ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନର ଲୋକ ଯେତିକି ଖାଆନ୍ତି, ଭାରତରେ ସେତିକି ଖାଦ୍ୟ ନଷ୍ଟ ହୁଏ।  ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ବର୍ଷକୁ ୫୦ରୁ ୮୦ ହଜାର କୋଟି ଟଙ୍କାର ଖାଦ୍ୟ ନଷ୍ଟ କରନ୍ତି ଭାରତୀୟ।

ଖାଦ୍ୟ ନଷ୍ଟ ହେବା ଦୁନିଆର ସବୁ ଦେଶ ପାଇଁ ଏବେ ଚିନ୍ତାର ବିଷୟ। ଭାରତରେ ଯେପରି ଖାଦ୍ୟ ନଷ୍ଟ ହୁଏ, ସେହିପରି ସାଉଦିଆରବରେ ମଧ୍ୟ ଦେଖିବାକୁ ମିଳେ। ଖାଦ୍ୟ ଫିଙ୍ଗିବା ଓ ନଷ୍ଟ କରିବାର ଏହି ଖରାପ ପରମ୍ପରା ସବୁ ଦେଶରେ ଅଳ୍ପ ବହୁତେ ରହିଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ବ୍ରିଟେନର ଲୋକମାନେ ଦୈନିକ ଯେତିକି ଖାଦ୍ୟ ଖାଆନ୍ତି, ଭାରତରେ ସେତିକି ଖାଦ୍ୟ ନଷ୍ଟ ହୁଏ।

ରିପୋର୍ଟ ଅନୁସାରେ ସାଉଦିଆରବରେ ଖାଦ୍ୟ ନଷ୍ଟ ହେବାର ପରିମାଣରେ ସାରା ବିଶ୍ୱରେ ସର୍ବାଧିକ ରହିଛି। ପରିବେଶ, ଜଳ ଓ କୃଷି ମନ୍ତ୍ରଣାଳୟ ଅନୁସାରେ ସେହି ଦେଶରେ ପ୍ରତ୍ୟେକ ଘରେ ବର୍ଷକୁ ୨୬୦ କିଲୋଗ୍ରାମ ଖାଦ୍ୟ ନଷ୍ଟ ହୋଇଥାଏ। ଅନ୍ୟପକ୍ଷରେ ବିଶ୍ୱରେ ପ୍ରତ୍ୟେକ ପରିବାର ବାର୍ଷିକ ହାରାହାରି ୧୧୫ କିଲୋଗ୍ରାମ ଖାଦ୍ୟ ନଷ୍ଟ କରିଥାନ୍ତି।

ନୂଆ ତଥ୍ୟ ଅନୁସାରେ ନଷ୍ଟ ହେଉଥିବା ଖାଦ୍ୟର ମୂଲ୍ୟ ଜାଣିଲେ ଆପଣ ଚକିତ ହୋଇଯିବେ। ସାରା ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରାୟ ୯୪୦ ବିଲିୟନ ଡଲାରର ଖାଦ୍ୟ ନଷ୍ଟ ହୋଇଥାଏ। ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ୬୭ ଲକ୍ଷ କୋଟି ଟଙ୍କା।

ଭାରତରେ ନଷ୍ଟ ହେଉଥିବା ଖାଦ୍ୟର ପରିମାଣ ମଧ୍ୟ ଚିନ୍ତା ସୃଷ୍ଟି କରିବା ଭଳି। ୨୦୧୭ ସିଏସ୍‌ଆର୍‌ ରିପୋର୍ଟ ଅନୁସାରେ ପ୍ରତ୍ୟେକ ବର୍ଷ ବ୍ରିଟେନର ଲୋକମାନେ ଯେତିକି ପରିମାଣର ଖାଦ୍ୟ ଖାଇଥାନ୍ତି, ସେତିକି ଖାଦ୍ୟ ଭାରତରେ ଆମେ ନଷ୍ଟ କରିଦେଉ। ଭାରତରେ ଯେଉଁଠି ଲକ୍ଷାଧିକ ଲୋକ ଭୋକ ଉପାସରେ ରହୁଛନ୍ତି, ସେଠାରେ ଖାଦ୍ୟ ନଷ୍ଟ ହେବାର ଏଭଳି ପରିସଂଖ୍ୟାନ ଚିନ୍ତାଜନକ ନିଶ୍ଚୟ।

ରିପୋର୍ଟ ଅନୁସାରେ ଭାରତରେ ଖାଦ୍ୟ ନଷ୍ଟର ପରିମାଣ ଉତ୍ତର ଓ କେନ୍ଦ୍ରୀୟ ଭାରତର ବିଭିନ୍ନ ସମାରୋହରେ ସର୍ବାଧିକ ରହିଛି। ବିବାହ, କ୍ୟାଣ୍ଟିନ, ହୋଟେଲରେ ଖାଦ୍ୟ ସବୁଠାରୁ ଅଧିକ ନଷ୍ଟ ହୋଇଥାଏ। ଭାରତରେ ଯେଉଁଠି ଲକ୍ଷାଧିକ ଲୋକ ଭୋକରେ ରୁହନ୍ତି, ସେଠାରେ ଭାରତରେ ପ୍ରତି ବର୍ଷ ୫୦ ହଜାର କୋଟି ଟଙ୍କାର ଖାଦ୍ୟ ନଷ୍ଟ ଯାଏ। ସଦ୍ୟ ପ୍ରକାଶ ପାଇଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ ଅନୁସାରେ ଭୋକିଲା ଶ୍ରେଣୀରେ ଥିବା ୧୦୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିଛି।

LEAVE A REPLY

Please enter your comment!
Please enter your name here