ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଭିଡିଓ ଭାଇରାଲ ମାମଲା ଦୀର୍ଘଦିନ ପରେ ପୁଣି ଥରେ ଖୋଲିବା ଯୋଗୁ ଯେଉଁ ବିବାଦର ସୂତ୍ରପାତ ହୋଇଛି, ତାହା ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ ନା ରାଜନୀତି! ଏହା ପଛରେ ଆଦିବାସୀ କାର୍ଡ ରାଜନୀତି କାମ କରୁଛି କି! ଏବେ ଏଭଳି ଚର୍ଚ୍ଚା ଜୋର୍ ଧରିଛି।
ଗତ ୧୫ ତାରିଖ ହଠାତ୍ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ କେନ୍ଦୁଝର ପୋଲିସ ଉଠାଇନେଇ ଜେରା କରିଥିଲା। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଭାଇରାଲ ଭିଡିଓ ଘଟଣାରେ ରଥଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ନିଆଯାଇଥିବା କହିଥିଲା ପୋଲିସ।
ତେବେ ଏନେଇ ସାମ୍ବାଦିକ ରଥ ଓ ଓଟିଭିର ପ୍ରତିକ୍ରିୟା ଥିଲା ଯେ ପୋଲିସ କୌଣସି ସୂଚନା ନ ଦେଇ ରଥଙ୍କୁ ଉଠାଇ ନେଇଥିଲା। ଚନ୍ଦ୍ରାଣୀଙ୍କ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇସାରିଥିବା ସହ ମାମଲା ବହୁଦିନ ତଳୁ ବନ୍ଦ ପଡ଼ିଥିଲା। କିନ୍ତୁ ହଠାତ୍ ସେହି ମାମଲାରେ ରଥଙ୍କୁ ପୋଲିସ ଜେରା କରିବା ପଛରେ କିଛି ନ୍ୟସ୍ତ ସ୍ୱାର୍ଥ ରହିଛି। ଏହାର ପୂର୍ବ ଦିନ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଓ ଏରିୟଲ ସର୍ଭେର ସତ୍ୟାସତ୍ୟ ଉପରେ ଖବର ପରିବେଷଣ କରିଥିଲା ଓଟିଭି। ଏହାର ପରିଣାମରେ ସଂସ୍ଥାର ବରିଷ୍ଠ ସାମ୍ବାଦିକଙ୍କୁ ପୋଲିସ ପୁରୁଣା ମାମଲାକୁ ଟାଣିଛି ବୋଲି ଓଟିଭି ପ୍ରତିକ୍ରିୟା ରଖିଥିଲା।
ଏହି ଘଟଣା ପରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନିଜ ଭିଡିଓ ଜାରି କରି କହିଥିଲେ, ‘୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଥ୍ୟା ଭିଡିଓ ଭାଇରାଲ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟରୁ ଆସି ସାଂସଦ ହୋଇଥିବାରୁ ତାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ବଦନାମ କରାଯାଉଛି। ସାମ୍ବାଦିକ ରମେଶ ରଥଙ୍କୁ ଓଟିଭି, ବୈଜୟନ୍ତ ଓ ଜଗୀ ପଣ୍ଡା ସୁରକ୍ଷା ଦେଉଛନ୍ତି। ଦିଲ୍ଲୀରେ ଉଭୟଙ୍କର କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ବନ୍ଧୁତା ରହିଛି। ତେଣୁ ରମେଶ ରଥଙ୍କୁ ପୋଲିସ ଜେରା କରିବା ଘଟଣାକୁ ଜାତୀୟ ଗଣମାଧ୍ୟମ ମିଡିଆ ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି।’
ଚନ୍ଦ୍ରାଣୀ ଆହୁରି ମଧ୍ୟ ବୈଜୟନ୍ତ ଓ ଜଗୀ ପଣ୍ଡାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ, ‘ମୋ ଜାଗାରେ ଆପଣଙ୍କ ଝିଅ ଥିଲେ କ’ଣ କରିଥାନ୍ତେ?’
ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଏତେଦିନ ପରେ ପୋଲିସର ତତ୍ପରତା
ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଜେରା ପାଇଁ ନେବା ପରେ ପୋଲିସ ଗଣମାଧ୍ୟମକୁ କହିଥିଲା, ଜଣେ ଆଦିବାସୀ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ତଦନ୍ତ ଚଳାଇଛି। କିନ୍ତୁ ଓଟିଭି ପ୍ରଶ୍ନ କରିଥିଲା ଯେ ଚାର୍ଜସିଟ୍ ଦାଖଲ ହୋଇସାରିଥିବା ଓ ଅଭିଯୁକ୍ତମାନେ ଜେଲ ଯାଇ ଫେରିସାରିଥିବା ବେଳେ କେସ୍ ଫାଇଲ ମଧ୍ୟ ବନ୍ଦ ଥିଲା। କିନ୍ତୁ ବର୍ଷେ ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତଦନ୍ତ କଥା ମନେ ପଡ଼ିଲା କିପରି? ଏତେଦିନ ପରେ ଚନ୍ଦ୍ରାଣୀ ମୁର୍ମୁ ସକ୍ରିୟ ହେଲେ କାହିଁକି?
ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣି ଲୋକସଭା ବାଚସ୍ପତିଙ୍କୁ ଚିଠି
ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସୋମବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସଂସଦ ତାଙ୍କୁ ଗୃହର ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ଗ୍ରହଣ କରିଛି। ସେ ଜଣେ ଆଦିବାସୀ ଯୁବତୀ। କିନ୍ତୁ ଅଶ୍ଳୀଳ ଭିଡିଓ ଭାଇରାଲ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି।
ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନିଆଯାଉଛି: ପ୍ରଦୀପ ମାଝି
ଚନ୍ଦ୍ରାଣୀଙ୍କ ପ୍ରସଙ୍ଗରେ ରାଜ୍ୟର ଆଉ ଜଣେ ଆଦିବାସୀ ନେତା ମୁହଁ ଖୋଲିଛନ୍ତି। ପୂର୍ବତନ ସାଂସଦ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚନ୍ଦ୍ରାଣୀଙ୍କ ସରଳତାକୁ ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଉଛି। ଆଦିବାସୀ ସମାଜ ଏହାକୁ ବରଦାସ୍ତ କରିବ ନାହିଁ। ମିଡିଆ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ନାପସନ୍ଦ କରି ପ୍ରଦୀପ କହିଛନ୍ତି, ପୋଲିସ ଆଇନ ଭିତରେ ରହି କାର୍ଯ୍ୟ କରିବା ଉଚିତ୍। ଚନ୍ଦ୍ରାଣୀଙ୍କ ମିଥ୍ୟା ଭିଡିଓ ଯିଏ କରିଥିଲା, ତାକୁ ଖୋଜୁ ପୋଲିସ। ଚନ୍ଦ୍ରାଣୀଙ୍କୁ ନ୍ୟାୟ ପାଇଁ ପଦକ୍ଷେପ ନ ହେଲେ ଆଦିବାସୀ ସମାଜ ରାସ୍ତାକୁ ଓହ୍ଲାଇବ ଓ ନବୀନ ନିବାସ ଘେରିବ ବୋଲି ପ୍ରଦୀପ ଚେତାବନୀ ଦେଇଛନ୍ତି।
ପ୍ରଦୀପଙ୍କ ଏଭଳି ପ୍ରତିକ୍ରିୟା ପରୋକ୍ଷରେ ସୂଚାଉଛି ଯେ ଚନ୍ଦ୍ରାଣୀଙ୍କ ଆଦିବାସୀ ପଏଣ୍ଟଟିକୁ ନେଇ ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ ଚାଲିଛି।