ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସୋମବାର ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସହରରେ ଅଧିକ ଉଚ୍ଚ ମୂର୍ତ୍ତି କରିଥିବା ୯ ପୂଜା କମିଟିକୁ କୋର୍ଟଙ୍କ ପକ୍ଷରୁ ପୂଜା ପାଇଁ ଅନୁମତି ମିଳିଛି। ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ଏହି ଅନୁମତି ଦିଆଯାଇଛି।
ଅଧିକ ଉଚ୍ଚ ମୂର୍ତ୍ତିକୁ ଅନୁମତି ମିଳିଥିଲେ ସୁଦ୍ଧା ବିସର୍ଜନ କିପରି ହେବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତ ନିୟମକୁ ମାନି ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କଟକ ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ହେବ ତାକୁ ନେଇ ଅନେକ ବିବାଦ ଲାଗିରହିଥିଲା। କମିସନରେଟ୍ ପୋଲିସ ୪ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସହରର ୯ଟି ପୂଜା କମିଟି ୪ଫୁଟ୍ରୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିଲେ।
ଶୁକ୍ରବାର ଅଦାଲତ ଏହି ମାମଲାର ଶୁଣାଣି କରି ସୋମବାର ସୁଦ୍ଧା ମୂର୍ତ୍ତିର ତଥ୍ୟ ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସେହି ରିପୋର୍ଟକୁ ଆଧାର କରି ହାଇକୋର୍ଟ ଏହି ୯ଟି ପୂଜାକମିଟିକୁ ଦୁର୍ଗାପୂଜା ପାଇଁ ଅନୁମତି ଦେଇଛନ୍ତି।















