ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ହାତକୁ ନେବ। ଏହି ଘଟଣାରେ ଦେଶବ୍ୟାପୀ ପ୍ରତିବାଦ ଜୋର୍‌ଦାର ହେବା ପରେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର। ଶନିବାର ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଶୁକ୍ରବାର ଏହି ଘଟଣାରେ ହାଥରସ୍ ଜିଲାର ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ଓ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଥିଲେ ପୀଡ଼ିତାଙ୍କ ପରିବାର। ପୂର୍ବରୁ ଏହି ଘଟଣାରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଘଟଣାର ତଦନ୍ତ ସିବିଆଇ କିମ୍ବା ଏସ୍ଆଇଟି ଦ୍ୱାରା କରାଇବା ପାଇଁ ଏଥିରେ ଆବେଦନ ହୋଇଥିଲା। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯିବା ପାଇଁ ମଧ୍ୟ ଦାବି କରିଥିଲେ ଆବେଦନକାରୀ।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଓ ଶୁଣାଣି ୟୁପିରେ ନିରପେକ୍ଷ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା। ଶନିବାର ଯୋଗୀ ଆଦିତ୍ୟନାଥ ସରକାର ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here