ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ବୁଧବାର ବିହାରରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
କରୋନା କାଳରେ ହେଉଥିବା ଏହି ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଭୋଟରମାନେ କୋଭିଡ୍ କଟକଣାକୁ ମାନି ଆଜି ଭୋଟ ଦେବେ। ଭୋଟ ଦେବା ସମୟରେ ମାସ୍କ, ସାନିଟାଇଜର ଆଦିର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।
ବିହାରରେ ଆଜି ପ୍ରାୟ ୨.୧୪ କୋଟି ଲୋକ ଭୋଟ ଦେବେ। ସେଥିମଧ୍ୟରୁ ପ୍ରାୟ ୧ କୋଟି ମହିଳା ଭୋଟର ବୋଲି ଜଣାପଡ଼ିଛି। ଏହି ଭୋଟରମାନେ ନିର୍ବାଚନରେ ଠିଆ ହୋଇଥିବା ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ଟି ବିଧାନସଭା ଆସନରୁ ଜେଡିୟୁର ୩୫ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ୨୯ଟି ସ୍ଥାନରେ ନିଜର ପ୍ରାର୍ଥୀ ଦେଇଛି। ଅନ୍ୟପଟେ ବିରୋଧୀ ପକ୍ଷରୁ ଆରଜେଡି ୪୨ଟି ସ୍ଥାନରେ ନିଜର ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୨୦ଟି ସ୍ଥାନରେ ପ୍ରାର୍ଥୀ ଦେଇଛି।
ବିହାରରେ ଏନଡିଏ ମେଣ୍ଟରୁ ଅଲଗା ହୋଇ ନିର୍ବାଚନ ଲଢୁଥିବା ଏଲଜେପି ୪୧ଟି ଆସନରେ ନିଜର ପ୍ରାର୍ଥୀ ଦେଇଛି। ଅଧିକାଂଶ ସ୍ଥାନରେ ଜେଡିୟୁ ନେତାଙ୍କ ବିରୋଧରେ ଏଲଜେପି ପ୍ରାର୍ଥୀ ଦେଇଛି। ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ନଭେମ୍ବର ୩ ଓ ୭ରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ ହେବ। ଏହାପରେ ନଭେମ୍ବର ୧୦ ତାରିଖରେ ବିହାର ନିର୍ବାଚନର ଫଳାଫଳ ଘୋଷଣା ହେବ।