ଓଡ଼ିଶାଲାଇଭ୍ ବ୍ୟୁରୋ

ବଜାରରେ ଏବେ ପିଆଜ କିଲୋ ୮୦ ଛୁଇଁଲାଣି। ଦର ଏମିତି ବଢୁଛି ଯେ ଲୋକେ ପିଆଜ ନ କାଟି ମଧ୍ୟ ସେମାନଙ୍କ ଆଖି ପୋଡୁଛି , ଲୁହ ବି ଚାଲିଆସୁଛି।

(କଟକରୁ ବିଶ୍ଵଜିତ୍ ସାହୁ): ଓଡ଼ିଆ ଘରର ଭାତଥାଳି ହେଉ କି ପଖାଳ କଂସା, ପିଆଜ ବିନା ଖାଇବା ଜମା ରୁଚେନାହିଁ। କିନ୍ତୁ ଓଡ଼ିଆ ହାଣ୍ଡିଶାଳର ଏହି ସାଧାରଣ ପରିବାଟିର ଦର ଏବେ ସତେ ଯେମିତି ଅସାଧାରଣ ପାଲଟିଯାଇଛି। ବଜାରରେ ଏହାର ଦର ଶୁଣିଲେ ଗ୍ରାହକ କିଣିବାକୁ ଡରୁଛନ୍ତି। କିଛିମାସ ତଳେ କିଲୋ ପିଛା ୨୦ରୁ ୩୦ ଟଙ୍କାରେ ମିଳୁଥିବା ପିଆଜର ଦର ଏବେ ୮୦ ଟପିଲାଣି। ଏଣେ ହୋଲସେଲ୍ ବଜାରରେ ଷ୍ଟକ ବି କମି କମି ଯାଉଛି। ଯଦି ପରିସ୍ଥିତି ଏପରି ଲାଗି ରୁହେ ତେବେ ଆସନ୍ତା ମାସେ ପର୍ଯ୍ୟନ୍ତ ପିଆଜ ଦର କମିବାର ଆଶା କ୍ଷୀଣ।ଦୁଇ ମାସରେ ତିନି ଗୁଣା ବଢ଼ିଲାଣି ପିଆଜ ଦର

ଦୁଇ ମାସ ପୂର୍ବେ ରାଜ୍ୟରେ ପିଆଜ ଦର ୩୦ ଟଙ୍କା ଥିଲା। ଗୋଟିଏ ମାସ ତଳେ ଏହା ବଢ଼ି ୬୦, ଆଉ ଏବେ ୮୦ ଧରିଛି। ରାଜ୍ୟର ପ୍ରମୁଖ ସହରରେ ଚଢ଼ା ଦରରେ ବିକ୍ରି ହେଉଛି ପିଆଜ। ଭୁବନେଶ୍ଵରରେ ପିଆଜ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଟକରେ ଏହା ୭୦ ଟଙ୍କା ରହିଛି। ସେହିପରି ବରଗଡ଼ରେ ପିଆଜ ଦର କିଲୋ ପ୍ରତି ୮୫ ଟଙ୍କା ରହିଥିବା ବେଳେ ବ୍ରହ୍ମପୁରରେ ଏହା ୮୦ ଟଙ୍କା ରହିଛି। ଏହାବାଦ୍ କେତେକ ଗ୍ରାମାଞ୍ଚଳରେ ପିଆଜ ଦର ସେଞ୍ଚୁରୀ ମାରିଲାଣି।

  • ଭୁବନେଶ୍ଵର – ୮୦ ଟଙ୍କା
  • କଟକ – ୭୦ ଟଙ୍କା
  • ବ୍ରହ୍ମପୁର – ୮୦ ଟଙ୍କା
  • ବରଗଡ଼ – ୮୫ ଟଙ୍କା

ଦର ବୃଦ୍ଧି ପାଇଁ ବର୍ଷା ଦାୟୀ

ପିଆଜ ପାଇଁ ଓଡ଼ିଶା ସମେତ ସାରା ଦେଶ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକ ଉପରେ ନିର୍ଭର କରିଥାଏ। କିନ୍ତୁ ଚଳିତ ବର୍ଷା କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ସେଠାରେ ପିଆଜ ଚାଷ ନଷ୍ଟ ହୋଇଛି। ଫଳରେ ଦେଶରେ ଏବେ ପିଆଜ ଅଭାବ ପରିଲକ୍ଷିତ ହୋଇଛି। ଦେଶରେ ପ୍ରତ୍ୟେକ ଦିନ ହାରହାରି ୩ହଜାର ଟ୍ରକ ପିଆଜ ଆବଶ୍ୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ମାତ୍ର ୧୫ଶହ ଟ୍ରକ୍ ପିଆଜ ବଜାରକୁ ଆସୁଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଯେତିକି ପରିମାଣର ପିଆଜ ଗଚ୍ଛିତ ରହିଛି ତାହାକୁ ଚଢ଼ା ଦରରେ ରପ୍ତାନି କରୁଛନ୍ତି ସେଠାକାର ବେପାରୀ।

ବର୍ତ୍ତମାନ ଯେଉଁ ପିଆଜ ବଜାରରେ ବିକ୍ରି ହେଉଛି, ତାହା ମାର୍ଚ୍ଚ ଏପ୍ରିଲ ମାସରେ ଅମଳ ହୋଇଥିବା ପିଆଜ। ଏବେ ଯେଉଁ ପିଆଜ ଅମଳ ହୋଇଥାନ୍ତା ତାହା ବର୍ଷାରେ ନଷ୍ଟ ହୋଇଯାଇଛି। ପୁଣି ନୂଆ ଅମଳ ଋତୁକୁ ଆହୁରି ଅନେକ ସମୟ ବାକି ଥିବା ବେଳେ ଆହୁରି ୨ରୁ ୪ମାସ ପିଆଜ ଦରରେ ତାତି ରହିବ।

” ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ। ରାଜ୍ୟରେ ସବୁଠୁ ଅଧିକ ଷ୍ଟକ ମଗାଇଥାଏ ଛତ୍ରବଜାର। ପ୍ରତିଦିନ ପ୍ରାୟ ୭ଟି ଟ୍ରକ୍‌ରେ ପାଖାପାଖି ୧୨୦ ଟନ୍ ପିଆଜ ଛତ୍ରବଜାର ଆସିଥାଏ। ଉପରୋକ୍ତ ରାଜ୍ୟରେ ଫସଲ ନଷ୍ଟ ହୋଇଥିବାରୁ ଏବେ ଦୈନିକ ୨ଟି ଟ୍ରକ୍ ଆସୁଛି। ତେଣୁ ପିଆଜ ଦର ବଢୁଛି”, କହିଛନ୍ତି ଛତ୍ରବଜାର ପରିବା ବ୍ୟବସାୟୀ ତପନ କୁମାର ଦାସ।

ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଅଭାବୀ ରାଜ୍ୟ

ଅନୁଗୁଳ, ଟିଟିଲାଗଡ଼, କୋରାପୁଟ, ଭବାନୀପାଟଣା ଆଦି ଅଳ୍ପ କେତୋଟି ଅଞ୍ଚଳକୁ ଛାଡ଼ିଲେ ରାଜ୍ୟର ଅନ୍ୟ କେଉଁଠି ପିଆଜ ଉତ୍ପାଦନ ହୋଇନଥାଏ। ଏସବୁ ଅଞ୍ଚଳରେ ଋତୁକାଳୀନ ଅମଳ ହୁଏ। ଏପ୍ରିଲରୁ ଜୁନ୍ ଯାଏଁ ଏଠାରୁ ପିଆଜ ବଜାରକୁ ଆସିଥାଏ। କିନ୍ତୁ ଜୁନ୍ ପରେ ବଜାରରେ ଆଉ ଦେଶୀ ପିଆଜର ଷ୍ଟକ ରହିନଥାଏ। ପରେ ବର୍ଷ ତମାମ ରାଜ୍ୟ ବାହାରୁ ହେଉଥିବା ଆମଦାନୀ ପିଆଜ ଉପରେ ହିଁ  ଓଡ଼ିଶାବାସୀ ନିର୍ଭର କରନ୍ତି। ରାଜ୍ୟରେ ଆବଶ୍ୟକ ପରିମାଣର ପିଆଜ ଉତ୍ପାଦନ ହେଉ ନଥିବାରୁ ଷ୍ଟକ୍ ରଖାଯାଇ ପାରୁନାହିଁ। ଯାହାଫଳରେ ଦର ଖସୁନି ବୋଲି କେତେକ ବ୍ୟବସାୟୀ କହିଛନ୍ତି।

“ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ପାଇଁ ପିଆଜ ଫସଲରେ କ୍ଷତି ହୋଇଛି। ଦୈନିକ ଯେତିକି ପିଆଜ ଛତ୍ରବଜାର ଆସୁଛି ତାହା କଟକ ବଜାର ପାଇଁ ବି ନିଅଣ୍ଟ ପଡୁଛି। ନଭେମ୍ଵର ଅଧା ବେଳକୁ ରାଜ୍ୟକୁ ଯଦି ଆଫଗାନିସ୍ତାନ ପିଆଜ ଆସିଯାଏ, ତେବେ ଦର ହ୍ରାସ ହୋଇପାରେ। ନହେଲେ ନଭେମ୍ଵର, ଡିସେମ୍ଵରରେ ଅମଳକୁ ଯାହା ଅପେକ୍ଷା”, କହିଛନ୍ତି ଛତ୍ରବଜାର ପରିବା ବ୍ୟବସାୟୀ ଅର୍ଜୁନ ଚରଣ ସାହୁ।  ପିଆଜକୁ ନେଇ ଓଡ଼ିଶାରେ ସ୍ଥିତି ଯେପରି ଦେଶରେ ମଧ୍ୟ ସେହି ସ୍ଥିତି ଲାଗିରହିଛି। ଅକ୍ଟୋବର ମାସ ଶେଷ ହେବାକୁ ବସିଲାଣି କିନ୍ତୁ ବଜାରକୁ ନୂଆ ଅମଳ ପହଞ୍ଚିପାରିନାହିଁ। ଦେଶରେ ପିଆଜର ହବ୍‌ କୁହାଯାଉଥିବା ମହାରାଷ୍ଟ୍ରର ନାସିକ୍‌ରେ ମଧ୍ୟ ଏହି ପରିବାର ଅଭାବ ଦେଖାଦେଇଛି। ସରକାରୀ ତଥ୍ୟ କହୁଛି ଦେଶରେ ୨.୫ କୋଟି ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହୋଇଥାଏ। ଅନ୍ୟପକ୍ଷରେ ଦେଶବାସୀ ୧.୫ କୋଟି ମେଟ୍ରିକ ଟନ୍ ପିଆଜ ଆବଶ୍ୟକ କରନ୍ତି। କିନ୍ତୁ ଚଳିତ ବର୍ଷ ବର୍ଷା ପାଇଁ ଉତ୍ପାଦନର ୫ଦ ପ୍ରତିଶତ ଫସଲ ନଷ୍ଟ ହୋଇଯାଇଛି।

Comment