ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତିନି ବର୍ଷ ତଳେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବସନ୍ତ ଦାସକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍। ଏହି ମାମଲାରେ ବସନ୍ତକୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ସୂଚନା ମିଳିଛି।
୨୦୧୭ ମସିହାରେ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ କେନ୍ଦ୍ରାପଡ଼ା ସହରର ବଣିଆମାଳ ଗାଁର ବାପି ଓରଫ ବସନ୍ତ ଦାସକୁ ଖୋଜୁଥିଲା। ଏକ ଚୋରି ଘଟଣାରେ ଆଇପିସିର ଦଫା ୪୫୭ ଓ ୩୮୦ରେ ବସନ୍ତ ବିରୋଧରେ ମାମଲା ରହିଥିଲା। ଗତ ୨୦୧୭ ଜୁନ ୨୧ ତାରିଖରେ ବସନ୍ତ ଘରେ ଥିବା ଖବରପାଇ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସର ଏକ ଟିମ୍ ବସନ୍ତ ଘର ଉପରେ ଚଢ଼ାଉ କରିଥିଲା।
ସେହି ସମୟରେ ବସନ୍ତ ଘର ଭିତରୁ କବାଟ ବନ୍ଦକରି ବାହାରକୁ ଭଙ୍ଗା କାଚ ବୋତଲ ଫିଙ୍ଗିଥିଲା। ଖଣ୍ଡିଆ ଖାବରା ହେବା ଭୟରେ ପୋଲିସ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲା। ସ୍ଥାନୀୟ ଗ୍ରାମବାସୀମାନଙ୍କ ସହାୟତାରେ ବସନ୍ତକୁ ପୋଲିସ କାବୁ କରିବା ବେଳେ ବସନ୍ତ ଟାଉନଥାନାର ତତ୍କାଳୀନ ହାବିଲଦାର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପନିକିରେ ଆକ୍ରମଣ କରି ଲହୁଲୁହାଣ କରିଥିଲା।
ଏହି ଘଟଣାରେ ଟାଉନଥାନାର ଏଏସ୍ଆଇ ଶରତ କୁମାର ବାରିକଙ୍କ ଅଭିଯୋଗ କ୍ରମେ ବସନ୍ତ ବିରୋଧରେ ଆଇପିସିର ଦଫା ୩୪୧, ୩୦୭, ୩୨୪, ୨୯୪, ୩୫୩ ଓ ୫୦୬ ଦଫାରେ ମାମଲା ରୁଜୁ କରାଯିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଜାମିନ୍ ନାମଞ୍ଜୁର ହେବାରୁ ସେବେଠାରୁ ବସନ୍ତ ବିଚାର ବିଭାଗୀୟ ହାଜତରେ ଥିଲା।
ଏହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ଅଭିଯୁକ୍ତ ବସନ୍ତକୁ ଦଫା ୩୨୪ରେ ୩ ବର୍ଷ ଓ ଦଫା ୩୫୩ରେ ୧ ବର୍ଷ, ମୋଟ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ସିଜେଏମ୍ କୋର୍ଟର ବରିଷ୍ଠ ସରକାରୀ ଓକିଲ ରମାକାନ୍ତ ସ୍ଵାଇଁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ। ସେ ୧୫ ଜଣ ସାକ୍ଷୀଙ୍କ ବୟାନ ଭିତ୍ତିରେ ଅଦାଲତଙ୍କୁ ସହାୟତା କରିଥିଲେ। ଏହି ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରକରି କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି।

















