ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଦୁର୍ନୀତିକୁ ନେଇ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ୱିତ ପାତ୍ରଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ଏଥିସହ ଏହି ମାମଲାକୁ ପୂର୍ବରୁ ଦାଏର ହୋଇଥିବା ମାମଲା ସହ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।
ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ନଭେମ୍ବର ୨ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
ଆବେଦନକାରୀ ଶ୍ରୀ ପାତ୍ର ନିଜ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ବଗଲା ଧର୍ମଶାଳା ନାମରେ ଥିବା ଜମି ଜଗନ୍ନାଥଙ୍କ ଅମୃତମଣୋହି ଜମି। ଶ୍ରୀମନ୍ଦିର ଆଇନ ଅନୁଯାୟୀ ଏହି ଜମିକୁ କାହାରିକୁ ବିକ୍ରି କିମ୍ୱା ହସ୍ତାନ୍ତର କରାଯାଇ ପାରିବ ନାହିଁ। କିନ୍ତୁ ରାଜ୍ୟ ସରକାର ଏହି ଜମିକୁ ବେଆଇନ ଭାବେ କିଛି ଲଜ୍ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।
ପୁରୀ ଜିଲ୍ଲା ପ୍ରଶାସନ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ଜମିଟି ଲଜିଂ ଫଣ୍ଡ ହାଉସ କମିଟି ଅଧୀନରେ ରହିଛି ବୋଲି ଦର୍ଶାଇ ଏହାକୁ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲା। ଏହାକୁ ପରବର୍ତ୍ତୀ ସମୟରେ ପୁରୀ ମ୍ୟୁନିସିପାଲିଟିକୁ ଦିଆଯାଇଥିଲା।
ସେଠାରୁ ନଗର ଉନ୍ନୟନ ବିଭାଗ, ପରେ ରାଜସ୍ୱ ବିଭାଗକୁ ଦିଆଯିବା ସହିତ ରିଲିଫ ଆଣ୍ଡ ରିହାବିଲିଟେସନ ଡିପାର୍ଟମେଣ୍ଟକୁ ଦିଆଯାଇ ୫ଟି ପ୍ଲଟ୍ କରି ଏହାକୁ ବିକ୍ରି କରିଦିଆଯାଇଛି। ତେଣୁ ଅଦାଲତ ପ୍ରଶାସନର ଏଭଳି ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହ ଏହି ଜମିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।ହାଇକୋର୍ଟ ଗତକାଲି ମାମଲାର ପ୍ରାଥମିକ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବଗଲା ଧର୍ମଶାଳା ଜମି ହସ୍ତାନ୍ତରକୁ ବିରୋଧ କରି ପୂର୍ବରୁ ଆବେଦନକାରୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏବେ ଦୁଇଟି ମାମଲାର ଏକତ୍ର ଶୁଣାଣି ହେବ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି। ସମ୍ବିତ ପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।