ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଦାବଟି ରୋକିବାକୁ କମିସନରେଟ୍ ପୋଲିସ ଜାରିକଲା ହେଲ୍ପଲାଇନ୍ ନମ୍ବର। ମଙ୍ଗଳବାର ପୋଲିସ ଡିଜି ଅଭୟ ପ୍ରେସମିଟ୍ କରି ଏହି ସୂଚନା ଦେବା ସହ ନୂଆ ନମ୍ବରକୁ ଘୋଷଣା କରିଛନ୍ତି।
ପୋଲିସ ଡିଜି ଅଭୟ କହିଛନ୍ତି ଯେ, ଟୁଇନ ସିଟିରେ ଦାଦାବଟି କମାଇବାକୁ ପୋଲିସ ପକ୍ଷରୁ ଏହି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଏହାର ନମ୍ବର ହେଲା ୯୯୩୮୯୧୦୦୦୦। ଲୋକମାନେ ଏହି ନମ୍ବରରେ ଫୋନ୍ କରି, ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରି ଦାଦାବଟି ଆଦାୟ ସମ୍ପର୍କରେ ପୋଲିସକୁ ସୂଚନା ଦେଇପାରିବେ।
ପୋଲିସକୁ ସୂଚନା ମିଳିବା ପରେ ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ। ପୋଲିସର ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ତୁରନ୍ତ ଏନେଇ ନିଜର କାର୍ଯ୍ୟ ଆରମ୍ଭ କରିବ ବୋଲି ପୋଲିସ ଡିଜି କହିଛନ୍ତି।
କିଛି ଦିନ ତଳେ ଟୁଇନ ସିଟିରେ ଦାଦାବଟି ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ କରୁଥିବା ଲୋକଙ୍କୁ ଗିରଫ କରିଛି। ଏଯାବତ ଏହି ମାମଲାରେ ମୋଟ ୧୫ଟି ମାମଲା ହୋଇଥିବାବେଳେ ୨୪ ଜଣ ଗିରଫ ହୋଇଛନ୍ତି ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି।