ଓଡ଼ିଶାଲାଇଭ୍ ବ୍ୟୁରୋ
ମହାମେଣ୍ଟରେ ଆରଜେଡି ଡ୍ରାଇଭର ସିଟରେ ବସିଥିବା ବେଳେ, ଏନଡିଏ ମେଣ୍ଟରେ କିନ୍ତୁ ଗଣିତ ଛିଣ୍ଡୁନି। ଜେଡିୟୁ ଓ ବିଜେପି ସମାନ ସମାନ ସିଟରେ ନିର୍ବାଚନ ଲଢ଼ିବେ। ଗତକାଲି ଅମିତ ଶାହଙ୍କ ବାସଭବନରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଲଜେପିକୁ ନେଇ କିଛି ସ୍ଥିର ହୋଇପାରିନି। ସୂଚନା ଅନୁସାରେ ଏଲଜେପି ବହୁତ ଅଧିକ ଆସନ ଦାବି କରୁଛି। କୌଣସି ପରିସ୍ଥିତିରେ ଜେଡିୟୁ ମଧ୍ୟ ଅଧିକ ଆସନ ଦେବାକୁ ଚାହୁଁନାହିଁ।
ଏକ ସୂତ୍ର ଅନୁସାରେ ବିଜେପି ଓ ଜେଡିୟୁ ୧୧୯ ଲେଖାଏଁ ସିଟରେ ନିର୍ବାଚନ ଲଢ଼ିବେ ଓ ଜୀତନରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ପାଇଁ ୫ଟି ସିଟ୍ ଛାଡ଼ିବ ମେଣ୍ଟ। ସେପଟେ ଜେଡିୟୁ ସହ କେବେ ବି ସହଜ ଅନୁଭବ କରୁ ନ ଥିବା ଏଲଜେପି ଏକୁଟିଆ ନିର୍ବାଚନ ଲଢ଼ିବା ପାଇଁ ଆପତତଃ ସ୍ଥିର କରିଥିବା ସୂଚନା ମିଳିଛି। ଏଲଜେପି ୧୪୩ଟି ଆସନରେ ପ୍ରାର୍ଥୀ ଦେବ।
“ମୋଦି ସେ ବୈର ନହିଁ, ନୀତିଶ ତେରେ ଖୈର ନହିଁ ଅର୍ଥାତ ମୋଦିଙ୍କ ସହ ଶତ୍ରୁତା ନାହିଁ, କି ନୀତିଶଙ୍କୁ ଛଡ଼ାଯିବନାହିଁ”, ଏଲଜେପି ମୁଖ୍ୟ ଚିରାଗ ପାଶୱାନଙ୍କ ଏହି ସ୍ଲୋଗାନକୁ ନେଇ ବେଶ ଚର୍ଚ୍ଚା ହେଉଛି। ଏଲଜେପି ବିଜେପି ସହ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ଲଢ଼ିବ। ଅର୍ଥାତ ବିଜେପି ଲଢୁଥିବା ଆସନଗୁଡ଼ିକରେ ଏଲଜେପି ବୁଝାମଣା କରି ପ୍ରାର୍ଥୀ ଦେବନାହିଁ। କିନ୍ତୁ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଠିଆ କରାଇବ ଏଲଜେପି। ଦଳିତ ଭୋଟକୁ ନେଇ ଏଠାକାର ଜିତ୍ ହାର ଅଧିକ ପରିମାଣରେ ସ୍ଥିର ହେଉଥିବାରୁ, ଏଲଜେପିକୁ ଅଟକାଇବା ଜେଡିୟୁ ପାଇଁ କଷ୍ଟକର ହେବ। ଏମିତି ହେଲେ ଯଦି ଜେଡିୟୁ ଅଧିକ ଆସନ ହାରିଯାଏ, ତେବେ ବିଜେପି ପାଇଁ ଏଲଜେପି ବିକଳ୍ପ ଖୋଲା ରହିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।
ନୀତିଶ କୁମାରଙ୍କ ନେତୃତ୍ୱକୁ ବହୁ ପୂର୍ବରୁ ଚିରାଗ ଚାଲେଞ୍ଜ କରିଆସୁଛନ୍ତି। ତେଣୁ ଏଲଜେପିର ଦାବି ପୂରଣ ନ ହେଲେ କୌଣସି ପରିସ୍ଥିତିରେ ମେଣ୍ଟରେ ସାମିଲ ହେବନାହିଁ ବୋଲି ଚିରାଗଙ୍କ ନିକଟ ନେତାମାନେ ଖୋଲାଖୋଲି କହୁଛନ୍ତି। ତେବେ କିଛି ବରିଷ୍ଠ ନେତାଙ୍କ କହିବା କଥା ଯେ, ଏଲଜେପି ସମ୍ଭବତଃ ଏକୁଟିଆ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ ଚିରାଗ ମଧ୍ୟ ପାର୍ଟି କୋରମେମ୍ବରଙ୍କୁ ୧୪୩ ପ୍ରାର୍ଥୀଙ୍କ ତାଲିକା ଓ ଆସନ ସ୍ଥିର କରି ସେମାନଙ୍କ ନିର୍ବାଚନମଣ୍ଡଳୀରେ କାମ କରିବାକୁ ନିର୍ଦ୍ଦେଶ ଦେଇସାରିଥିବା ସୂଚନା ମିଳିଛି। ଏଥିରେ ଏଲଜେପିର ନେତା ଓ କର୍ମୀମହଲରେ ସହମତି ଥିବା ସୂଚନା ମିଳିଛି।


















