ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ନବୀନ।
“ବିଜେପୁର ପରି ବାଲେଶ୍ୱର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି। ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଉପନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ”, ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ଆଜି ଏଭଳି ଢଙ୍ଗରେ ଭୋଟ ଭିକ୍ଷା କରିଛନ୍ତି ନବୀନ।
ତିର୍ତ୍ତୋଲ ପରେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିଥିଲେ। ଏହି ଅବସରରେ ସେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
ନବୀନ କହିଛନ୍ତି, “ମୁଁ ବାଲେଶ୍ୱର ଯାଇଥିଲେ ଆପଣମାନେ ନିଶ୍ଚୟ ଆସିଥାନ୍ତେ। ହେଲେ ଆପଣଙ୍କ ଜୀବନ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ମୁଁ ଆଜି ଭିଡିଓ କନଫରେନ୍ସି ଜରିଆରେ ଆପଣଙ୍କ ସହ ଯୋଡ଼ି ହୋଇଛି। କରୋନା ଶେଷ ହେଲେ ମୁଁ ବାଲେଶ୍ୱର ଯାଇ ଆପଣଙ୍କ ଭେଟିବି। ବାଲେଶ୍ୱର ବିକାଶ କାମ ତଦାରଖ କରିବି।”
ଏଥିସହ ରାଜ୍ୟ ସରକାର କୋଭିଡ୍ ମୁକାବିଲା କରିବାରେ ସଫଳ ହୋଇଥିବା ନବୀନ କହିଛନ୍ତି। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାଉସୀମାନେ ବେଶ ସହାୟକ ହୋଇଛନ୍ତି। ତାଙ୍କ ଚେଷ୍ଟା ସହିତ କୋଭିଡ୍ ଯୋଦ୍ଧାମାନଙ୍କ ବଳିଦାନ ରାଜ୍ୟରେ କରୋନା ସଂକ୍ରମଣକୁ କମ କରିପାରିଛି ବୋଲି ନବୀନ କହିଛନ୍ତି।
ଏଥିସହ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବା ସମୟରେ ଫକୀର ମୋହନ ସେନାପତି, ଡକ୍ଟର ଏପିଜେ ଅବଦୁଲ କାଲାମ୍ ଓ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି।


















