ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ପାରିତ ହେଲା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍। ଲଗାତାର ୪ ଦିନର ଆଲୋଚନା ପରେ ମଙ୍ଗଳବାର ଗୃହରେ ଏହି ବିଲ୍ ପାରିତ ହୋଇଛି। କଂଗ୍ରେସ ପକ୍ଷରୁ ଏହି ବିଲ୍କୁ ବିରୋଧ କରାଯାଇ ଆଜିର ଦିନକୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ ଏକ କଳା ଦିନ ବୋଲି କୁହା ଯାଇଛି।
ଏହି ବିଲ୍ର ଆଲୋଚନାରେ ବିଜେପି ବିଧାୟକମାନେ ଭାଗ ନେଇନାହାନ୍ତି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ଏହି ବିଲ୍କୁ ତୀବ୍ର ବିରୋଧ କରାଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ପାରିତ ହୋଇଥିବା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍କୁ କଳା ଆଇନ୍ ବୋଲି କହିଛନ୍ତି। ଏଥିସହିତ ଆଜିର ଦିନଟି ଓଡ଼ିଶା ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଅମାବାସ୍ୟା ବୋଲି ଶ୍ରୀ ମିଶ୍ର କହିଛନ୍ତି।
“ଏହି ନୂତନ ଆଇନ୍ ଦ୍ଵାରା ବିଶ୍ଵବିଦ୍ୟାଳୟର କୌଣସି ଅଧିକାର କ୍ଷୁର୍ଣ୍ଣ ହେବନାହିଁ। ପୂର୍ବପରି ସମସ୍ତ ଅଧିକାର ବିଶ୍ଵବିଦ୍ୟାଳୟମାନଙ୍କର ରହିବ। କିଛି ବିଶ୍ଵବିଦ୍ୟାଳୟରେ ବର୍ଷ ବର୍ଷ ଧରି ସିଣ୍ଡିକେଟ ବସୁନାହିଁ। ଏଥିପାଇଁ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। କୁଳପତି ଚୟନରେ ମଧ୍ୟ ସଂପୂର୍ଣ୍ଣ ସ୍ଵଚ୍ଛଳତା ରଖାଯିବ”, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।


















