ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆକ୍ରାନ୍ତ ଥାଇ ମଧ୍ୟ ଏହାର ନିୟମକୁ ମାନୁନାହାନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ହସ୍ପିଟାଲରୁ ବାହାରିବା ପରେ ସେ ବିନା ମାସ୍କରେ ବୁଲିଛନ୍ତି। ଯାହାକୁ ନେଇ ଏବେ ଆମେରିକା ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

କିଛି ଦିନ ତଳେ ଟ୍ରମ୍ପ ଓ ତାଙ୍କର ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଦୁହେଁ ହୋମ୍ ଆଇସୋଲେସନରେ ଥିବା ନେଇ ଟୁଇଟ୍ କରି ଜଣାଇଥିଲେ। ହେଲେ ଏହାପରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।

ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଟ୍ରମ୍ପ ହସ୍ପିଟାଲରୁ ବାହାରିଛନ୍ତି। ହେଲେ ସେ କରୋନାରୁ ସୁସ୍ଥ ହୋଇନାହାନ୍ତି। ଡାକ୍ତର ତାଙ୍କୁ ଏବେ ବି ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏସବୁ ନିୟମକୁ ଟ୍ରମ୍ପ ବେଖାତିର କରୁଥିବା ଦେଖିବାକୁ ମିଳିଛି। ଏପରିକି ସେ କରୋନାରେ ଆକ୍ରାନ୍ତ ଥାଇ ମଧ୍ୟ ମାସ୍କ ବ୍ୟବହାର କରୁନାହାନ୍ତି।

ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏହା ଭିତରେ ହ୍ୱାଇଟ ହାଉସର ମୋଟ ୧୩ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଏହା ମଧ୍ୟରେ ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ମଧ୍ୟ ସାମିଲ ଅଛନ୍ତି। ତେଣୁ ଟ୍ରମ୍ପଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ଆମେରିକା ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେବା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here