂଆ ଦିଲ୍ଲୀ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଆସିଛି। ସମ୍ଭବତଃ ଏହି ଦୁଇଟି କାରଣ ଟ୍ରମ୍ପଙ୍କୁ ଭାରତ ବିରୋଧରେ ମୁହଁ ଖୋଲିବାକୁ ବାଧ୍ୟ କରିଥାଇପାରେ।
ପରାଜୟ ଆଶଙ୍କାରେ ବିଚଳିତ ଟ୍ରମ୍ପ
୨୦୧୬ ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟିନ୍ ବିଜୟୀ ହେବାର ସମ୍ଭାବନା ଥିଲେ ମଧ୍ୟ ବାଜି ମାରିନେଲେ ଟ୍ରମ୍ପ। ରାଜନୀତିରେ ଅନଭିଜ୍ଞ ଏହି ବ୍ୟବସାୟୀ ସେତେବେଳେ ତାଙ୍କ ବିରୋଧରେ ପ୍ରତିକୂଳ ପରିସ୍ଥିତି ଥିବା ସତ୍ତ୍ଵେ ବିଜୟୀ ହେବା ନେଇ ଦୃଢ଼ ଆଶାବାଦୀ ଥିଲେ। କିନ୍ତୁ ଏଥର ନିର୍ବାଚନରେ ସେଭଳି ଆଶା ସେ ସମ୍ଭବତଃ ଦେଖୁନାହାନ୍ତି। ଆସନ୍ତା ମାସ ରାଷ୍ଟ୍ରପତି ନିର୍ବାଚନ ଥିଲେ ମଧ୍ୟ ଦେଶରେ କରୋନାର ଭୟାବହତା ଦୂର ହେଉନାହିଁ। ଅର୍ଥନୀତି ନିମ୍ନଗାମୀ। ବେରୋଜଗାରୀ ବଢୁଛି। କୃଷ୍ଣକାୟମାନେ ଟ୍ରମ୍ପ ଶାସନରେ ଅଧିକ ନିର୍ଯାତିତ ହୋଇ ରିପବ୍ଲିକାନ୍ ପାର୍ଟିକୁ ତୀବ୍ର ବିରୋଧ କରୁଛନ୍ତି। ଏହିସବୁ ପ୍ରତିକୂଳ ପରିସ୍ଥିତି ଯୋଗୁ ଆମେରିକାରେ ଏବେ ସରକାର ବିରୋଧୀ ହାଓ୍ୱା ବହୁଛି, ଯାହା ଟ୍ରମ୍ପଙ୍କୁ ବିଚଳିତ କରି ରଖିଛି।
ହ୍ରାସ ପାଇପାରେ ରିପବ୍ଲିକାନ୍ ଭୋଟ୍
ପ୍ରକାଶ ଯେ, ସ୍ପାନିଶ୍ ଫ୍ଲୁ ବେଳେ ୧୯୧୮ ମସିହାରେ ଆମେରିକାରେ ହୋଇଥିଲା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ। ସେତେବେଳେ ସମସ୍ତ ଭୋଟ୍ କର୍ମଚାରୀ ଓ ଭୋଟରଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିଲା। ଏକ ଶତାବ୍ଦୀ ପରେ ୨୦୨୦ରେ ଆମେରିକାବାସୀ ଆଉଥରେ ମାସ୍କ ପିନ୍ଧି ଭୋଟ୍ ଦେବେ। ଆମେରିକା ନିର୍ବାଚନରେ ଅଧିକ ଶତାଂଶ ଭୋଟ୍ ପଡ଼ିବାର କାରଣ ହେଉଛି ଯୁବପିଢ଼ିର ଆଗ୍ରହ, ଶ୍ଵେତାଙ୍ଗ ଏବଂ ଅଳ୍ପ ରୋଜଗାର କରୁଥିବା ଭୋଟର। ଏଥର ଅନେକ କଟକଣା ମଧ୍ୟରେ ଭୋଟ୍ ହେବାକୁ ଯାଉଥିବାରୁ ଭୋଟ୍ ଶତାଂଶ ହ୍ରାସ ପାଇବାର ଆଶଙ୍କା ରହିଛି। ଭୋଟରମାନଙ୍କ ମଧ୍ୟରୁ ୨୭ ଶତାଂଶ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ। ଯେଉଁମାନେ କି ଅଧିକାଂଶ ରିପବ୍ଲିକାନ୍ ସମର୍ଥକ। କରୋନା ଯୋଗୁ ପ୍ରାୟ ୮୦ ଶତାଂଶ ମୃତ୍ୟୁ ଏହି ବୟସର ଲୋକଙ୍କ ଘଟିଛି। ସୁତରାଂ ଏହି ବୟସ ବର୍ଗର ଭୋଟ୍ ସଂଖ୍ୟା କମିବ, ଯାହା ଟ୍ରମ୍ପଙ୍କ ପାଇଁ ପ୍ରଚଣ୍ଡ ଧକ୍କା।
ମେଲ୍ –ଇନ୍ ପଦ୍ଧତି କାଳ
ଆମେରିକାର ମେଲ୍ –ଇନ୍ ପଦ୍ଧତିରେ ଭୋଟ୍ ପରମ୍ପରା ରହିଛି। ଅର୍ଥାତ୍ ଭୋଟରମାନଙ୍କୁ ନିର୍ବାଚନ ପୂର୍ବରୁ ଡାକଯୋଗେ ପଠାଇ ଦିଆଯାଇଥିବା ବାଲଟ୍ ପେପରରେ ସେମାନେ ମତ ଦେଇ ନିର୍ଦ୍ଦିଷ୍ଟ ଡ୍ରପ୍ ବାକ୍ସ ମାଧ୍ୟମରେ ପଠାଇବେ। ୨୦୧୬ରେ ଏହି ପଦ୍ଧତିରେ ୨୩.୬ ଶତାଂଶ ଭୋଟ୍ ପଡ଼ିଥିଲା। ଅତିମାରି ଯୋଗୁ ଏହି ଅନୁପାତ ବଢ଼ିବ। ତେଣୁ ପ୍ରମାଦ ଗଣୁଛନ୍ତି ଟ୍ରମ୍ପ। ଏପରିକି ସେ ମେଲ୍ – ଇନ୍ ପଦ୍ଧତିରେ ଭୋଟ୍ ହେରଫେରର ମାଧ୍ୟମ ବୋଲି କହିବାକୁ ପଛାଉନାହାନ୍ତି। ଏଭଳି ଏକାଧିକ କାରଣ ଟ୍ରମ୍ପଙ୍କୁ ବିଚଳିତ କରି ରଖିଥିବାରୁ ସେ ତାଙ୍କର ବନ୍ଧୁ ରାଷ୍ଟ୍ର ବୋଲି ଦାବି କରୁଥିବା ଭାରତ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି।