ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ମୋଦୀ ସରକାର ଥିବା ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ଏମ୍ଏସପି ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ। ନୂଆ କୃଷି ଆଇନ ଦ୍ୱାରା ଚାଷୀମାନେ ଉପକୃତ ହେବେ। ନୂଆ ଆଇନ୍ ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥାର ଅନ୍ତଘଟିବ। ଆଜି କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର କୃଷିନୀତିରେ ପରିବର୍ତ୍ତନ ଆଣିବା ଦ୍ୱାରା ଚାଷୀମାନେ ଲାଭବାନ ହେବେ। ଏହାଦ୍ୱାରା ଉତ୍ପାଦନ, ଷ୍ଟୋରେଜ୍ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ। ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କୃଷି ଭିତ୍ତିଭୂମିର ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମାତ୍ର ୨୬ଟି ସାମଗ୍ରୀରେ ଏମ୍ଏସପି ବ୍ୟବସ୍ଥା ରହିଛି। ଏମଏସପି ଲାଗୁ ହୋଇନଥିବା ସାମଗ୍ରୀ ପାଇଁ ବଜାରର ଆବଶ୍ୟକତା ପଡ଼ିବ। ଏଥିପାଇଁ ସମସ୍ତ ପ୍ରକାର ସୁବିଧା ନୂତନ କୃଷି ନୀତିରେ ରହିଛି ବୋଲି ଧର୍ମେନ୍ଦ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି।

ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ତିନୋଟି କୃଷି ବିଲ୍ ଆଣିଥିଲେ। ଯାହାକୁ ବିରୋଧୀମାନେ ପ୍ରବଳ ବିରୋଧ କରିବା ସହ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ଏହାଦ୍ୱାରା ଚାଷୀମାନେ କୌଣସି ଲାଭ ପାଇବେନି। କେନ୍ଦ୍ର ସରକାରଙ୍କ ଏହି ବିଲ୍ ଚାଷୀମାନଙ୍କର ମୃତ୍ୟୁର କାରଣ ହେବ ବୋଲି ବିରୋଧୀ ଦାବି କରିଥିଲେ। ହେଲେ ପ୍ରବଳ ବିରୋଧ ସତ୍ତ୍ୱେ ଏହି ବିଲ୍ ରାଜ୍ୟସଭା ଓ ଲୋକସଭାରେ ପାସ୍ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ୍ କରିଥିଲା। ଏହାପରେ ମଧ୍ୟ ଏହି ଆଇନକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Comment