ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିନ ଥିଲା ଲୋକେ ତାଙ୍କୁ ମା’ ସୀତା ଭାବେ ଚିହ୍ନୁଥିଲେ। ଆଖପାଖ ଅଞ୍ଚଳରେ ତାଙ୍କ ଅଭିନୟ ଚହଳ ସୃଷ୍ଟି କରିଥିଲା। କିନ୍ତୁ ଏବେ ମାନସିକ ରୋଗରେ ପୀଡ଼ିତ ସେଦିନର ସେହି ଲୋକପ୍ରିୟ ଅଭିନେତ୍ରୀ। ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି। ଘରୁ ବାହାରି ଏଣେତେଣେ ପଳାଇ ଯାଉଥିବାରୁ ପରିବାର ଲୋକେ ତାଙ୍କ ହାତରେ ବେଡ଼ି ପକାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ଅନ୍ତର୍ଗତ ବରଜ ଗାଁରେ ଏଭଳି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି।
ବରଜ ଗାଁର ବଦାନୀ ସାମଲ ସ୍ଥାନୀୟ ରାମଲୀଳା ଯାତ୍ରା ଦଳରେ ସୀତା ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ କୋକିଳ କଣ୍ଠର ସଙ୍ଗୀତ ଏବଂ ଅଙ୍ଗଭଙ୍ଗୀ ଦର୍ଶକଙ୍କୁ ମୁଗ୍ଧ କରୁଥିଲା। ତାଙ୍କ ଅଭିନୟ ଏତେ ଜୀବନ୍ତ ଲାଗୁଥିଲା ଯେ ଅନେକ ଲୋକ ତାଙ୍କୁ ବଦାନୀ ବଦଳରେ ସୀତାଦେବୀ ବୋଲି ସମ୍ବୋଧନ କରୁଥିଲେ। ତାଙ୍କ କଳାର ଚାତୁରୀ ପାଇଁ ସେ ଅନେକଙ୍କ ହୃଦୟ ଜିଣି ପାରିଥିଲେ।
ହେଲେ ତାଙ୍କର ଏହି ସୁଖ ସବୁଦିନ ପାଇଁ ରହିଲାନି। ଏକ ଯାତ୍ରା ପେଣ୍ଡାଲରେ ତାଙ୍କର ମାନସିକ ବିକୃତି ଆରମ୍ଭ ହୋଇଥିଲା। ବାସ୍, ସେବେଠାରୁ ତାଙ୍କ କଳାରେ ବେଡ଼ି ପଡିଗଲା। ପରିବାର ଲୋକେ ଅନ୍ୟ ଆଗରେ ହାତପତେଇ ବଦାନୀଙ୍କ ଚିକିତ୍ସା କରାଇଥିଲେ।
ବଦାନୀ ଭଲ ହେବା ପରେ ତାଙ୍କୁ ତାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାରେ ଜଣେ ବୟସ୍କଙ୍କ ହାତକୁ ଟେକି ଦେଇଥିଲେ। ସେଠାରେ କିଛିଦିନ ରହଣି ପରେ ପୁଣି ମାନସିକ ବିକାରର ସମ୍ମୁଖୀନ ହେଲେ ବଦାନୀ। ଶାଶୁଘର ଲୋକେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ତାଙ୍କ ଗାଁରେ ଛାଡ଼ି ଦେଇଗଲେ।
ଇତିମଧ୍ୟରେ ବିତିଲାଣି ୪ ବର୍ଷ। ଭୂମିହୀନ ବଦାନୀଙ୍କ ବାପା ଶିବ ସାମଲ ଏକ ସରକାରୀ ଜମିରେ କୁଡ଼ିଆ ଘର ତୋଳି ସ୍ତ୍ରୀ ପୁଷ୍ପ, ଦୁଇ ଝିଅ ଓ ପୁଅ ବୋହୂଙ୍କୁ ନେଇ ରହୁଛନ୍ତି। ରୋଜଗାର କହିଲେ ଶିବଙ୍କ ମୂଲ ମଜୁରି। ଆଉ ସ୍ତ୍ରୀ ପୁଷ୍ପ ଗାଁ ପାଖ ପୋଖରୀ ଓ ନଦୀନାଳରୁ ଜାଲରେ ମାଛ କଙ୍କଡ଼ା ଧରନ୍ତି। ପାଖ ହାଟବଜାରରେ ବିକ୍ରି କରନ୍ତି। ଯାହା ମିଳେ ସେଥିରେ କଷ୍ଟେମଷ୍ଟେ ଢୋକେ ପିଇ ଦଣ୍ଡେ ଜିଇଁଲା ପରି ଚଳନ୍ତି।
୨୦୧୭ ମସିହାରେ ବଦାନୀଙ୍କ ଏହି ସମସ୍ୟା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଅବଗତ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ବଦାନୀଙ୍କୁ ତାଙ୍କ ଘରୁ ନେଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବଦାନୀ ରୋଗମୁକ୍ତ ହୋଇଥିଲେ। ତେବେ ଦୈନିକ ଔଷଧ ସେବନ ନକଲେ ପୁଣି ରୋଗ ବାହାରିବ ବୋଲି ଡାକ୍ତର କହିଥିଲେ।
କରୋନା ଆସିବା ଦିନରୁ ସଟ୍ଡାଉନ୍ ଓ ଲକ୍ଡାଉନ୍ ହେବାରୁ ବଦାନୀଙ୍କ ସମସ୍ୟା ବଢ଼ିଛି। କରୋନା କଟକଣା ପାଇଁ କେତେବେଳେ ଗାଡ଼ି ମଟର ବନ୍ଦ ତ କେତେବେଳେ ଡାକ୍ତରଖାନା ବନ୍ଦ। ଆଜିକୁ ୭ ମାସ ହେଲା ବଦାନୀଙ୍କୁ ଔଷଧ ଦେଇ ପାରିନାହାନ୍ତି ଶିବ। କଟକ ଯିବାକୁ ପାଖରେ କାଣି କଉଡ଼ିଟିଏ ବି ନାହିଁ। ମୂଲ ମଜୁରି ମିଳୁ ନଥିବାରୁ ପରିବାର ଲୋକେ ଭୋକ ଉପାସରେ ବଞ୍ଚୁଛନ୍ତି।
ରୋଗ ବଢ଼ିବଢ଼ି ଯିବାରୁ ବଦାନୀ ପାଗଳିପ୍ରାୟ ହୋଇ ଘରୁ ବାହାରି ଏଣେତେଣେ ଚାଲି ଯାଉଛନ୍ତି। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ବଦାନୀଙ୍କୁ ଲୁହା ଜଞ୍ଜିରରେ ଘର ଖୁଣ୍ଟରେ ବାନ୍ଧି ଦେଇଛନ୍ତି। ଝିଅର ଚିକିତ୍ସା ଚିନ୍ତାରେ ପରିବାରରେ ଭାଳେଣି ପଡିଛି।
ବଦାନୀଙ୍କର ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ହେଲେ କରୋନାର ଭୟ ସାଙ୍ଗକୁ ଆର୍ଥିକ ସମସ୍ୟା ତାଙ୍କ ଚିକିତ୍ସାର ବାଟ ଓଗାଳୁଛି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏପରି ଜଣେ କଳାକାରଙ୍କ ଚିକିତ୍ସା ପାଇଁ ବାଟ ବାହାର କରିବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

















