ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଓ ପୂଜା ଋତୁରେ ଅଧିକ ସତର୍କତା ଜରୁରୀ। ସାମାନ୍ୟ ଢିଲାପଣ ପରିସ୍ଥିତି ଗମ୍ଭୀର କରିବ। ତେଣୁ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ସାମାନ୍ୟ ଢିଲାପଣ ପରିସ୍ଥିତି ଗମ୍ଭୀର କରିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢ଼ିଯାଇଛି। ଇଉରୋପ୍‌ର ଦେଶଗୁଡ଼ିକରେ ମଧ୍ୟ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଦେଖାଦେଇଛି। ତେଣୁ ସାମାନ୍ୟ ଢିଲାପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ଼ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଦୃଢ଼ ମନିଟରିଂ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଆର୍ଥିକ କାର୍ଯ୍ୟକ୍ରମରେ ବାଧାକୁ ବରଦାସ୍ତ କରାଯିବନି

ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସମସ୍ତ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦିଆଯିବ। ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ସେ କହିଥିଲେ। ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈକିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯିବ। ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ। ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ବୈଠକରେ ଆର୍ଥିକ ପୁନରୁଦ୍ଧାର ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ବର୍ଷା ଲାଗି ନ ରହିଲେ, ଚଳିତ ବର୍ଷ ରେକର୍ଡ ଖରିଫ ଉତ୍ପାଦନ ହେବ । ସେହିପରି ରୋଜଗାର ସୃଷ୍ଟିରେ ପଞ୍ଚାୟତିରାଜ ବିଭାଗ ଉଲ୍ଲେଖନୀୟ ଭାବେ ଚଳିତବର୍ଷ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ମାନବ ଦିବସ ସୃଷ୍ଟି କରିସାରିଛି। ରାଜ୍ୟର ସମସ୍ତ ବଡ଼ ଶିଳ୍ପ ସ୍ୱାଭାବିକ କାମ କରୁଛନ୍ତି। ୮୫ ପ୍ରତିଶତ ଏମ୍ଏସ୍‌ଏମ୍‌ଇ କାମ ଆରମ୍ଭ କଲେଣି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ୩୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଛି।

ଭୁବନେଶ୍ୱରରେ ଆଜିଠାରୁ ସେରୋ ସର୍ଭେ ଆରମ୍ଭ ହେଲା

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ କମୁଛି। ଆଣ୍ଟି ଭାଇରାଲ ଟାବଲେଟ୍ ଫାଭିପିରାଭିର ଭଲ କାମ ଦେଉଛି। ଟେଷ୍ଟ ରିପୋର୍ଟ ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି। ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡ଼ିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି। ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍ ଥିବାବେଳେ ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। ଭୁବନେଶ୍ୱରରେ ଆଜିଠାରୁ ସେରୋ ସର୍ଭେ ଆରମ୍ଭ କରାଗଲା ବୋଲି ମହାପାତ୍ର ସୂଚନା ଦେଇଛନ୍ତି।

କୋଭିଡ ଗାଇଡଲାଇନ୍ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍ ପ୍ଲାଜମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here